Latest Odisha News

BREAKING NEWS

ଉତ୍କଳ ବିଶ୍ୱବିଦ୍ୟାଳୟର ୫୨ତମ ସମାବର୍ତ୍ତନ ଉତ୍ସବ, ‘ପ୍ରତିଭା ଓ ଦକ୍ଷତାର ଅଭାବ ନାହିଁ’: ରାଜ୍ୟପାଳ

ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କ ନିକଟରେ ପ୍ରତିଭା ଓ ଦକ୍ଷତାର ଅଭାବ ନାହିଁ । ସେମାନେ ଭଲ ପରିବେଶ ଓ ପ୍ରୋତ୍ସାହନ ପାଇଲେ ସମୟ ଭିତ୍ତିକ ପ୍ରଦର୍ଶନ କରିପାରିବେ । ପ୍ରଯୁକ୍ତି ବିଦ୍ୟା ଚେତନାରେ ରୂପାନ୍ତରିତ ହେବା ଦରକାର । ଫଳରେ ଛାତ୍ରଛାତ୍ରୀମାନେ ସଫଳତାର ଅନ୍ତିମ ସୋପାନରେ ପହଞ୍ଚି ପାରିବେ। ମଣିଷ ଭୌତିକ ଜଗତରେ ବାସ କରୁଛି, କିନ୍ତୁ ତାର ଉତ୍ତରଣ ଏକାନ୍ତ ଆବଶ୍ୟକ। ଉତ୍ତରଣ ପାଇଁ ବିଦ୍ୟା ସହିତ ଅଧ୍ୟାତ୍ମ ସମ୍ପର୍କ ହେବା ଦରକାର ।

ଶିକ୍ଷା ହେଉଛି ନିଜ ସହିତ ନିଜକୁ ପରିଚୟ କରାଇବା । କାରଣ ପ୍ରତ୍ୟେକ ଛାତ୍ରଛାତ୍ରୀ ହେଉଛନ୍ତି ଅନନ୍ୟ । ସେମାନଙ୍କ ଭିତରେ ଅନନ୍ତ ସମ୍ଭାବନା ଓ ସାମର୍ଥ ରହିଛି। ଏହାକୁ କିଭଳି ଉପଯୋଗ କରିହେବ ତାହା ଶିକ୍ଷା ହିଁ ବତାଇଥାଏ ଏବଂ ଏଭଳି ଶିକ୍ଷାର ସବୁବେଳେ ଆବଶ୍ୟକତା ରହିଛି ବୋଲି ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି ।

ଉତ୍କଳ ବିଶ୍ବବିଦ୍ୟାଳୟର ୫୨ତମ ସମାବର୍ତ୍ତନ ଉତ୍ସବରେ ଅଧ୍ୟକ୍ଷତା ଅଭିଭାଷଣ ରଖି ପ୍ରଫେସର ଗଣେଶୀ ଲାଲ କହିଥିଲେ, ସମଗ୍ର ପୃଥିବୀରେ ପ୍ରେମର ମରୁଡ଼ି ପଡ଼ିଛି । ପ୍ରେମ ହିଁ ମଣିଷର ମୁଖ୍ୟ ଉପଜୀବ୍ୟ । ପ୍ରେମ ବିହିନ ସମାଜର ଦୁଃଖ ଓ ଦୁର୍ଦ୍ଦଶା ମଣିଷ ଅନୁଭବ କରୁଛି । ଆସନ୍ତୁ ଜୀବନ, ସମାଜ ଓ ସମ୍ପର୍କକୁ ପ୍ରେମରେ ଭରି ଦେବା। କାରଣ ପ୍ରେମର ବିକଳ୍ପ ନାହିଁ। ପୃଥିବୀରେ ସୀମାକୁ ନେଇ ସବୁବେଳେ ଦେଖାଦେଇଛି । ସୀମା ହିଁ ସମସ୍ତ ବିପଦର କାରଣ। ସୀମାକୁ ଯଦି ଅନ୍ତର୍ହିତ କରିପାରିବ ପୃଥିବୀର ଅନେକ ଦୁଃଖ ଓ ଘନଘଟା ଦୂରେଇ ଯିବ ବୋଲି କୁଳାଧିପତି ପ୍ରକାଶ କରିଥିଲେ ।

ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ତଥା ଓଡ଼ିଶା ହାଇକୋର୍ଟର ପ୍ରାକ୍ତନ ମୁଖ୍ୟ ବିଚାରପତି ଜଷ୍ଟିସ୍ ଭି. ଗୋପାଲ ଗୌଡା ଯୋଗଦେଇ ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ କରିଥିଲେ। ଜଷ୍ଟିସ ଭି.ଗୋପାଲ ଗୌଡ଼ା କହିଥିଲେ ଯେ ଶିକ୍ଷା ସଫଳତାର ପଥ ପ୍ରଦର୍ଶକ , ସମାଜ ଗଠନର ମୂଳବୀଜ । ଜୀବନରେ ନକାରାତ୍ମକ ଭାବନାକୁ ଦୂରେଇ ସକରାତ୍ମକ ଚିନ୍ତାଧାରାକୁ ଆପଣାଇବା ଦ୍ବାରା ଜଣେ ଛାତ୍ର ନିଜର ଶିକ୍ଷାର ସାର୍ଥକତାକୁ ବୁଝିପାରିବ। ପ୍ରତ୍ୟେକ ବ୍ୟକ୍ତିଶିକ୍ଷିତ ହେଲେ ସମାଜ ଶିକ୍ଷିତ ହେବ ଏବଂ ଡିଗ୍ରୀ ପାଇବା ପରେ ଶିକ୍ଷା ଶେଷ ହୁଏ ନାହିଁ ବରଂ ଏହାର ପ୍ରୟୋଗାତ୍ମକ ପ୍ରକ୍ରିୟା ଏଠାରୁ ଆରମ୍ଭ ହୋଇଥାଏ ବୋଲି ଜଷ୍ଟିସ ଗୌଡ଼ା ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ଜଷ୍ଟିସ ଭି.ଗୋପାଲ ଗୌଡ଼ାଙ୍କୁ ସମ୍ମାନସୂଚକ ଡକ୍ଟୋରେଟ୍‍ ଡିଗ୍ରୀ ପ୍ରଦାନ କରାଯାଇଥିଲା।

ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ସମାବର୍ତ୍ତନ ଉତ୍ସବ ଜୀବନର ଗୋଟିଏ ପର୍ୟ୍ୟାୟର ସମାପ୍ତିକୁ ଚିହ୍ନିତ କରେ ଏବଂ ଅନ୍ୟଟି ଆରମ୍ଭ ହେବାକୁ ଯାଉଛି। ଏହାପରେ ଅନେକ ବିଭିନ୍ନ କ୍ଷେତ୍ରରେ ପ୍ରତିଭା ଓ ଦକ୍ଷତା ପ୍ରଦର୍ଶନ କରି ବାସ୍ତବ ଦୁନିଆରେ ପ୍ରବେଶ କରିବେ। ଏହି ପରିବର୍ତ୍ତନ ପ୍ରକ୍ରିୟାରେ ବିଶ୍ବବିଦ୍ୟାଳୟର ମୂଲ୍ୟବୋଧ ପ୍ରଣାଳୀ ଏବଂ ପ୍ରଶିକ୍ଷଣ ବିଶ୍ୱକୁ ସାମ୍ନା କରିବା ପାଇଁ ସମର୍ଥ ଦେବ। ଛାତ୍ରମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସହିତ ବିଶ୍ୱକୁ ସାମ୍ନା କରିବା ପାଇଁ ଦକ୍ଷତା ବିକାଶ ଶ୍ରୀ ସେଠୀ ଆହ୍ବାନ ଦେଇଥିଲେ।

ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ୟ୍ୟ ସ୍ବାଗତ ଭାଷଣ ଦେଇ ଉତ୍କଳ ବିଶ୍ବବିଦ୍ୟାଳୟର ବିଭିନ୍ନ ସଫଳତା ଉପରେ ଆଲୋକପାତ କରିଥିଲେ। ଓଡ଼ିଶା ପ୍ରଦେଶର ଉଚ୍ଚଶିକ୍ଷା କ୍ଷେତ୍ରରେ ନବପ୍ରେରଣାର ଭୂମିକା ନିର୍ବାହ କରି ଆସୁଥିବା ଏହି ଶିକ୍ଷାନୁଷ୍ଠାନର ରହିଛି ଏକ ସ୍ୱର୍ଣ୍ଣିମ ଇତିହାସ ଓ ସ୍ୱପ୍ନିଳ ଭବିଷ୍ୟତ। ବର୍ତ୍ତମାନ ବି ବହୁ ସଫଳତା, ପ୍ରଗତି ଓ ସିଦ୍ଧିରେ ସମୃଦ୍ଧ ଉତ୍କଳ ବିଶ୍ୱବିଦ୍ୟାଳୟ। କୁଳସଚିବ ଡ.ଅଭୟ କୁମାର ନାୟକ ବିବରଣୀ ପାଠ କରିଥିଲେ।

ଉତ୍କଳ ବିଶ୍ବବିଦ୍ୟାଳୟର ୫୨ତମ ସମାବର୍ତ୍ତନ ଉତ୍ସବରେ ବିଶିଷ୍ଟ ଶିକ୍ଷାବିତ ତଥା ଲୋକ ସଭା ସାସଂଦ ଡ. ଅଚ୍ୟୁତ ସାମନ୍ତ, ଏବଂ ଡିଆରଡିଓ ଏରୋନେଟିକାଲ ସିଷ୍ଟମର ଡାଇରେକଟର ଜେନେରାଲ ତଥା ବିଶିଷ୍ଟ ବୈଜ୍ଞାନିକ ଡ. ଟେସି ଥୋମାସଙ୍କୁ ସମ୍ମାନ ସୂଚକ ଡକ୍ଟରେଟ ଡିଗ୍ରୀ ପ୍ରଦାନ କରାଯାଇଥିଲା। ସେହିପରି ୨୦୨୧-୨୨ ଶିକ୍ଷାବର୍ଷରେ ଉତ୍ତୀର୍ଣ୍ଣ ହୋଇଥିବା ମୋଟ ୧୬୩ଜଣ ଛାତ୍ରଛାତ୍ରୀଙ୍କୁ ପିଏଚ୍‍ଡି ଡିଗ୍ରୀ ଏବଂ ଜଣଙ୍କୁ ଡିଏସି ଓ ଅନ୍ୟ ଜଣଙ୍କୁ ଡିଲିଟ ଡିଗ୍ରୀ ଉପାଧି ପ୍ରଦାନ କରାଯାଇଥିଲା। ବିଶ୍ୱବିଦ୍ୟାଳୟର ବିଭିନ୍ନ ପିଜି ପାଠ୍ୟକ୍ରମରେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ହାସଲ କରିଥିବା ୯୯ଜଣ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣ ପଦକ ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।

ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ଦୁର୍ଗାଶଙ୍କର ପଟ୍ଟନାୟକ, ପ୍ରଫେସର ମିତାଲି ଚିନ୍ନାରା, ପ୍ରଫେସର ନିଗମାନନ୍ଦ ଦାଶ, ପ୍ରଫେସର କବୀର ମୋହନ ସେଠୀ, ପରୀକ୍ଷା ନିୟନ୍ତ୍ରକ ଡ.ଶରତ କୁମାର ମାଝୀଙ୍କ ସମେତ ବିଶ୍ୱବିଦ୍ୟାଳୟର ସିଣ୍ଡିକେଟ ଓ ଏକାଡେମିକ କାଉନସିଲ ସଦସ୍ୟ, ଡିନ, ପ୍ରଫେସର, କର୍ମଚାରୀ ଓ ଛାତ୍ରଛାତ୍ରୀ ଏହି ସମାବର୍ତ୍ତନ ଉତ୍ସବରେ ଯୋଗଦେଇଥିଲେ।

Leave A Reply

Your email address will not be published.