Latest Odisha News

ଭାରତ ଆସିବ ୨୬/୧୧ ମୁମ୍ବାଇ ଆକ୍ରମଣ ଘଟଣାର ଅଭିଯୁକ୍ତ ତହବୁର

ନୂଆଦିଲ୍ଲୀ: ୨୬/୧୧ ମୁମ୍ବାଇ ଆକ୍ରମଣ ଘଟଣାର ଅଭିଯୁକ୍ତକୁ ଅଣାଯିବ ଭାରତ । ଅନ୍ୟତମ ଅଭିଯୁକ୍ତ ତହବୁର ରାଣାକୁ ପ୍ରତ୍ୟର୍ପଣ କରିବ ଆମେରିକା । ଏନେଇ ଆମେରିକାର ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି । ତହବୁର ପକ୍ଷରୁ କରାଯାଇଥିବା ଆବେଦନକୁ କୋର୍ଟ ଖାରଜ କରିଦେବା ସହ ଭାରତ ପ୍ରତ୍ୟର୍ପଣ ପାଇଁ ଅନୁମତି ଦେଇଛନ୍ତି ।

ପାକିସ୍ତାନର ମୂଳବାସିନ୍ଦା ତହବୁର ରାଣା ଅନେକ ଦିନ ଧରି କାନାଡାରେ ବ୍ୟବସାୟ କରୁଥିଲା । ୨୬/୧୧ରେ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଅନ୍ୟ ଏକ ମୁଖ୍ୟ ଅଭିଯୁକ୍ତ ଥିଲା ତହବୁର। ଭାରତ ତରଫରୁ ତାକୁ ମୋଷ୍ଟ ୱାଣ୍ଟେଡ ମଧ୍ୟ ଘୋଷଣା କରାଯାଇଥିଲା । ଏଫବିଆଇ ରାଣାଙ୍କୁ ୨୦୦୯ରେ ଚିକାଗୋରୁ ଗିରଫ କରିଥିଲା ​​। ଗିରଫ ପରେ ଆମେରିକା ଲସ୍ ଏଞ୍ଜଲସ୍ ଜେଲରେ ରହିଆସୁଥିଲା ତହବୁର । ତହବୁରକୁ ଫେରାଇ ଆଣିବାକୁ ଅନେକ ଦିନ ଧରି ଦାବି କରି ଆସୁଥିଲା ଭାରତ । କିନ୍ତୁ ଏହି ମାମଲାର ସମୀକ୍ଷା ପାଇଁ ଗତ ନଭେମ୍ବର ୧୩ ତାରିଖରେ ଆମେରିକା ସୁପ୍ରିମକୋର୍ଟରେ ଆବେଦନ କରିଥିଲା ତହବୁର । ହେଲେ କୋର୍ଟ ତହବୁରର ଆବେଦନକୁ ଖାରଜ କରି ଭାରତ ପ୍ରତ୍ୟର୍ପଣ ପାଇଁ ଅନୁମତି ଦେଇଛନ୍ତି ।

କୁହାଯାଉଛି ଯେ, ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଡେଭିଡ ହେଡଲୀକୁ ସହାୟତା କରିଥିଲା ତହବୁର । ମୁମ୍ବାଇର କେଉଁ କେଉଁ ସ୍ଥାନରେ ଆକ୍ରମଣ କରାଯିବ ତାର ଏକ ବ୍ଲୁ ପ୍ରିଣ୍ଟ ପାକିସ୍ତାନୀ ଆତଙ୍କବାଦୀଙ୍କୁ ଦେଇଥିଲା ତହବୁର । ସେ ପାକିସ୍ତାନର ଆଇଏସଆଇ ଏବଂ ଲସ୍କର-ଏ-ତାଏବାର ଜଣେ ଅପରେଟିଭ୍ ବୋଲି କୁହାଯାଉଛି । ତହିବୁର ରାଣା ଓ ଡେଭିଡ ହେଡଲୀ ମଧ୍ୟରେ ପିଲାଦିନରୁ ବନ୍ଧୁତା ରହିଛି । ପାକିସ୍ତାନ ସେନାରେ ଡାକ୍ତର ଭାବେ କାମ କରିବା ପରେ ତହିବୁର ରାଣା କାନାଡ଼ା ପଳାଇଥିଲା । ଏଥିସହ ସେ କାନାଡା ନାଗରିକତ୍ବ ମଧ୍ୟ ହାସଲ କରିଥିଲା ।

 

Comments are closed.