ଭୁବନେଶ୍ବର: ଆଜି ୮୧ ବର୍ଷରେ ପଦାର୍ପଣ କଲା ଉତ୍କଳ ବିଶ୍ବବିଦ୍ୟାଳୟ । ଆଗାମୀ ୧୯ ବର୍ଷରେ ଅଧିକ ସଫଳତା ପାଇବ ଓ ପରିବର୍ତ୍ତନ ଧାରାରେ ସାମିଲ ହେବ । ଏହା ସହ ୧୦୦ ବର୍ଷ ପୂରଣ ଲାଗି ନିରନ୍ତର ପ୍ରତିବଦ୍ଧତା ଜାରି ରଖି ବିଶ୍ବସ୍ତରରେ ନିଜର ସ୍ବତନ୍ତ୍ରତା ବଜାୟ ରଖିବ । ଏହି ପ୍ରତିବଦ୍ଧତା ପରବର୍ତ୍ତୀ ପିଢ଼ିର ଗବେଷଣା ଏବଂ ନବସୃଜନକୁ ଆକାର ଦେବା ସାଙ୍ଗକୁ ବିଦ୍ୟାର୍ଥୀଙ୍କ ସ୍ବପ୍ନ ପୂରଣ କରିବାରେ ବିଶ୍ବବିଦ୍ୟାଳୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।
ପ୍ରଗତିଶୀଳ ଶିକ୍ଷା ନୀତି ସହିତ ଉତ୍କର୍ଷର ସମର୍ପଣ ଭାବ ହିଁ ଜ୍ଞାନର ବିକାଶ ଏବଂ ଶୈକ୍ଷିକ ପରିବର୍ତ୍ତନ ଧାରା ଜାରି ରଖିବାରେ ସହାୟକ ହେବ, ଯାହା ଭବିଷ୍ୟତର ଦୃଷ୍ଟିଭଙ୍ଗୀକୁ ସୁନିଶ୍ଚିତ କରିବ । ଶିକ୍ଷା, ଗବେଷଣା, ପ୍ରଯୁକ୍ତି ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା ଉତ୍କଳ ବିଶ୍ବବିଦ୍ୟାଳୟକୁ ବିଶ୍ବସ୍ତରୀୟ କରାଯିବା ପାଇଁ ପ୍ରୟାସ ଜାରି ରହିଛି । ଉତ୍କଳ ବିଶ୍ବବିଦ୍ୟାଳୟ ସର୍ବଦା ଗୁଣାତ୍ମକ ଶିକ୍ଷା ଓ ଗବେଷଣାକୁ ଗୁରୁତ୍ବ ଦେଉଛି ଏବଂ ଭବିଷ୍ୟତର ନେତୃତ୍ୱ ନେଉଥିବା ବିଦ୍ୟାର୍ଥୀ ସୃଷ୍ଟି କରୁଛି ବୋଲି କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ପ୍ରକାଶ କରିଛନ୍ତି ।
ଉତ୍କଳ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠା ଦିବସ ଅବସରରେ କୁଳପତି ଆଚାର୍ଯ୍ୟ କହିଛନ୍ତି ଯେ, ବିଜ୍ଞାନ ଓ ଗବେଷଣା ଆମର ଅଗ୍ରଣୀ ନବସୃଜନ । ଏହା ମାନବ ଏବଂ ସମାଜ ମଧ୍ୟରେ ଅନେକ ପ୍ରକାରର ଆନ୍ତଃବିଷୟକ ସହୟୋଗକୁ ପ୍ରୋତ୍ସାହିତ କରିପାରିବ। ଏକ ଉତ୍ତମ ଏବଂ ସର୍ବାଙ୍ଗୀନ ଶିକ୍ଷା ହେଉଛି ସେହି ଶିକ୍ଷା ଯାହା ଉଭୟ ବିଜ୍ଞାନ ଏବଂ ମାନବତାକୁ ଦିଗ୍ ଦର୍ଶନ ଦେଇଥାଏ । ଏହା କେବଳ ଜ୍ଞାନର ସେତୁ ନୁହେଁ ବରଂ ଆମର ଆନ୍ତଃସଂଯୁକ୍ତ ବିଶ୍ୱ ସମାଜର ଜ୍ଞାନ ଜଟିଳତାକୁ ମଧ୍ୟ ଖୋଜି ବାହାର କରିଥାଏ ।
ଆଜି ଗବେଷଣା ଏବଂ ନବସୃଜନ ଉପରେ ଗୁରୁତ୍ବ ଦିଆଯାଉଛି, ଯାହା ଗବେଷକଙ୍କୁ ପ୍ରୋତ୍ସାହିତ କରିବ ଏବଂ ଜ୍ଞାନର ସୀମାକୁ ଆଗକୁ ବଢ଼ାଇବ । ନୂତନ ଶିକ୍ଷା ନୀତି ବିଶ୍ବବିଦ୍ୟାଳୟ ନୈତିକ ମାନସିକତା ସୃଷ୍ଟି ଏବଂ ବିଜ୍ଞାନର ଉନ୍ନତି ଓ ମଣିଷର ଅଧ୍ୟୟନ ଉପରେ ଗୁରୁତ୍ୱ ଦେଉଥିବାରୁ ବିଶ୍ବବିଦ୍ୟାଳୟ ଏ ଦିଗରେ କାର୍ଯ୍ୟ କରିବ ବୋଲି କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ପ୍ରକାଶ କରିଛନ୍ତି ।
ରେଭେନ୍ସା ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ପ୍ରକାଶ ଷଡ଼ଙ୍ଗୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ବ୍ୟକ୍ତି ଓ ଅନୁଷ୍ଠାନର ପୁନଃ ଆବିଷ୍କାର, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଡିପଫେକ, ଶିକ୍ଷାଦାନରେ ନୂତନ ପ୍ରଯୁକ୍ତି ବିଦ୍ୟା ବ୍ୟବହାର, ସର୍ଜନଶୀଳ ଜ୍ଞାନର ବିକାଶ ଆଦି ଉପରେ ବକ୍ତବ୍ୟ ରଖିଥିଲେ ।
ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ନବନୀତା ରଥ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ କୁଳସଚିବ ଡ. କାହ୍ନୁଚରଣ ଧୀର ବିବରଣୀ ପାଠ କରିଥିଲେ । ଛାତ୍ର ମଙ୍ଗଳ ନିର୍ଦ୍ଦେଶକ ପ୍ରଫେସର ମିତାଲି ଚିନ୍ନାରା ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ।
Comments are closed.