ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ୍ ମଧ୍ୟରେ ଶାନ୍ତି ବୁଝାମଣା ପାଇଁ କ୍ରିମିୟା ଉପରେ ଋଷ ନିୟନ୍ତ୍ରଣକୁ ମାନ୍ୟତା ଦେଇପାରେ ଆମେରିକା । ଯେକୌଣସି ସ୍ଥିତିରେ ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ରୋକିବାକୁ ଚାହୁଁଛନ୍ତି ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ । ସେଥିପାଇଁ ସେ କ୍ରିମିୟା ନେଇ ଋଷ ପକ୍ଷର କଥା ମାନିପାରନ୍ତି । ୨୦୧୪ରେ ଋଷ ୟୁକ୍ରେନର କ୍ରିମିୟା ଉପରେ କବଜା କରିବା ପରେ ଏକ ବିବାଦୀୟ ଜନମତ ସଂଗ୍ରହ ଜରିଆରେ ଏହି କ୍ଷେତ୍ରକୁ ନିଜ ଅଂଶ ବୋଲି ଘୋଷଣା କରିଥିଲା । ଅନ୍ତର୍ଜାତୀୟ ସମୁଦାୟର ବଡ ଅଂଶ କ୍ରିମିୟାକୁ ଋଷର ଅଂଶ ଭାବେ ଗ୍ରହଣ କରେନି । ଏଭଳି ସ୍ଥିତିରେ ଯଦି ଆମେରିକା କ୍ରିମିୟା ଉପରେ ଋଷ ନିୟନ୍ତ୍ରଣକୁ ମାନ୍ୟତା ଦିଏ, ତେବେ ବିଶ୍ବ ରାଜନୀତିରେ ବଡ଼ ହଲଚଲ ହେବ ।
କ୍ରିମିୟାକୁ ନେଇ ୟୁକ୍ରେନକୁ ଝଟକା !
ମସ୍କୋ ଓ କିଭ୍ ମଧ୍ୟରେ ଶାନ୍ତି ବୁଝାମଣାର ଅଂଶବିଶେଷ ଭାବେ କ୍ରିମିୟା ଅଞ୍ଚଳ ଉପରେ ଋଷର ନିୟନ୍ତ୍ରଣକୁ ମାନ୍ୟତା ଦେବା ନେଇ ବିଚାର କରୁଛନ୍ତି ଟ୍ରମ୍ପ ପ୍ରଶାସନ । ଏନେଇ ବ୍ଲମୁବର୍ଗରେ ରିପୋର୍ଟ ପ୍ରକାଶ ପାଇଛି । ତେବେ ଏପର୍ଯ୍ୟନ୍ତ କ୍ରିମିୟା ନେଇ ଶେଷ ନିଷ୍ପତି ନିଆଯାଇନି । ହ୍ବାଇଟ୍ ହାଉସ୍ କିମ୍ବା ବୈଦେଶିକ ବ୍ୟାପାର ବିଭାଗ ପକ୍ଷରୁ ଏନେଇ କୌଣସି ଟିପ୍ପଣୀ ଦିଆଯାଇନି । ଋଷ-ୟୁକ୍ରେନ୍ ଶାନ୍ତି ବୁଝାମଣାରେ ବିଳମ୍ବକୁ ନେଇ ଆମେରିକା ବିଦେଶ ମନ୍ତ୍ରୀ ମାର୍କୋ ରୁବିଓ ଅସନ୍ତୋଷ ପ୍ରକାଶ କରିଥିଲେ । ଏପରିକି ଏନେଇ ଶୀଘ୍ର ସମାଧାନ ନହେଲେ ଆମେରିକା ଆଲୋଚନାରୁ ଓହରିଯିବ ବୋଲି କହିଥିଲେ । ତେଣୁ ଶାନ୍ତି ବୁଝାମଣା ଦିଗରେ କ୍ରିମିୟା ଉପରେ ଋଷର ନିୟନ୍ତ୍ରଣକୁ ଆମେରିକା ମାନ୍ୟତା ଦେଇପାରେ ବୋଲି ଚର୍ଚ୍ଚା ହେଉଛି ।
ଜେଲେନସ୍କିଙ୍କୁ ଝଟକା ପୁତିନଙ୍କୁ ଆଶ୍ବସ୍ତି !
କ୍ରିମିୟା ଉପରେ ଋଷର କବଜାକୁ ଆମେରିକା ମାନ୍ୟତା ଦେବା ସମ୍ଭାବନାକୁ ନେଇ ଅସନ୍ତୋଷ ଦେଖାଇଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । କୌଣସି ସ୍ଥିତିରେ ଋଷକୁ କ୍ରିମିୟା ଦେବେ ନାହିଁ ବୋଲି ସେ ସଫା କହିଛନ୍ତି । ୟୁକ୍ରେନର ଅଂଶ ଋଷକୁ ସମର୍ପଣ ପ୍ରସ୍ତାବକୁ ସେ ଖାରଜ କରିଦେଇଛନ୍ତି । ଅସ୍ତ୍ରବିରତି ବିନା ୟୁକ୍ରେନର ଅଞ୍ଚଳ ନେଇ କୌଣସି ଆଲୋଚନା ସମ୍ଭବ ନୁହେଁ ବୋଲି ଜେଲେନସ୍କି କହିଛନ୍ତି । ସେପଟେ କ୍ରିମିୟା ଉପରେ ଋଷ ନିୟନ୍ତ୍ରଣକୁ ମାନ୍ୟତା ଋଷ ପାଇଁ ବଡ ଆଶ୍ବସ୍ତି ହେବ । କାରଣ ଲମ୍ବା ସମୟ ଧରି ପୁତିନ କ୍ରିମିୟା ଉପରେ ଋଷର କବଜାକୁ ମାନ୍ୟତା ଦେବାକୁ ଦାବି କରିଆସୁଛନ୍ତି । ଏହାସହ ଋଷର କ୍ରିମିୟା କବଜା ସହ ୟୁକ୍ରେନର ନାଟୋରେ ସାମିଲ ହେବାର ସମ୍ଭାବନା ବି ଶେଷ ହୋଇଯିବ ।
ଋଷ ଓ ୟୁକ୍ରେନ୍ ଅସ୍ତ୍ରବିରତିକୁ ନେଇ ଆଗକୁ ବଢିବେ ବୋଲି ଡୋନାଲଡ ଟ୍ରମ୍ପ ଆଶା ପ୍ରକାଶ କରିଛନ୍ତି । ଦୁଇ ଦେଶ ମଧ୍ୟରେ ଶାନ୍ତି ବୁଝାମଣା ନେଇ ସ୍ପଷ୍ଟ ସଂକେତ ନମିଳିଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପଛକୁ ହଟିଯିବେ ବୋଲି କହିଥିଲେ ଆମେରିକା ବିଦେଶ ମନ୍ତ୍ରୀ ମାର୍କୋ ରୁବିଓ । ନିର୍ବାଚନ ପ୍ରଚାର ସମୟରେ କ୍ଷମତାକୁ ଆସିବାର ୨୪ଘଣ୍ଟା ମଧ୍ୟରେ ଯୁଦ୍ଧ ରୋକିବାକୁ ପ୍ରତିଶ୍ରୁତି ଦେଇଥିଲେ ଟ୍ରମ୍ପ । ପରେ ଏପ୍ରିଲ, ମେ ମଧ୍ୟରେ ଶାନ୍ତି ବୁଝାମଣା ନେଇ କହିଥିଲେ । ତେବେ ଦୁଇ ଦେଶ ମଧ୍ୟରେ ଶକ୍ତି ଉତ୍ସ ଉପରେ ଆକ୍ରମଣ ନକରିବାକୁ ବୁଝାମଣା ହୋଇଥିବା ବେଳେ ପରସ୍ପର ଉପରେ ଆକ୍ରମଣ ଜାରି ରହିଛି ।
Comments are closed.