Latest Odisha News

BREAKING NEWS

ଆମେରିକାରେ ୯ ଲକ୍ଷ ଟପିଲା କରୋନା ମୃତ୍ୟୁସଂଖ୍ୟା

ଓ୍ୱାଶିଂଟନ୍: ଆମେରିକାରେ କରୋନା ମୃତ୍ୟୁର ତାଣ୍ଡବ ରଚିଛି । ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ରରେ ମହାମାରୀ ସବୁଠୁ ଅଧିକ ଲୋକଙ୍କର ଜୀବନ ନେଇଛି । ଆମେରିକାରେ କରୋନା ଜନିତ ମୃତ୍ୟୁସଂଖ୍ୟା ୯ ଲକ୍ଷ ପାର କରିଛି । ସାରା ବିଶ୍ୱରେ ସର୍ବାଧିକ । ଆମେରିକାରେ ପରେ ବ୍ରାଜିଲରେ ୬ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୃତ୍ୟୁସଂଖ୍ୟାରେ ତୃତୀୟ ସ୍ଥାନରେ ଭାରତ ରହିଛି । ଭାରତରେ କରୋନା ମୃତ୍ୟୁସଂଖ୍ୟା ୫ ଲକ୍ଷ ପାର କରିଛି ।

ଆମେରିକାରେ ଉଭୟ ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ସାରା ବିଶ୍ୱରେ ଅଧିକ । ୨୦୨୦ ଡିସେମ୍ବରରେ ଟିକାକରଣ ଅଭିଯାନ ଆରମ୍ଭ ବେଳକୁ ଆମେରିକାରେ କରୋନା ମୃତ୍ୟୁସଂଖ୍ୟା ଥିଲା ୩ଲକ୍ଷ । ୨୦୨୧ ଜୁନ ବେଳକୁ ମୃତ୍ୟୁସଂଖ୍ୟା ୬ ଲକ୍ଷ ଟପିଥିଲା । ଗତବର୍ଷ ଅକ୍ଟୋବର ବେଳକୁ ୭ ଲକ୍ଷ ଲୋକ କରୋନାରେ ପ୍ରାଣ ହରାଇଥିଲେ ।

ଡିସେମ୍ବର ୧୪ ତାରିଖ ବେଳକୁ ଆମେରିକାରେ ମହାମାରୀ ୮ ଲକ୍ଷ ଲୋକଙ୍କୁ ମାରି ସାରିଥିଲା । ତାପରେ ମାତ୍ର ୫୧ ଦିନରେ କରୋନାରେ ଆଉ ଲକ୍ଷେ ଲୋକଙ୍କର ଜୀବନ ଯାଇଛି । ଓମିକ୍ରନ୍ ଯୋଗୁ ଆମେରିକାରେ ତୃତୀୟ ଲହରରେ ଦ୍ରୁତ ବଢ଼ିଥିଲା ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ।

ଏବେ ବି ଆମେରିକାରେ ଦୈନିକ ମୃତ୍ୟୁସଂଖ୍ୟା ତିନି ହଜାର ରହୁଛି । କୁହାଯାଉଛି ଆମେରିକାରେ ଅନ୍ୟ ରୋଗରେ ପୀଡ଼ିତ ଅଧିକାଂଶ ଲୋକ କରୋନା ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି । କରୋନା କାଳରେ ସେମାନଙ୍କୁ ଉତ୍ତମ ଚିକିତ୍ସା ନମିଳିବାରୁ ମୃତ୍ୟୁବରଣ କରୁଛନ୍ତି ।

Comments are closed, but trackbacks and pingbacks are open.