Latest Odisha News

BREAKING NEWS

କାନସାସ୍ ସହରରେ ଗୁଳିମାଡ଼; ଜଣେ ମୃତ, ୯ ଶିଶୁଙ୍କ ସମେତ ୨୨ ଆହତ

ନୂଆଦିଲ୍ଲୀ: ଆମେରିକା ସ୍ଥିତ ମିସୋରିର କାନସାସ୍ ସହରରେ ପରେଡ୍ ସମୟରେ ଗୁଳିମାଡ଼ ହୋଇଛି । ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୨୨ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ୯ ଜଣ ଶିଶୁ ଅଛନ୍ତି । ସେମାନଙ୍କ ବୟସ ୬ରୁ ୧୫ ବର୍ଷ ମଧ୍ୟରେ ରହିଛି। ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି ।

ସୂଚନାଅନୁସାରେ, ଗତ ରବିବାର ଦିନ ସୁପର ବୋଲର ଫାଇନାଲ ମ୍ୟାଚ୍ ହୋଇଥିଲା । ଏହି ମ୍ୟାଚରେ ‘କାନସାସ୍ ସିଟି’ ଟିମ୍ ବିଜୟ ଲାଭ କରିଥିଲା । ଗତକାଲି ବିଜୟର ଉତ୍ସବ ପାଳନ କରିବା ପାଇଁ ପରେଡର ଆୟୋଜନ କରାଯାଇଥିଲା । ଆଉ ଏହି ଉତ୍ସବ ଦେଖିବା ପାଇଁ ପ୍ରବଳ ଭିଡ ହୋଇଥିଲା । ପରେଡ ଶେଷ ପର୍ଯ୍ୟାୟରେ ଥିବାବେଳେ ଗୁଳିମାଡ଼ ହୋଇଥିଲା। ରାସ୍ତା ନିକଟରେ ଥିବା ଏକ ପେଟ୍ରୋଲ ପମ୍ପରୁ ଗୁଳିମାଡ଼ର ଶବ୍ଦ ଶୁଣିବାକୁ ମିଳିଥିଲା। ଫଳରେ ସେଠାରେ ଥିବା ଲୋକେ ନିଜ ଜୀବନ ବିକଳରେ ଏପଟ ସେପଟେ ଦୌଡ଼ିବାରେ ଲାଗିଥିଲେ । ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା।

ଏହି ଘଟଣାରରେ ପୁଲିସ୍ ୩ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚାରଉଚରା କରୁଛି । ବର୍ତ୍ତମାନ ସୁଧା ଗୁଳିମାଡ଼ ଘଟଣାର କାରଣ ଜଣାପଡ଼ି ନାହିଁ । ପୁଲିସର ସୂଚନାଅନୁସାରେ, ଏହି ପରେଡରେ ସାମିଲ ହେବାକୁ ଥିବା କିଛି ଫ୍ୟାନ୍ସ ଜଣେ ସନ୍ଦିଗ୍ଧକୁ କାବୁ କରିଥିଲେ। ଏହି ଘଟଣାର ଏକ ଭିଡିଓ ସାମନାକୁ ଆସିଛି । ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ, ଆମେରିକାର ନ୍ୟାୟ ବିଭାଗ ସହରଗୁଡିକର ଏକ ତାଲିକା ପ୍ରସ୍ତୁତ କରିଛି । ଯେଉଁଠାରେ ୨୦୨୦ ମସିହାରୁ ହିଂସାକୁ ରୋକିବା ପାଇଁ ବ୍ୟାପକ ପ୍ରୟାସ କରାଯାଉଛି। କାନସାସ୍ ସିଟି ମଧ୍ୟ ଏହି ନଅଟି ସହରର ତାଲିକାରେ ଅନ୍ତର୍ଭୂକ୍ତ ହୋଇଛି । ଯାହା ବିପଜ୍ଜନକ ସହର ମଧ୍ୟରେ ରହିଛି । ଏହି ସହରରେ ଲଗାତାର ଗୁଳିମାଡ଼ ଘଟଣା ସାମ୍ନାକୁ ଆସୁଛି।

Leave A Reply

Your email address will not be published.