Latest Odisha News

ରୁଷକୁ ଆତଙ୍କବାଦ ପ୍ରାୟୋଜକ ଦେଶ ଭାବେ ତାଲିକାଭୁକ୍ତ କରିବ କି ଆମେରିକା ?

ଓ୍ୱାଶିଂଟନ: ଆମେରିକା ବୈଦେଶିକ ମନ୍ତ୍ରାଳୟର ଅଧିକାରୀମାନେ ରୁଷକୁ ଆତଙ୍କବାଦ ପ୍ରାୟୋଜକ ଦେଶ ଭାବେ ଘୋଷଣା କରିବା ଉପରେ ବିଚାର କରୁଛି । ଆମେରିକା ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ନେଡ୍ ପ୍ରାଇସ୍ ଅନ୍ତର୍ଜାତୀୟ ନ୍ୟୁଜ ଚ୍ୟାନେଲ ‘ସିଏନଏନ’କୁ ଦେଇଥିବା ଏକ ସାକ୍ଷାତକାରରେ ସେ ଏପରି କହିଛନ୍ତି । ଏଥିପାଇଁ ଆମେରିକା ସମସ୍ତ ତଥ୍ୟ ଓ ଆଇନ ଗତ ଦିଗ ଉପରେ ବିଚାର ବିମର୍ଶ କରୁଛି ବୋଲି ସେ ସାକ୍ଷାତକାରରେ କହିଛନ୍ତି।

ରୁଷର ଖବର ସରବରାହ ସଂସ୍ଥା ‘ସ୍ପୁଟନିକ’ର ରିପୋର୍ଟ ଅନୁଯାୟୀ, ଗତ ସପ୍ତାହରେ ରୁଷକୁ ଆତଙ୍କବାଦ ପ୍ରାୟୋଜକ ଦେଶ ତାଲିକାରେ ସାମିଲ କରିବାକୁ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଅନୁରୋଧ କରିଛନ୍ତି। ଏହାପରେ ସିଏନଏନକୁ ନେଡ୍ ପ୍ରାଇସ ଏପରି କିଛି ପ୍ରତିକ୍ରିୟା ରଖିଛନ୍ତି।

ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ୟୁକ୍ରେନ ଗସ୍ତ କରିବାର କୌଣସି ଯୋଜନା ନାହିଁ ବୋଲି ଆମେରିକା ସରକାର କହିଛି।  ହ୍ୱାଇଟ୍ ହାଉସର ମୁଖପାତ୍ର  ଜେନ୍ ସାକି କହିଛନ୍ତି ଯେ ବାଇଡେନ୍ ପ୍ରଶାସନ କିଭକୁ ଜଣେ ଉଚ୍ଚସ୍ତରୀୟ ଆମେରିକୀୟ ଅଧିକାରୀଙ୍କୁ ପଠାଇବାର ଯୋଜନା ରଖିଛନ୍ତି । କିନ୍ତୁ ବାଇଡେନ ଏବେ କିଭ୍ ଯିବାର କାର୍ଯ୍ୟକ୍ରମ ନାହିଁ । ଏହା ପୂର୍ବରୁ ୟୁକ୍ରେନକୁ ଅତିରିକ୍ତ 800 ନିୟୁତ ଡଲାରର ସାମରିକ ସହାୟତା ଘୋଷଣା କରିଥିଲା ଆମେରିକା।

ପୂର୍ବ ୟୁକ୍ରେନରେ ରୁଷିଆ ବଡ଼ ଧରଣର ଆକ୍ରମଣ କରିବ ବୋଲି ଓ୍ୱାଶିଂଟନ୍ ଚେତାବନୀ ଦେଇଛି । ହ୍ୱାଇଟ୍ ହାଉସ୍ ସୂତ୍ରରୁ ଏହି ସୂଚନା ମିଳିଛି । ରାଷ୍ଟ୍ରପତି ଜୋ ବାଇଡେନ ମଙ୍ଗଳବାର ୟୁକ୍ରେନକୁ ସମର୍ଥନ ଏବଂ ରୁଷିଆ ବିରୋଧରେ ପ୍ରତିବନ୍ଧକ ଉପରେ ଆଲୋଚନା କରିବା ପାଇଁ ଆମେରିକାର ସହଯୋଗୀ ଏବଂ ଅଂଶୀଦାରମାନଙ୍କ ସହିତ ଏକ ଭିଡିଓ କନଫରେନସିଂ ଜରିଆରେ ବୈଠକ କରିବେ।

Comments are closed.