ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଶର ନିର୍ବାଚନ ବ୍ୟବସ୍ଥାରେ କିଛି ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଆଣିବାକୁ ଚାହୁଁଛନ୍ତି। ଏହି ପରିବର୍ତ୍ତନ ମାଧ୍ୟମରେ ସେ ଆମେରିକାର ନିର୍ବାଚନକୁ ଅଧିକ ସୁରକ୍ଷିତ ଓ ପାରଦର୍ଶୀ କରିବାର ଲକ୍ଷ୍ୟ ରଖିଛନ୍ତି। ଏହା ସହିତ ଟ୍ରମ୍ପ ଭାରତର ନିର୍ବାଚନ ପ୍ରଣାଳୀର ଭୂୟସୀ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ଆମେରିକାକୁ ଉନ୍ନତ କରିବା ପାଇଁ ଭାରତୀୟ ମଡେଲକୁ ଅନୁସରଣ କରିବା ଆବଶ୍ୟକ।
ଟ୍ରମ୍ପଙ୍କ ମତରେ, ଆମେରିକାର ନିର୍ବାଚନ ସୁରକ୍ଷା ବ୍ୟବସ୍ଥା ଆବଶ୍ୟକ ମାନକୁ ପୂରଣ କରିବାରେ ବିଫଳ ହୋଇଛି। ସେ ଉଲ୍ଲେଖ କରିଛନ୍ତି ଯେ ଭାରତ ଓ ବ୍ରାଜିଲ ପରି ଦେଶଗୁଡ଼ିକ ମତଦାତାଙ୍କ ପରିଚୟକୁ ବାୟୋମେଟ୍ରିକ ଡାଟାବେସ୍ ସହ ଯୋଡ଼ି ଏକ ସଫଳ ବ୍ୟବସ୍ଥା ଗଢ଼ିଛନ୍ତି। କିନ୍ତୁ ଆମେରିକା ଏବେ ବି ନାଗରିକତ୍ୱ ଯାଞ୍ଚ ପାଇଁ ଅନେକ ପ୍ରକ୍ରିୟା ଉପରେ ନିର୍ଭର କରୁଛି। ଯାହା ଟ୍ରମ୍ପଙ୍କ ମତରେ ଏକ ବଡ଼ ତ୍ରୁଟି। ସେ କହିଛନ୍ତି, “ଭାରତ ଏହି କ୍ଷେତ୍ରରେ ଆମେରିକାଠାରୁ ବହୁ ଆଗରେ ଅଛି।”
ଆମେରିକାର ନିର୍ବାଚନ ପ୍ରକ୍ରିୟାକୁ ସୁଧାରିବା ପାଇଁ ଟ୍ରମ୍ପ ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ଏହି ନିର୍ଦ୍ଦେଶ ଅନୁସାରେ, ମତଦାତାମାନଙ୍କୁ ନିଜର ଆମେରିକୀୟ ନାଗରିକତ୍ୱ ପ୍ରମାଣ କରିବାକୁ ପଡ଼ିବ। ଏଥିପାଇଁ ଆମେରିକୀୟ ପାସପୋର୍ଟ, ଜନ୍ମ ପ୍ରମାଣପତ୍ର ଭଳି ଦଲିଲ ଦାଖଲ କରିବାକୁ ହେବ। ଏହା ସହିତ, ନିର୍ବାଚନ ଦିନ ପର୍ଯ୍ୟନ୍ତ କେବଳ ମେଲ-ଇନ୍ କିମ୍ବା ପୋଷ୍ଟାଲ ବ୍ୟାଲଟ୍ ମାଧ୍ୟମରେ ଦିଆଯାଇଥିବା ଭୋଟକୁ ଗଣନା କରାଯିବ। ଅଣ-ଆମେରିକୀୟ ନାଗରିକମାନଙ୍କୁ ନିର୍ବାଚନ ସମ୍ପର୍କିତ କିଛି ଦାନ ଦେବାରୁ ମଧ୍ୟ ବାରଣ କରାଯିବାର ପ୍ରସ୍ତାବ ରହିଛି।
ଏହି ପ୍ରସ୍ତାବ ଅନୁଯାୟୀ, ଆମେରିକାର ବିଭିନ୍ନ ରାଜ୍ୟକୁ ସେମାନଙ୍କ ମତଦାତା ତାଲିକା ଏବଂ ଏହାର ରକ୍ଷଣାବେକ୍ଷଣ ସମ୍ପର୍କିତ ରେକର୍ଡ ହୋମଲ୍ୟାଣ୍ଡ ସିକ୍ୟୁରିଟି ବିଭାଗ ଏବଂ ସରକାରୀ ଦକ୍ଷତା ବିଭାଗ (DOGE) ନିକଟରେ ସମୀକ୍ଷା ପାଇଁ ଜମା ଦେବାକୁ ପଡ଼ିବ। ଏହା ଦ୍ୱାରା ମତଦାତା ପଞ୍ଜୀକରଣ ଫର୍ମରେ ମଧ୍ୟ ପରିବର୍ତ୍ତନ ଆସିବ ବୋଲି କୁହାଯାଉଛି।
ଭାରତ-ଆମେରିକା ସମ୍ପର୍କର ପ୍ରଭାବ
ଭାରତ ଓ ଆମେରିକା ମଧ୍ୟରେ ବଢ଼ୁଥିବା ସମ୍ପର୍କକୁ ନେଇ ଟ୍ରମ୍ପ ମଧ୍ୟ ସକାରାତ୍ମକ ମନ୍ତବ୍ୟ ଦେଇଛନ୍ତି। ସେ ଭାରତର ନିର୍ବାଚନ ପ୍ରକ୍ରିୟାକୁ ଏକ ଉଦାହରଣ ଭାବେ ଗ୍ରହଣ କରି ଆମେରିକାରେ ସମାନ ସ୍ତରର ସୁରକ୍ଷା ଓ ଦକ୍ଷତା ଆଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏହା ଦେଖାଇଛି ଯେ ଭାରତର ସଫଳ ନିର୍ବାଚନ ମଡେଲ ଆମେରିକା ପରି ଶକ୍ତିଶାଳୀ ଦେଶ ପାଇଁ ମଧ୍ୟ ପ୍ରେରଣାର ଉତ୍ସ ହୋଇପାରେ।
ଉଲ୍ଲେଖଯୋଗ୍ୟ, ଯେତେବେଳେ ଦେଶରେ ବିରୋଧୀ ଇଭିଏମରେ ତ୍ରୁଟି ରହିଛି ଏବଂ ଆମେରିକା ଷ୍ଟାଇଲରେ ନିର୍ବାଚନ କରିବାକୁ ବିଭିନ୍ନ ମଞ୍ଚରେ ଦାବି କରୁଛନ୍ତି ସେତେବେଳେ ଆମେରିକାର ମୁଖିଆ ଭାରତର ନିର୍ବାଚନ ପ୍ରଣାଳୀକୁ ଖୋଲାଖୋଲି ପ୍ରଶଂସା କରିଛନ୍ତି ।
Comments are closed.