ପବିତ୍ର ମୋହନ ଦାଶ
ବେଳେବେଳେ ଗୋପ ନିଜକୁ ପ୍ରଶ୍ନ କରେ । ଉଲ୍ଲସିତ , ବିସ୍ମିତ କରି ଦେଉଥିବା ସୁଖ ପୁଣି ଭାଙ୍ଗି ଖଣ୍ଡ ଖଣ୍ଡ କରି ପକାଉଥିବା ଆଘାତ କଣ ଏକ ସଙ୍ଗରେ ଆସନ୍ତି ? ୧୮୯୮ ଅନ୍ୟସବୁ ବର୍ଷ ପରି ବର୍ଷଟିଏ ମାତ୍ର , ହେଲେ ଗୋପ ଲାଗି ତିନିଶହ ପଞ୍ଚଷଠୀ ଦିନ କେତେ ନାଇଁ କେତେ ହରଷ ଆଉ ବିଷାଦର ଉପାଦାନରେ ଗଢ଼ା । ଏ ବର୍ଷ ତା ଜୀବନରେ ଯାହା ଯାହା ଘଟି ଚାଲିଛି ସେସବୁ କେମିତି ତାକୁ ବାଧ୍ୟ କରୁଛି ଏମିତି ଘାରି ହେବା ଲାଗି । ଗୋପର ମନ ଗହୀରରେ ଚନ୍ଦ୍ର କବିତାଟିର ସେଇ ଧାଡି଼ଗୁଡିକ କେତେବେଳେ କେମିତି ଭାସି ଉଠେ । କବିତାଟି ପଠାଯାଇଛି ଉତ୍କଳ ସାହିତ୍ୟକୁ । ବୈଦ୍ୟନାଥ , ଗୋପୀନାଥ ପ୍ରମୁଖଙ୍କ ପ୍ରେରଣାରେ ସେ ପୁଣି କବିତା ଆଡକୁ ଢଳିଛି । ସେ ଜାଣେ ଉତ୍କଳ ସାହିତ୍ୟର ସମ୍ପାଦକ ବିଶ୍ଵନାଥ କର ବଡ଼ ନିଷ୍ଠାପର । ତାଙ୍କ ସାହିତ୍ୟ ପତ୍ର ଲାଗି ଆସୁଥିବା ଲେଖାଗୁଡିକ ବଡ଼ ଟିକି ନିଖି ଭାବେ ପରୀକ୍ଷା କରନ୍ତି । ଟିକେ କେଉଁଠି ତାଙ୍କ ମନକୁ ନଘେନିଲେ ଲେଖକ ସହ ଯୋଗାଯୋଗ କରନ୍ତି । ଯଦି କାହାର ଲେଖା ତାଙ୍କୁ ସୁଖକର ମନେ ହୁଏ ତା ଉପରେ ଅବଶ୍ୟ ସମ୍ପାଦକୀୟ ଟିପ୍ପଣୀ କରନ୍ତି । ଜଣେ ଯେତେ ନାଁ କରା ଲେଖକ ହୋଇଥାଉ ପଛେ ମନକୁ ନ ଛୁଇଁଲେ ସେ ତାକୁ ସସମ୍ମାନେ ପ୍ରତ୍ୟାଖ୍ୟାନ କରନ୍ତି । ହେଲେ କାହା ଲେଖାରେ ସ୍ଫୁଲିଙ୍ଗ ଅଛି ଆଉ ସମ୍ପାଦକ ତାକୁ ଅଣଦେଖା କରିଛନ୍ତି ଏପରି କଦାଚ ହେବାର ନୁହେଁ । ଏପରି ଜଣେ ସମ୍ପାଦକଙ୍କ ପାଖରେ ନିଜର ଲେଖା ପହଁଚିବା ବଡ଼ କଥା । ଗୋପ ଅପେକ୍ଷାରେ ଥାଏ । ଅପେକ୍ଷା ନିଷ୍ଫଳ ହୁଏନା । ଉଲ୍ଲାସର ବିଷୟ ଯେ ଉତ୍କଳ ସାହିତ୍ୟର ଦ୍ୱିତୀୟ ବର୍ଷ ପଞ୍ଚମ ସଂଖ୍ୟାରେ ଲେଖାଟି ପ୍ରକାଶ ପାଏ । ମେ ମାସ ଶେଷ ଆଡକୁ ଗୋପ ହାତରେ ପତ୍ରିକା ପଡ଼େ । ତରୁଣ କବିର ପ୍ରଥମ ପ୍ରକାଶିତ କବିତା । ଛପା ଅକ୍ଷରରେ ‘ଚନ୍ଦ୍ର’ କବିତାଟି ଦେଖି ଗୋପ ଆତ୍ମହରା ହୁଏ । ଭିତରୁ କେଉଁଠି ଅନୁଭବ କରେ ତାର ସର୍ଜନାକୁ ସ୍ଵୀକୃତି ମିଳିଛି । ସ୍ଵୀକୃତି , ସମ୍ମାନ ଆଉ କଣ – ଲେଖା ପାଠକ ପାଖରେ ପହଞ୍ଚିବା ଓ ସେମାନଙ୍କ ଲାଗି ରୁଚିକର ହେବା । ଏ ପ୍ରକାଶନ ଲାଗି ବନ୍ଧୁମାନଙ୍କଠାରୁ ଅଭିନନ୍ଦନ ବି ମିଳେ । ପଛକୁ ପଛ ଖଞ୍ଜା ହୋଇ ରହିଥାଏ ଆହୁରି ବଡ଼ ଖବର ।
ଜୁଲାଇ ମାସରେ କଲିକତା ବିଶ୍ୱବିଦ୍ୟାଳୟର ଏଣ୍ଟ୍ରାନ୍ସ ପରୀକ୍ଷା ଫଳ ପ୍ରକାଶ ପାଏ । ଦୁଇ ତାରିଖରେ “ଦୀପିକା”ର ପୃଷ୍ଠାରେ ଛପା ହୋଇଥାଏ ବୈଦ୍ୟନାଥ , ଗୋପୀନାଥ ଓ ଗୋପର ନାଁ । ତିନିହେଁ ଉତ୍ତୀର୍ଣ୍ଣ ହୋଇଥାନ୍ତି ପ୍ରଥମ ଶ୍ରେଣୀରେ । ପୁରୀର ଏ ତ୍ରିମୂର୍ତ୍ତି ସୌଭାଗ୍ୟକୁ ବୃତ୍ତି ପାଇବାକୁ ମଧ୍ୟ ଯୋଗ୍ୟ ବିବେଚିତ ହୋଇଥାନ୍ତି । କେତେଜଣ ବା ଏଣ୍ଟ୍ରାନ୍ସ ପାସ୍ କରୁଛନ୍ତି ପୁଣି ପ୍ରଥମ ଶ୍ରେଣୀରେ । ତେଣୁ ଚାରିଆଡୁ ସୁଅ ଛୁଟେ ଅଭିନନ୍ଦନର । ପ୍ରଥମେ ଗୋପର ଭାବଗୁରୁ , ଅଭେଦାତ୍ମା ରାମଚନ୍ଦ୍ର ଅଭିବାଦନ କରନ୍ତି । ଦେଖିଲେ ମନେ ହେଉଥାଏ ସେ ନିଜେ ଯେପରି ବଡ଼ କିଛି ହାସଲ କରିଛନ୍ତି । ଦିବାକାର ଦାସ ମଧ୍ୟ ଫଳାଫଳରେ ନିଜର ଖୁସି ବ୍ୟକ୍ତ କରନ୍ତି । ପୁରୀଠାରୁ ସତ୍ୟବାଦୀ ଏପରିକି ଗାଁ ଯାଏଁ ଏ ଆନନ୍ଦର ଲହରୀ ଖେଳେ । ଲୋକେ ଭାବନ୍ତି ଏ ତ୍ରିମୂର୍ତ୍ତି ନିଶ୍ଚେ ଗୋରା ଶାସନରେ ବଡ଼ ପଦବୀ ହାସଲ କରିବେ । ନାରଣ ଭାଇନାଙ୍କ ଗୋଡ଼ ତଳେ ପଡୁନଥାନ୍ତା । ହେଲେ ଯିଏ ଏ ଖବରରେ ସବୁଠୁଁ ବେଶି ଆନନ୍ଦିତ ହୋଇଥାନ୍ତେ , ଯିଏ ଗୋପ ଲାଗି ପିଲାଟି ଦିନୁ କେତେ ସ୍ବପ୍ନ ଦେଖିଥିଲେ , ତାକୁ କେମିତି ବ୍ୟବସ୍ଥିତ ଶିକ୍ଷା ମିଳିବ ସେଥିଲାଗି କେତେ ଯୋଜନା କରିଥିଲେ ସେଇ ନନା ପଡିଥିଲେ ବାଧିକାରେ । ଏ ଖବର ଶୁଣି ସେଥିରେ ଉଲ୍ଲସିତ ହେବା ଅବସ୍ଥାରେ ସେ ଆଉ ନଥିଲେ । କବିରାଜୀ , ଡାକ୍ତରୀ ସବୁ ଔଷଧ ବ୍ୟର୍ଥ ହୋଇଗଲା । ଚରମକ୍ଷଣକୁ ସତାର କରିବା ଛଡା ଆଉ କିଛି ବାଟ ନଥିଲା । ଦିନେ ଘଟିଲା ସେଇ ଅପ୍ରତ୍ୟାଶିତ ଘଟଣା । ଦୈତାରୀ ହରି ଛାଡିଲେ । ମୁକ୍ତିଆର ଚାଲିଗଲେ ବୋଲି ସୁଆଣ୍ଡୋରୁ ସତ୍ୟବାଦୀ , ବଳଙ୍ଗାରୁ ଗବକୁଣ୍ଡ ସବୁଆଡେ ଚହଳ ପଡିଲା । ପୁଅର ଖୁସି ଖବରରେ ସାମିଲ ହେବାକୁ ବେଶି ଦିନ ରହିଲେ ନାହିଁ ନନା । କଥାକଥାକେ ‘ଛାତ୍ରାଣାଂ ଅଧ୍ୟୟନ ତପଃ’ କହୁଥିବା , ଗାଁ କଳିରେ ଭାଗବତ ପଦାବଳୀ କହୁଥିବା , ବିନୋଦ ବିହାରୀଙ୍କ ପାଖରେ ଆପଦରେ ସମର୍ପଣ କରୁଥିବା , ପିଲାଦିନେ ତାର ଦର ପାକଳ ଗୀତକୁ ପଢି ତାକୁ ଉତ୍ସାହ ଦେଉଥିବା , ସେ ଦଶରେ ଜଣେ ହୋଇ ଠିଆ ହେଉ , ଦେଖାଯାଉ ବୋଲି ଯାଚଜ୍ଞା କରୁଥିବା ନନା ଯେ ଏମିତି ଛାଡ଼ି ଚାଲିଯିବେ ଏ ଦୁଃସ୍ବପ୍ନ ଗୋପ କେବେ ବି ଦେଖିନଥିଲା । କୋହରେ ଅଧୀର ଲୁହରେ ଧାରସାର ଗୋପର ମନରେ ସେଇ ପୁରୁଣା ପ୍ରଶ୍ନ ଆହୁରି ଗହୀରିଆ ଦାଗ କରିଦେଇଗଲା । ଅଦୃଷ୍ଟ ତାକୁ କି ଇଙ୍ଗିତ ଦେବାକୁ ଚାହେଁ ? ଉଲ୍ଲାସ ବେଳେ ଆଘାତ ଦେଇ ତାକୁ କି ଶିକ୍ଷା ଦେବାକୁ ଚାହେଁ ? ତା ଜୀବନ ବୀଣାର ତାରକୁ ଏମିତି ଆଘାତ କରି ସେଥିରୁ କି ଝଙ୍କାର ଶୁଣିବାକୁ ଇଚ୍ଛା କରେ ?
ଏମିତି କେତେ ଜିଜ୍ଞାସାରେ ଆନ୍ଦୋଳିତ ହେଲେ ବି ଅନ୍ତରରୁ କିଛି ଉତ୍ତର ଆସୁ ନଥିଲା । ଶେଷକୁ ଗୋପ ନିଜକୁ ନିଜେ ଶୁଣାଉଥିଲା । ଏ ସଂସାରରେ ସାର ବୋଲି କିଛି ନାହିଁ । ଏଠି ଜନ୍ମ ହୋଇଥିବା ସବୁ ଜୀବ ଏମିତି ଆଉଟି ହେଉଛନ୍ତି ! ସେ ଏମିତି କିଏ ଯେ ତା ଲାଗି ବଦଳିଯିବ ଅଦୃଷ୍ଟର ବିଧାନ ? ନନାଙ୍କ କ୍ରିୟାକର୍ମ ବେଳେ ମୁଣ୍ଡିତ ହେଲାବେଳେ ଗୋପ ନିଜକୁ ନିଜେ ତାତ୍ସଲ୍ୟ କରି କହିଥିଲା , “ବୋଉ ଯାଇଥିଲା ଏବେ ନନା ଗଲେ । ଛେଉଣ୍ଡ ହେବାର ପ୍ରକ୍ରିୟା ପୂରଣ ହେଲା ।
ବିଷର୍ଣ୍ଣ ଓ ଭାରୀ ମନ ନେଇ ଗୋପ ରେଭେନ୍ସାରେ ନାଁ ଲେଖାଏ । ବୈଦ୍ୟନାଥ ଓ ଗୋପୀନାଥ ମଧ୍ୟ ଏକା ରାହା ଧରନ୍ତି । ସେ ବର୍ଷର ଫରଚ୍ୟୁନେଟ ଫର୍ଟିନ୍ ଭିତରୁ ପ୍ରାୟ ସମସ୍ତେ ଆସନ୍ତି ରେଭେନ୍ସା । ତ୍ରିବିକ୍ରମ ପୂଜାରୀ , ସୂର୍ଯ୍ୟମଣି ଦାସ , ଜଗବନ୍ଧୁ ସିଂହ ପ୍ରମୁଖଙ୍କ ମେଳରେ ଅଧ୍ୟୟନର ତପସ୍ୟା ଚାଲେ ।
ଦିନେ ଭାବ ବିନିମୟ ଘଟେ ଜଣେ ନୂଆ ବନ୍ଧୁ ବ୍ରଜସୁନ୍ଦର ସହ ।
– “ତୁମ ଘର କେଉଁଠି ? “ଗୋପ ପଚାରେ ।
– “ଯାଜପୁରର କଣ୍ଟାବଣିଆ । – ମିଳେ ଉତ୍ତର ।
– “ଜନ୍ମ କେବେ ? ”
-“୧୮୮୦”।
– ” ଓହୋ , ମୋ ଠାରୁ ତିନିବର୍ଷ ସାନ ପରା । ହେଲେ ବି ଆମେ ମିତ୍ର । ଆଉ ଘର ବିଷୟରେ କିଛି କୁହ ।
– “ମୋ ବାପା ଶ୍ୟାମସୁନ୍ଦର ଡେପୁଟି ମାଜିଷ୍ଟ୍ରେଟ , ପିତାମହ ହରେକୃଷ୍ଣ ଦାସ ତାଙ୍କ ବେଳେ କମିଶନରଙ୍କର ବ୍ୟକ୍ତିଗତ ସହାୟକ ଥିଲେ । ଶ୍ବଶୁର ସୁଦାମ ଚରଣ ବି ଡେପୁଟି ମାଜିଷ୍ଟ୍ରେଟ ।
– “ଆଚ୍ଛା , ତୁମର ଖାଲି ଜମିଦାର ଘର ନୁହଁ ମାଜିଷ୍ଟ୍ରେଟ ଘର ବି ?” ଅଳ୍ପ ହସ ହସି ବ୍ରଜ ସୁନ୍ଦର କୁହନ୍ତି – “ଆମ ଜମିଦାରୀର କଚେରୀ ବିଂଝାରପୁର ନିକଟ କଏଣା ( ସୟେଦପୁର) ଗାଁରେ । ହେଲେ ତୁମ ବିଷୟରେ କିଛି କହିଲ ନାହିଁ ଯେ !”
-“ଆମ ଘର ସୁଆଣ୍ଡୋ ଶାସନ । ସତ୍ୟବାଦୀ ଅଦୂର । ନନା ମୁକ୍ତିଆର ଦୈତାରୀ ଦାସ । ନିକଟରେ ଦେହ ଛାଡିଛନ୍ତି । ”
-“ଥାଉ ଥାଉ ଦାସେ ତମେ ପଚାରିବାରୁ ମୁଁ ଏମିତି ପଚାରି ବସିଲି । ମୁଁ ଜାଣେ ତୁମେ ସେଇ ଗୋପବନ୍ଧୁ ଯିଏ ସାହସ କରି କବିବରଙ୍କୁ ବିଦ୍ରୁପ କରିପାରିଥିଲା । ମୁକ୍ତିଆର ରାମଚନ୍ଦ୍ର ଦାସ ତୁମ ଘଟଣା ଲେଖିଥିଲେ ଦୀପିକାରେ । ଏଠି ତୁମ ବିଷୟରେ କେତେ ଆଳାପ ଆଲୋଚନା ହୁଏ । ଗୋପ ଏକଥାରେ ଟିକେ ଅପ୍ରତିଭ ମନେ କରେ।
ବ୍ରଜ ସୁନ୍ଦର ମଜେଇ କହନ୍ତି , “ଆଜିଠୁଁ ଜାଣ ଦି ଦାସେ ଏକାଠି ହେଲେ । ଆମର ଜାଉଁଳିଆ ପଟି ଘରକୁ କେତେବେଳେ ଆସ ।
-” ସେଠି କଣ କରିବା ?”
– ” ଆହେ ଦେଶ କୁଆଡ଼କୁ ଯାଉଛି ସେ ଖବର ତୁମଠାରୁ ଆଉ କିଏ ବେଶି ଜାଣିଛି ! ଜମିଦାରୀ ଚୁଲିକୁ ଯାଉ , ପିତୃ ପିତାମହ ଖାତିର ଦୂରକୁ ଥାଉ । ତୁମେ ଆସ ଆତ୍ମ ମନ୍ଥନ କରିବା । ଜାଗରଣ ପାଇଁ ମନ ଦେବା ।
ବ୍ରଜସୁନ୍ଦରଙ୍କ ଭିତରେ ମକଦ୍ଦମୀ ଗୁମାନ ନାହିଁ କି ବଡ଼ଘରର ପୁଅ ବୋଲି ଗଉଁ ନାହିଁ ଜାଣି ଗୋପ ମନେ ମନେ ଖୁସି ହୁଏ। ତା’ ଭିତର ସ୍ଫୁଲିଙ୍ଗର ସନ୍ଧାନ ପାଇ ତାଙ୍କୁ କୁଣ୍ଢାଇ ଧରେ । ସେଇ ପାଖ ଦେଇ ଯାଉଥିବା ବୈଦ୍ୟନାଥ ଦୁଇ ବନ୍ଧୁଙ୍କ ଘନିଷ୍ଠତା ଦେଖି ଛିଗୁଲାନ୍ତି- “ଓହୋ ଏଣିକି ଦି’ ଦାସେ ଘଣି ପରା ! ପୁରୀ ଦିନ ଆଉ ମନେ ପଡୁନି।” ଏମିତି ସମୟ ଗଡେ । ଗୋପକୁ ଅନେକ ବେଳେ ଲାଗେ ଯେମିତି ନନା ଠିଆ ହୋଇଛନ୍ତି ଆଉ କହୁଛନ୍ତି ଅଧ୍ୟୟନ ତପଃ । ତେଣୁ ପଢ଼ାପଢ଼ିକୁ ସେ ବ୍ରତ ଭଳି ଦେଖେ । କଲେଜିଏଟ ସ୍କୁଲର ଛାତ୍ରାବାସରେ ରହେ ଗୋପ । ସେଠିକୁ ଆସି ଜୁଟନ୍ତି ବଡ଼ମ୍ବାର ଲୋକନାଥ ପଟ୍ଟନାୟକ , ସମ୍ବଲପୁରର ଭରତଚନ୍ଦ୍ର ନାୟକ । ପୁରୀ ଭଳି ତୀର୍ଥକ୍ଷେତ୍ରର ପରିବେଶରୁ ଆସି କଟକ ନଗରରେ ପହଞ୍ଚିବା ପରେ ମଧ୍ୟ ଗୋପ ବିଶେଷ କିଛି ବଦଳି ନଥାଏ । ପିନ୍ଧା ବୋଇଲେ ସେଇ କଳାପାହାଡୀ ଧୋତି , ଦେହରେ କୁର୍ତ୍ତା କମିଜ ବୋଲି କିଛି ନଥାଏ । ଅନେକ ବେଳେ ପଡିଥାଏ ଖଣ୍ଡେ ପାତଳ ଘୋଡ଼ିହେଲା । ନୂଆ ସଉକି କିଛି ଘାରେ ନାହିଁ । ଚଳଣି ନିରାଡ଼ମ୍ବର , ଖାଇବା ଶସ୍ତା ମେସରେ ।ଶୋଇବା ଲାଗି ଗୋଟେ ସପ । ମୁଣ୍ଡ ତଳେ ତକିଆର କାମ ତୁଲାନ୍ତି ଦୁଇଖଣ୍ଡ ଇଟା । ସଞ୍ଜ ବୁଡିଲେ ପାଠ ପଢିବା ପାଇଁ ପୋଲାଙ୍ଗ ତେଲର ଦୀପ ।
ଗୋପର କିନ୍ତୁ ଗୋଟେ ସଉକି ଥାଏ । ତା ହେଲା ପ୍ରତ୍ୟହ ଉପରବେଳା କାଠଯୋଡ଼ି କୂଳକୁ ବୁଲିଯିବା । ନଈବନ୍ଧ ଉପରୁ ସୂର୍ଯ୍ୟାସ୍ତ ସହିତ ନଦୀସ୍ରୋତକୁ ମିଶାଇ ଗୋପ ନିଜ ମନରେ କେତେ ଦର୍ଶନ କେତେ ଅନୁଚିନ୍ତାକୁ ଆଲୋଡିତ ହେବାର ଅନୁଭବ କରେ । ସୂର୍ଯ୍ୟଙ୍କର ଅବଶିଷ୍ଟ ସୁବର୍ଣ୍ଣ ବୁଣି ହୋଇପଡ଼େ ବାଲି ଉପରେ । କେବେ କେବେ ପତଳା ବାଦଲର ଆସ୍ତରଣ ତଳୁ ନିଜ ଅସ୍ତିତ୍ୱ ଜାହିର କରିବାର ଆପ୍ରାଣ ଚେଷ୍ଟା କରିଥାନ୍ତି କେତେ ଗାର ରଶ୍ମି । ପଶ୍ଚିମ ଆକାଶରେ ଆରମ୍ଭ ହୁଏ ରଙ୍ଗର ମହୋତ୍ସବ । ତାର ପ୍ରତିବିମ୍ବ ପଡ଼େ ପାଣି ଧାରରେ । କାଠଯୋଡ଼ି ନଈକୁ ଦେଖି ଗୋପ ଭବସଂସାର ରୂପକ ନଈର କଥା ଭାଳି ହୁଏ । ଏ ନଈକୁ ସିନା ନାହା ସହଯୋଗେ ପାରି କରିହେବ ହେଲେ ବିଷମ ସଂସାର ସୁଅ ପାରିହେବା କାଠିକର । ରଙ୍ଗମାନଙ୍କର ବିସ୍ତର ଆୟୋଜନ ଆସ୍ତେ ମିଳେଇଯାଏ । ତା’ପରେ କେଉଁଠି ଲୁଚି ରହିଥିବା ଅନ୍ଧାର ଧୀରେଧୀରେ ସବୁ କିଛି ନିଜ ଆୟତ୍ତକୁ ନିଏ । ଗୋପ ବୁଝେ ଏବେ ଫେରିବାର ବେଳ । କେବେ କେମିତି ପ୍ରକୃତିର କୁହୁକିନୀ ମାୟା ଗୋପକୁ ଚନ୍ଦ୍ରପକ୍ଷ ରାତିରେ ବି ଡାକିନିଏ କାଠଯୋଡ଼ି କୂଳକୁ । ଜ୍ୟୋତ୍ସ୍ନାର ମାୟାବିନୀ ପରଶରେ ଗୋପ ଭିତରର କ୍ଷତାକ୍ତ କବିତ୍ୱ ଉପଶମ ପାଏ । ପ୍ରକୃତିର ଅନୁପମ ପ୍ରଶାନ୍ତି ଭିତରୁ ଗୋପ ଖୋଜିପାଏ ଐଶୀ ଶବ୍ଦପୁଞ୍ଜ । ସାନ୍ଧ୍ୟ କିମ୍ବା ରାତ୍ରୀକାଳୀନ କାଠଯୋଡ଼ି ବିସ୍ମିତ ପୁଲକିତ ଗୋପ ଭିତରର କବିକୁ ପୁଣି ଜୀବନ୍ୟାସ ଦିଏ । ସେ କାଠଯୋଡ଼ି ସୂତ୍ରେ ପ୍ରକୃତି ସହ ଏକାତ୍ମ ହୁଏ । ଆଉ ଆଚ୍ଛନ୍ନ ଭାବ ହୃଦୟରେ ବହନ କରି ଛାତ୍ରାବାସକୁ ଫେରେ । ଦୀପ ଜଳାଇ ଲେଖିବସେ ,…
“ଅତି ରମଣୀୟ କାଠଯୋଡ଼ି ତୀର
ଧୀରେଧୀରେ ବହେ ଶୀତଳ ସମୀର
କଲ୍ଲୋଳିନୀ ବହୁ ସଲିଳ ସମ୍ପଦେ
ପୂଜିବାକୁ ଧାଏଁ ମହାର୍ଣ୍ଣବ ପଦେ ।
କେବେ ପୁଣି ପଦ ପକାଏ…
“ଏହିପରି ନିତି ବିଲୋକି ନବଛବି ସକଳ
କଠିନ ନାସ୍ତିକ ହୃଦୟ ପ୍ରେମେ ହୁଏ ତରଳ ।**
**ପାଣ୍ଡୁର ବରଣେ ରଞ୍ଜିତ ହୋଇଅଛି ଗଗନ
କି ଅବା ଏପରି ଦିଶଇ ମୃତ ଦିବାବଦନ।**
**ନବନବ ବେଶ ଭୂଷଣେ ତୁ ଯେ ବଳାଉ ମନ
ଚପଳତା ସତ ନୁହଁଇ କିନ୍ତୁ ତାହା ଭୂଷଣ ।
ଆଉ ଚନ୍ଦ୍ରପକ୍ଷର କାଠଯୋଡ଼ି କୂଳରୁ ଫେରି ଲେଖେ..
“ମାୟାବିନୀ ନିଦ୍ରା ବଳେ ଜଗତ ମୋହିତ
ଆହା କି ସୁନ୍ଦର ବେଶେ ପ୍ରକୃତି ଶୋଭିତ ।”
କାଠଯୋଡ଼ି କୂଳରେ ବସିଲେ ଗୋପ ଭିତରେ କବିତ୍ୱ ଯେମିତି ଉଛୁଳେ ବ୍ରଜସୁନ୍ଦରଙ୍କର ଯାଉଁଳିଆ ପଟି ଘରେ ତରୁଣ ବନ୍ଧୁମାନଙ୍କ ମେଳରେ ବସିଲେ ସେମିତି ଉଦବେଳନ ରୂପେ ଫୁଟେ ଜାତୀୟ ଭାବନା । ବ୍ରଜ ଓ ଗୋପ ଏ ଦୁହିଙ୍କ ଭିତରେ ଦେଶର ସବୁ ସମସ୍ୟା ଆଲୋଚିତ ହୁଏ । ଦୁହେଁ ଏଇ ନିଷ୍କର୍ଷରେ ପହଞ୍ଚନ୍ତି ଯେ ନାଗରିକମାନେ ତାଙ୍କ ନିଜ କର୍ତ୍ତବ୍ୟ ସମ୍ପର୍କରେ ଅବଗତ ହେବା ଉଚିତ । ସେମାନଙ୍କର କର୍ତ୍ତବ୍ୟ କଣ ଆଉ ଅଧିକାର କେତେ ତାହା ଜାଣିବା ଉଚିତ । ବିଦେଶୀ ଶାସନର ପାହାଚ ତଳେ ରାଜଭକ୍ତିରେ ସଢିଯିବା ନାଗରିକତା ନୁହେଁ । ଦୁହିଙ୍କ ମନରେ ଗୋଟିଏ କଥା ଆସେ ଲୋକଙ୍କୁ ସେମାନଙ୍କ ମର୍ଯ୍ୟାଦା ପୁଣି କର୍ତ୍ତବ୍ୟ ବିଷୟରେ ସଚେତନ କରାଇବାକୁ ହେବ । ସେଥିପାଇଁ ସଙ୍ଗଠନ ଆବଶ୍ୟକ । ଶେଷରେ ସଙ୍ଗଠନ ନାଁ ସ୍ଥିର ହୁଏ କର୍ତ୍ତବ୍ୟ ବୋଧିନୀ ସମିତି । ଏହାର ସଭ୍ୟ ସଂଗ୍ରହ କାର୍ଯ୍ୟ ମଧ୍ୟ ବିଧିବଦ୍ଧ ଭାବେ କରାହୁଏ । ବୈଦ୍ୟନାଥ , ଗୋପୀନାଥଙ୍କଠାରୁ ଆରମ୍ଭ କରି ଆହୁରି ଅନେକ ଯୁବକ ଏହାର ସଭ୍ୟ ହୁଅନ୍ତି । ବିନୋଦ ବିହାରୀ ମନ୍ଦିରରେ ବି ବେଳେ ବେଳେ ସଭା ବସେ । ସାପ୍ତାହିକ ଅଧିବେଶନଗୁଡିକରେ ପ୍ରବନ୍ଧ ପାଠ , କବିତା ଆବୃତ୍ତି ପ୍ରଭୃତ୍ତି ହୁଏ । ମୋଟାମୋଟି ଛାତ୍ରସମାଜରେ ନବୀନମାନଙ୍କ ମନରେ ଦେଶ ପ୍ରତି କର୍ତ୍ତବ୍ୟବୋଧର ପ୍ରେରଣା ଆସେ । ଏତିକି ତ ଚାହିଁଥିଲା ଗୋପ । ଏମିତି ସାଙ୍ଗଠନିକ କାମରେ ସେ ଭୁଲିଯାଏ ନିଜ ଜୀବନର ନାନା ଦୁଃଖ ଓ ସନ୍ତାପ ।
ଏମିତି ଏମିତି ବର୍ଷେ ଗଡ଼ିଯାଏ । ଉଭୟ ପୁରୀ ଓ କଟକ ଭିତରେ ବିଭିନ୍ନ ପ୍ରକାର ସାଙ୍ଗଠନିକ କାମରେ ଗୋପ ଏପଟ ସେପଟ ହୁଏ ।୧୮୯୯ ବେଳକୁ ପୁରୀକୁ ରେଳ ଯୋଗାଯୋଗ ସୁଗମ ହୁଏ । ପୁରସ୍ତମ କ୍ଷେତ୍ରକୁ ଯୋଗାଯୋଗ ବଢିବାର ଅର୍ଥ ଲକ୍ଷ ଲକ୍ଷ ଭକ୍ତ ପ୍ରାଣରେ ଆବେଗ ବୃଦ୍ଧି । ରଥ ସମୟ ପହଞ୍ଚେ । ଅମଡ଼ା ଅପୋଡ଼ା ଭୂଇଁରେ ରଥ ଉପରେ ତିନିଠାକୁରଙ୍କୁ ଦେଖିବାର ଦୁର୍ନିବାର ଆକର୍ଷଣ କିଏ ଏଡି ପାରିବ ? ଯୁଗ ଯୁଗ ଧରି ଚାଲି ଆସିଛି ଏଇ ଲୀଳା । ଲୋକେ ତ ପଦବ୍ରଜରେ ଆସୁଥିଲେ । ଦଣ୍ଡ ପ୍ରଣାମ କରି ଆସୁଥିଲେ । ଚାଲି ଚାଲି ପାଦ , ଆଙ୍ଗୁଠି ଘୋରି ହୋଇ ଝରୁଥିଲା ରକ୍ତ । କନାଗୁଡାଇ ବାଟ ଚାଲିବାକୁ ହେଉଥିଲା । ଦୂରରୁ ନୀଳଚକ୍ର ଦେଖାଗଲେ ପୀଡ଼ା ହରଣ ପରି ମନେ ହେଉଥିଲା । ଏବେ ତ ରେଳ ସୁବିଧା । ଦେଢ଼ ଲକ୍ଷରୁ ଦୁଇ ଲକ୍ଷ ଯାତ୍ରୀ ସମାଗମ ହେଲେ । ସହରରେ ପିଇବା ପାଣିର ବିଶେଷ ସୁବିଧା ନାହିଁ । ଲୋକେ ନରେନ୍ଦ୍ର , ଇନ୍ଦ୍ରଦ୍ୟୁମ୍ନର ପାଣି ପିଇବା ଲାଗି ବ୍ୟବହାର କଲେ । ସଂକ୍ରମଣ ଆରମ୍ଭ ହେଲା । ଆରମ୍ଭ ହେଲା ଓଲା ଉଠା ମହାମାରୀ । ଯାତ୍ରୀମାନଙ୍କ ଭିତରେ ପୁଣି ବଙ୍ଗୀୟ ବିଧବା ବେଶି । ପ୍ରଶାସନ ମ୍ୟୁନିସପାଲିଟି ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ ସମର୍ଥ ହେଲେ ନାହିଁ । ମୁକ୍ତିଆର ରାମଚନ୍ଦ୍ର ସେତେବେଳକୁ ମ୍ୟୁନିସପାଲିଟି ବୋର୍ଡ ସଦସ୍ୟ । ଗୋପ , ହରିହର ଓ ତାର ଅନେକ ବନ୍ଧୁଙ୍କୁ ଧରି ସେ ସକ୍ରିୟ ହେଲେ ସେବା କାର୍ଯ୍ୟ ପାଇଁ । ପୁରୀ ସେବା ସମିତିର ଅନେକ ସଦସ୍ୟ ଏ କାମରେ ଯୋଗ ଦେଲେ ।
ପରିସ୍ଥିତି ଅସମ୍ଭାଳ । ବଡ଼ ଦାଣ୍ଡରେ , ସହରର ଗଳି ଉପଗଳିରେ , ସମୁଦ୍ର କୂଳେ , ଜଗନ୍ନାଥ ସଡକରେ , ପଞ୍ଚୁକୋଶୀ ରାସ୍ତାଗୁଡିକରେ ପଡି ରହିଥାଏ ଶହ ଶହ ସଂଖ୍ୟାରେ ମୁର୍ଦ୍ଦାର । ବିଲୁଆ କୁକୁର ଶବ ଖାଇ ପାରୁନଥାନ୍ତି । ବଡ଼ ଦାଣ୍ଡରୁ ନରେନ୍ଦ୍ର ରାସ୍ତାରେ କେତେକ ମୁର୍ଦ୍ଦାର ଉପରେ ଶାଗୁଣା ଉଡ଼ି ଆସି ବସନ୍ତି । ଡୋଲିରେ ମୁର୍ଦ୍ଦାର ବୋହି ଅଶକ୍ତ ହୋଇ ପଡ଼ିଥିବା ମେହେନ୍ତରମାନେ ଠେଲା ଗାଡ଼ିରେ ମୃତ ଅର୍ଦ୍ଧମୃତ ଦେହଗୁଡିକୁ ବୋହି ନିଅନ୍ତି ।
ସ୍ଥାନୀୟ ଲୋକେ ବାଡ଼ି ମୁର୍ଦ୍ଦାରକୁ ଅଲଗା ଜଳାଇବାର ଦାବୀ କରୁଥାନ୍ତି । ଏ ସମ୍ବନ୍ଧରେ ରାମଚନ୍ଦ୍ର ଓ ଗୋପ ମଧ୍ୟରେ କଥୋପକଥନ ହୁଏ ।
-“ଶବ ସତ୍କାର ଲାଗି କି ଯୋଜନା କରାଯାଇଛି ?” ପଚାରେ ଗୋପ ।
-“ମେହେନ୍ତରମାନଙ୍କୁ ସେଥିଲାଗି ବିଶେଷ ତାଲିମ ଦିଆଯାଇଛି । ଉତ୍ତର ଦିଅନ୍ତି ବିବ୍ରତ ରାମଚନ୍ଦ୍ର ।
-“କିପରି ତାଲିମ ?”
-“ସେମାନେ ସବୁ ବାଡ଼ି ମୁର୍ଦ୍ଦାର ମୁହଁରେ ଚୂନ ବୋଳି ସେସବୁକୁ ଆଣି ବଳଭଦ୍ର ବଲ୍ଲଭରେ ଠୁଳ କରିବେ ।”
-“ସେଠି ତ ଆଉ ସତ୍କାର ହେବନି । ସତ୍କାର କେଉଁ ଜାଗାରେ ହେବ ?”
-“ଦରିଆ ମହାବୀର ସେ ପାଖେ ବଡ଼ ଟୋପ ଖୋଳାଯାଇଛି । ”
-“ତା ମାନେ ସବୁ ମୁର୍ଦ୍ଦାର ଏକାଠି ଦାହ କରାଯିବ ?
-“ହଁ !
ତା’ପରେ ଗୋପ, ରାମଚନ୍ଦ୍ର , ଦିବାକାର , ହରିହର ସମେତ ପୁରୀ ସେବାସମିତିର ଅନେକ କର୍ମୀ ଓ ମ୍ୟୁନିସପାଲିଟି କର୍ମଚାରୀ ଯାଆନ୍ତି ସମୁଦ୍ରକୂଳ । ଦରିଆ ମହାବୀର ସେପାଖେ ଖୋଳା ହୋଇଥାଏ ଗଭୀର ପ୍ରଶସ୍ତ ଟୋପ । ତା ଭିତରେ ଥାକ ଥାକ କରି ସଜା ହୋଇଥାଏ କାଠର ଭାଡ଼ି । ସ୍ୱେଚ୍ଛାସେବୀ ଓ ମେହେନ୍ତର ମାନେ ଭାଡ଼ି ଉପରେ ଥାକ ଥାକ କରି ସଜାଇଲେ ଶହ ଶହ ଚୂନଲଗା ମୁର୍ଦ୍ଦାର ।ଟିଣ ଟିଣ କିରୋସିନୀ ଢାଳି ସଂଯୋଗ କରାଗଲା ଅଗ୍ନି । ଧୀରେଧୀରେ ନିଆଁ ଚରିଲା ଆଉ ଆକାଶକୁ ଶିଖା ଟେକିଲା ହୁତାଶନ । ଭୟାବହ , ବିଭତ୍ସ ସେ ଦୃଶ୍ୟ । ସତରଦିନ କାଳ ଜଳିଲା ଜୁଇ । ମଡାପୋଡ଼ାର ଫୁରକୁଟିଆ ଗନ୍ଧ ଭାସି ବୁଲିଲା ସହର ସାରା । ବାଲିସାହି , ଦୋଳମଣ୍ଡପ ସାହି , ବଉଳ ମଠ ଗଳି , ଗୌଡ଼ବାଡ଼ ସାହି ଅଞ୍ଚଳରେ ସାମୁଦ୍ରିକ ପବନ ଯୋଗୁଁ ଉଡି ବୁଲିଲା ଧୂଆଁ , ପାଉଁଶ , ନିଆଁ ଝୁଲ । ସେଦିନ ଜୀବନ ବିରାଗୀ ଗୋପକୁ ରାମଚନ୍ଦ୍ର କହିଥିଲେ ,
“ଏ ହେଲା ପରିଣତି । ମୁଠାଏ ପାଉଁଶ । ଏ ଭିତରୁ କେତେ କିଏ ଆସିଥିଲେ ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦେଖିବେ , ମୋକ୍ଷ ପାଇବେ । କେହି କଣ ଭାବିଥିଲେ ଯେ ସେ ଅଚିହ୍ନା ମୁର୍ଦ୍ଦାର ପାଲଟିଯିବେ !
-“ହଁ, ଆପଣେ ଠିକ କହିଲେ । ବିଷର୍ଣ୍ଣ ଉତ୍ତର ଦେଲା ଗୋପ । ହୁଏତ ପିତୃଶୋକ ବିଧୁର ଗୋପ ମନରେ ବୈରାଗ୍ୟ ଉଦ୍ରେକ କରିବା ଅଥବା ତାର ପୀଡ଼ା ଉପଶମ କରିବା ଲାଗି ଗହଳି ଭିତରେ ରାମଚନ୍ଦ୍ର ଏ ଦାର୍ଶନିକତା କରିଥିଲେ । ଗୋପ ମନରୁ ପାଶୋର ଯାଇ ନଥାଏ ନନାଙ୍କ ଚିତାଗ୍ନି ଜଳିବାର ଦୃଶ୍ୟ । ତେବେ ଏତେ ମୃତ୍ୟୁ , ଏତେ ବିଭୀଷିକା ଦେଖି ଗୋପ ଅନ୍ତରରେ ଆଉ ଟିକେ ପାକଳ ହେବା ଆରମ୍ଭ କଲା । ତା ନିଜର ଅଦୃଷ୍ଟଠାରୁ କାହିଁ କେତେଗୁଣ ଦୁଃସହ ଦୁର୍ଭାଗ୍ୟ ଅନ୍ୟ ଅନେକ ଲୋକ ଭୋଗିଥାନ୍ତି ଏ କଥା ଅନୁଭବ କଲା ।
ଗୋପ ଗମ୍ଭୀର ହୋଇ ଉଠିଥାଏ । ତାର ଆଚ୍ଛନ୍ନତାକୁ କାଟିବାକୁ ଯାଇ ରାମଚନ୍ଦ୍ର କଥା ଆରମ୍ଭ କଲେ।
-“ମୁଁ ଦିନେ ବଡ଼ି ସକାଳୁ ନରେନ୍ଦ୍ର ସ୍ନାହାନକୁ ବାହାରିଛି । ଦେଖିଲି ଭୟାନକ ଦୃଶ୍ୟ ।
-“କଣ ଏମିତି ଦେଖିଲେ ?”
-“ମୁଁ ଯେଉଁ ପାହାଚରେ ଗାଧୋଉଥାଏ ସେଠୁ ଅଳ୍ପ ଦୂରରେ ମାଇପିଟିଏ କାନ୍ଦୁଥାଏ ରାହା ଧରି । ”
-” ସେ କିଏ ?”
-“ଜଣେ ପଶ୍ଚିମା ଯାତ୍ରୀ ”
-“ହେଲେ କାନ୍ଦୁଥିଲେ କାହିଁକି ?”
-“ସେ କଥା ଜାଣିବାକୁ ମୁଁ ତାଙ୍କୁ ପଚାରିଲି ଓଡ଼ିଆରେ । ହେଲେ ସେ ବୁଝିଲେ ନାହିଁ । ”
-“ତାପରେ …?”
-“ଦରଖଣ୍ଡିଆ ହିନ୍ଦୀରେ ପଚାରିଲି , “କିଉଁ ରୋ ରହି ହୋ ? କ୍ୟା ହୁଆ ?”
-“ସେ କଣ ଜବାବ ଦେଲେ ?
-“ମାଇପିଟିର ଲୁହ କୋହ ମିଶା କଥାରୁ ମୁଁ ଯାହା ବୁଝିଲି ସେ ଓ ତାଙ୍କ ସ୍ୱାମୀ ରଥଚଳାକୁ ଆସିଥିଲେ। ଏବେ ସେ ତାଙ୍କ ସ୍ୱାମୀଙ୍କୁ ଖୋଜିପାଉନାହାନ୍ତି । କାଳିଆ ଠାକୁର କଣ ଏତେ ନିର୍ଦ୍ଦୟ ; ତାଙ୍କ ହାତର କାଚ, ମୁଣ୍ଡର ସିନ୍ଦୂର ଛଡାଇ ନେବାକୁ ତାଙ୍କୁ ଏଠିକି ଡାକି ଆଣିଥିଲା କୁହୁକ କରି ?”
ସେତେବେଳକୁ ଗୋଟିଏ ଖବର ରଟିଥିଲା ଯେ ମେହେନ୍ତରମାନେ ବହୁ ଜୀଅନ୍ତା ଲୋକଙ୍କୁ ମୁର୍ଦ୍ଦାର ମନେକରି ଠେଲାରେ ଲଦି ଟୋପ ଯାଏଁ ନେଇଯାଉଛନ୍ତି, ନିଆଁରେ ପକେଇ ଦେଉଛନ୍ତି । ତାଙ୍କୁ ବା କି ଦୋଷ ଦିଆଯିବ ? ସୁକୁସୁକୁ ହେଉଥିବା ଲୋକମାନଙ୍କ ଉପରେ ସରକାରୀ ଡାକ୍ତର ତରତରରେ ଅସତର୍କ ଭାବେ ଡେଥ ଷ୍ଟାମ୍ପ ଲଗାଇ ଦେଉଛନ୍ତି । ଥଟ୍ଟାରେ କେହି କେହି କୋଉ ବହିପଢ଼ା କଥାରୁ କହୁଛନ୍ତି ‘ ରୋଗୀ ଯଦି କହୁଛି ମୁଁ ବଞ୍ଚିଛି, ମେହେନ୍ତର କହୁଛି ତୁ କଣ ଡାକ୍ତରଠାରୁ ଅଧିକ ଜାଣିଛୁ ?”
– ‘ଆପଣ ପୁଣି କଣ କଲେ? ” ଉଦବିଗ୍ନ ଗୋପ ପ୍ରଶ୍ନ କଲା ।
– “ମୁଁ ମାଇପି ଜଣଙ୍କୁ ତୁରନ୍ତ ଟୋପ ପାଖକୁ ଅଣାଇବାର ବନ୍ଦୋବସ୍ତ କଲି । ”
-“ସେଠି କଣ ତାଙ୍କ ସ୍ୱାମୀଙ୍କର ମୁର୍ଦ୍ଦାର ଥିଲା?”
-“ଭାଗ୍ୟଭଲ କୁହ ଗୋପ । ମଡ଼ା ଲଦା ସରିଥିଲା । ମୁଁ ମୁନସିପାଲିଟି ବୋର୍ଡର ସଦସ୍ୟ ବୋଲି ଗୋଟିଏ ପରେ ଗୋଟିଏ କରି ମଡ଼ା ଆଡିଆ ହେଲା । ଷୋଳ ସତରଟି ମୁର୍ଦ୍ଦାର ପରେ….”
-“କଣ ହେଲା?”
– “ଦେଖାଗଲା ତାଙ୍କ ସ୍ୱାମୀଙ୍କର ମୁହଁ । ଠିକ ତୁମରିପରି ଉତ୍କଣ୍ଠିତ ହୋଇ ଚାହିଁଥିଲେ ମାଇପି ଜଣଙ୍କ । ମୁର୍ଦ୍ଦାର ଗଦା ତଳେ ତାଙ୍କ ସ୍ୱାମୀଙ୍କର ଜୀଅନ୍ତା ମୁହଁ ଦେଖି ଟୋପ ଭିତରକୁ କୁଦା ମାରିବାକୁ ଉଦ୍ୟତ ହେଲେ । ”
-” ଆପଣ କଣ କଲେ?”
– “କୌଣସିମତେ ଲୋକ ଲଗାଇ ତାଙ୍କୁ ଅଟକାଇ ରଖିଲି । ଲୋକଟିକୁ ସେଠୁ ଉଠାଇ ଡାକ୍ତରଖାନା ପଠାଇ ଚିକିତ୍ସା କରାଗଲା । ତା’ ପରେ ସେ ସୁସ୍ଥ ହେଲାରୁ ଦୁହେଁ ଖୁସି ମନରେ ଫେରିଲେ ଘରକୁ । ”
କୌଣସି ଉପନ୍ୟାସର ସୁଖଦ ସମାପ୍ତି ପରେ ପାଠକର ଯେଉଁ ଅନୁଭବ ହୁଏ ଶେଷକୁ ଗୋପ ସେହିପରି ସ୍ୱସ୍ତିର ନିଃଶ୍ୱାସ ନେଲା । ମନେମନେ ରାମଚନ୍ଦ୍ରଙ୍କ ପ୍ରତି ଗଭୀର ସମ୍ମାନ ପ୍ରକଟ କଲା । ହେଲେ କର୍ତ୍ତବ୍ୟ ସଚେତନ ରାମଚନ୍ଦ୍ର ମନେ ପକେଇଦେଲେ
– “ଗୋପ ମନେଅଛି ତ ବ୍ରାହ୍ମଣ ସମିତି କଥା ? ନା କଟକରେ ସଂଗଠନ କାମରେ ବ୍ୟସ୍ତ ହୋଇଗଲଣି ?”
ଏ ଭିତରେ ଗୋପ ପୁରୀ ଆସି ବ୍ରାହ୍ମଣ ସମିତି କଥା ବୁଝୁଥିଲା । ତେବେ ରାମଚନ୍ଦ୍ରଙ୍କ ତାଗିଦା ତାକୁ ମନେ ପକାଇ ଦେଇଥିଲା ସାତ ଆଠ ମାସ ତଳର କଥା । ସଦ୍ୟ ଏଣ୍ଟ୍ରାନ୍ସ ପରୀକ୍ଷା ଫଳ ପ୍ରକାଶ ପାଇଥାଏ । ଗୋପକୁ ଅଭିବାଦନ ଜଣାଇବା ଅବସରରେ ରାମଚନ୍ଦ୍ର କହିଲେ,” ଆଜି ମୁଁ ଅତ୍ୟନ୍ତ ପ୍ରୀତ ତୁମ କୃତୀତ୍ବରେ ।”
-“ଆଜ୍ଞା ଆଶୀର୍ବାଦ କରନ୍ତୁ ଝଡ଼ ବିକ୍ଷୁବ୍ଧ ସମୁଦ୍ରରେ ମୋ ଜୀବନର ଜାହାଜ ଆଗକୁ ବଢୁ।” ପିତାଙ୍କ ମୃତ୍ୟୁ ଯୋଗୁଁ ଗୋପ ବିଷର୍ଣ୍ଣ ଥିଲା ।
-“ଏତେ ବିଷର୍ଣ୍ଣ ହୁଅନି ଗୋପ । ୧୮୮୭ରୁ ମୁଁ ମୁକ୍ତିଆରୀ କରୁଛି । ସ୍ୱଅର୍ଜିତ ଧନରେ ୧୮ ଗୁଣ୍ଠ ଜମି କିଣିଛି ହେରାଗୋହିରୀ ସାହି ମଝିରେ । ”
-“ଉଦ୍ଦେଶ୍ୟ ?”
-“ପ୍ରଥମେ ପାଞ୍ଚିଥିଲି ଘର କରି ରହିବି । ”
– “ହଁ, ଭଲ ହେବ । ସହରର ପ୍ରମୁଖ ସ୍ଥାନ । ଘର କରି ସପରିବାର ରୁହନ୍ତୁ । ”
-“ନା, ପରେ ସ୍ଥିର କଲି ଏ ଯାଗା ଏକ ପବିତ୍ର ପୀଠ ହେବ । ଏଠି ସ୍ତ୍ରୀଙ୍କୁ ଧରି ସାଂସାରିକ ଜୀବନ କାଟିବା କଣ ସଂଗତ ହେବ ?”
-“ତେବେ କଣ କରିବାକୁ ସ୍ଥିର କରିଛନ୍ତି?”
-“ସ୍ଥିର କରିଛି ଗରିବ, ଅଭାବଗ୍ରସ୍ତ ପିଲାଙ୍କ ପାଇଁ ଏଠି ଛାତ୍ରାବାସ କରିବି । ତୁମେ ସେ ଛାତ୍ରାବାସର ପରିଚାଳକ ହେବ । ”
-“ମୁଁ ପାଠ ପଢିବି କଟକ ରେ । ଏଠି ସଂଗଠନ କାମ ପାରିବିତ?”
– “ମଝିରେ ମଝିରେ ଆସୁଥିବ । ତୁମେ ପାରିବ । ତୁମ ସାମର୍ଥ୍ୟରେ ମୋର ପରମ ବିଶ୍ୱାସ । ”
-“ପରିଚାଳନା ପାଇଁ ଅର୍ଥ ଆସିବ କେଉଁଠୁ?”
– “ମୁଷ୍ଟିଭିକ୍ଷା । ”
-“ମୁଷ୍ଟିଭିକ୍ଷା?”
-“ହଁ । ଚେଷ୍ଟା କଲେ ଧନୀ ରାଜା ମହାରାଜାଙ୍କ ଠାରୁ ଅର୍ଥ ମିଳିବ । ହେଲେ ସେ ଟଙ୍କାରେ ଅନୁଷ୍ଠାନ ଗଢିଲେ ତା’ ର ପବିତ୍ରତା ନଷ୍ଟ ହେବ । ଅନେକ ବ୍ରାହ୍ମଣ୍ୟ କୁସଂସ୍କାର ପ୍ରତି ଗୋପ ମନରେ କ୍ଷୋଭ ଥିଲା । ପଣ୍ଡିତ ହରିହରଙ୍କ ପ୍ରତି ବ୍ରାହ୍ମଣ ମାନଙ୍କ ଆଚରଣ ତାକୁ ବିରକ୍ତ କରିଥିଲା । ତଥାପି ସେବା ଦାୟରେ ଗୋପ ଏ ଅନୁଷ୍ଠାନ ସହ ଜଡିତ ହୋଇଥିଲା । ସଦାଶିବ କାବ୍ୟକଣ୍ଠଙ୍କ ନେତୃତ୍ୱରେ ଏହାର ପରିଚାଳନାରେ ମନ ଦେଇଥିଲା । ଏହା ଭିତରେ ଅନୁଷ୍ଠାନ କାମ ଅନେକ ଆଗେଇ ଗଲାଣି । କଟକରେ କର୍ତ୍ତବ୍ୟ ବୋଧିନୀ ସମିତି, ପୁରୀରେ ବ୍ରାହ୍ମଣ ସମିତି । ଗୋପ ମନେକରେ ଗୋଟିଏ ଅନୁଷ୍ଠାନର ଲକ୍ଷ୍ୟ ଯଦି ମହତ ହୋଇଥାଏ ତେବେ ତାହା ଆଉ ଗୋଟିକର ପରିପୂରକ ହେବ।ଉଭୟେ ପରସ୍ପର ବିରୋଧୀ ହୋଇ ନପାରନ୍ତି। ରଥଯାତ୍ରା ପରବର୍ତ୍ତୀ ପରିସ୍ଥିତି ଟିକେ ସ୍ୱାଭାବିକ ହେବା ପରେ ଗୋପ ପୁଣି କଟକ ଚାଲିଯାଏ। କଲେଜରେ ପାଠପଢ଼ାର ଆନନ୍ଦ ଅଛି ,ପୁଣି ଅଛି କର୍ତ୍ତବ୍ୟ ବୋଧିନୀ ସମିତିର ବନ୍ଧୁମାନଙ୍କ ସହ ମିଶି କାମ କରିବାର ବ୍ୟାକୁଳତା।
ଦିନକର ବିନୋଦ ବିହାରୀ ମନ୍ଦିରରେ ବସିଥାଏ କର୍ତ୍ତବ୍ୟ ବୋଧିନୀ ସମିତିର ସଭା। ବୈଦ୍ୟନାଥ, ଗୋପୀନାଥ, ବ୍ରଜସୁନ୍ଦର ଓ ତ୍ରିବିକ୍ରମ ଆଉ କେତେ କିଏ ଯୋଗ ଦେଇଥାନ୍ତି।ଅନୌପଚାରିକ ଆଲୋଚନା ବେଳେ ବ୍ରଜସୁନ୍ଦର ପଚାରନ୍ତି..।
– “ଛାତ୍ର ମାନଙ୍କ ମନରେ ଜାତୀୟ କର୍ତ୍ତବ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି କରିବାର ବାଟ କଣ ?”
-“ପ୍ରଥମେ ଆମମାନଙ୍କ ମନରେ ଜାତୀୟ ମମତା ସୃଷ୍ଟି ହେବା ଆବଶ୍ୟକ।”
-“ତା କିପରି ? “ପ୍ରଶ୍ନ କରନ୍ତି ଗୋପୀନାଥ।
-“ପ୍ରଥମେ ଆମକୁ ହୀନମନ୍ୟତା ଛାଡିବାକୁ ପଡିବ ।”କହେ ଗୋପ।
-“ଆମ ଭିତରେ ତ ହୀନମନ୍ୟତାର ଆବର୍ଜନା ” କୁହନ୍ତି ବ୍ରଜସୁନ୍ଦର ।
-“ଆମକୁ ଆମ ଜାତିକୁ ନେଇ ଗର୍ବ କରିବାକୁ ପଡିବ।” କହେ ଗୋପ।
-“କିପରି ? ” ସମବେତ ପ୍ରଶ୍ନ।
-“ଆମ ଭାଷା, ସଂସ୍କୃତି, ଅତୀତର କୀର୍ତ୍ତି ଏସବୁକୁ ଚିହ୍ନିବାରେ ଆମେ ହେଳା କରିଥାଇଁ।ଏସବୁକୁ ନେଇ ଗୌରବାନ୍ୱିତ ନହେଲେ ଆମେ ଏଥିପାଇଁ ନିଜର କର୍ତ୍ତବ୍ୟ କ’ଣ ସ୍ଥିର କରିପାରିବା ନାହିଁ।ଡରକୁଳା ହୋଇ, ହୀନମନ୍ୟ ହୋଇ କୋଉ ଜାତି ନିଜର ମେରୁଦଣ୍ଡ ସଳଖି ନାହିଁ। ଆମ ଭାଷା, ସାହିତ୍ୟ ,ଚଳଣି , ଦେଉଳତୋଳା ରୀତି, ଲୋକଜୀବନ ଏସବୁ ରୁ ଗର୍ବ କଲାଭଳି ଉପାଦାନ ଖୋଜିବାକୁ ପଡିବ।”
-“ହେଲେ ବିରୋଧାଭାସ ତ ଅନେକ।”କହନ୍ତି ବ୍ରଜସୁନ୍ଦର।
-“ବିରୋଧାଭାସ ଭିତରୁ ବି ଆମକୁ ଆଲୁଅ ଖୋଜିବାକୁ ହେବ। ଆମେ ଖାରବେଳଙ୍କ ଦକ୍ଷତା, ଖଣ୍ଡଗିରି ଧଉଳିଗିରିର ବାର୍ତ୍ତା,ବାରବାଟୀର ବୀରତ୍ବ,ମହାନଦୀର ପବିତ୍ରତା,ଓଡ଼ିଆ ଭାଷାର ଶକ୍ତି, ଆମରାଜ୍ୟର ବହୁଧର୍ମର ସମନ୍ୱୟ କ୍ଷମତା,ଜଗନ୍ନାଥ ଧାମର ମୈତ୍ରୀ ଓ ସାମ୍ୟନୀତି ଇତ୍ୟାଦିକୁ ଜାତୀୟ ଗୌରବର ସଂକେତ କରିପାରିବା।”
ଗୋପ ଉଦବୋଧନ ଦେବା ଆରମ୍ଭ କରିଥିଲା।ବ୍ରଜସୁନ୍ଦର ମଝିରେ କହିଲେ ,”ହଁ ,କଲିକତା ବିଶ୍ୱବିଦ୍ୟାଳୟ ଯେ ଆମକୁ ଆମ ମାତୃଭାଷାରେ ପରୀକ୍ଷା ଦେବାର ଅନୁମତି ଦେଉନାହିଁ ,ଆମେ ତାର ପ୍ରତିବାଦ କରିପାରିବା।” ତେବେ ବିଳମ୍ବ ହୋଇଯାଇଥିଲା । ସଭ୍ୟମାନଙ୍କର ପ୍ରବନ୍ଧ ପାଠ ଭିତରେ ଗୋପ ମଧ୍ୟ ନିଜର ନୂଆଲେଖା କବିତା କେତୋଟି ଶୁଣାଇଥିଲା ସମସ୍ତଙ୍କୁ ।
ଅକସ୍ମାତ ବ୍ରଜସୁନ୍ଦର ପ୍ରସ୍ତାବ କରିଥିଲେ,” ଗୋପବନ୍ଧୁଙ୍କ କବିତା ଗୁଡିକର ଏକ ସଂକଳନ କରାଯାଉ।”
:- “କେତେ ବା କବିତା ମୁଁ ଲେଖିଛି ? ତା ଛଡା ମୋ ଅଦୃଷ୍ଟ ତ ମୋତେ କବିତା ଠାରୁ ଦୂରକୁ ଦୂରକୁ ନେଇଚାଲିଛି।” ଉତ୍ତର ଦିଏ ଗୋପ।
– “ସେ ବାହାନା ଚଳିବ ନାହିଁ ଗୋପ। ଉତ୍କଳ ସାହିତ୍ୟରେ ତୁମ କବିତା ପ୍ରକାଶିତ ହେବା ପରେ ତୁମ କବିତ୍ବର ସୁଗନ୍ଧ ପ୍ରସରିବା ଆରମ୍ଭ କରିଛି। ତା ଛଡା ଏବେ କାଠଯୋଡ଼ି କୂଳର ଅନୁଭୂତିକୁ ନେଇ ତୁମେ ଯେଉଁ ସବୁ କବିତା ପାଠକଲ ସେଥିରୁ ସ୍ପଷ୍ଟ ପ୍ରତିଭାତ ଯେ ତୁମେ କବିତାର ପ୍ରେମଜାଲ କାଟିପାରିନାହଁ।ତାଗିଦ କଲାପରି କହିଥିଲେ ବୈଦ୍ୟନାଥ।
ଶେଷରେ ସମସ୍ତେ ସ୍ଥିର କଲେ ଗୋପବନ୍ଧୁଙ୍କର ପ୍ରଥମ କବିତା ସଙ୍କଳନ କର୍ତ୍ତବ୍ୟବୋଧିନୀ ସମିତି ତରଫରୁ ପ୍ରକାଶିତ ହେବ।
ତାପରେ ବ୍ରଜସୁନ୍ଦର କହିଥିଲେ ,” ଦାସେ ପାଣ୍ଡୁଲିପି ପ୍ରସ୍ତୁତ ହେଉ।”
ସେ ଦିନ ଘରକୁ ଫେରି ଗୋପ ମନେ ମନେ ଚିନ୍ତା କରିଥିଲା ସତରେ କ’ଣ କବିତା ତାର ପ୍ରାଥମିକ କାର୍ଯ୍ୟ ! ସେତ ଚାହେଁ ସାମାଜିକ କାର୍ଯ୍ୟ, ସେବା, ଜାତୀୟ ଜାଗରଣ।କେବେ କେମିତି ଅବକାଶ ମିଳିଲେ କବିତା। ଯାହା ଲେଖିଛି ତାହା ପୁଣି ହଜୁଛି।ତେବେ ପୋଲାଙ୍ଗ ତେଲର ଦୀପ ଜଳାଇ ବନ୍ଧୁମାନଙ୍କ କଥାକୁ ସମ୍ମାନ ଜଣାଇ ଗୋପ କବିତା ଏକାଠି କରିବା ଆରମ୍ଭ କରିଥିଲା।
ଗଣି ଗଣି ମୋଟ ନଅଟି କବିତା (୧) କବିତା ଦେବୀ (୨) କାଠଯୋଡ଼ି ତୀରେ ସାୟଂକାଳ ( ୩) କାଠଯୋଡ଼ି ତୀରେ ସାୟଂ କାଳ -୨ (୪) କାଠଯୋଡ଼ି ତୀରେ ଚନ୍ଦ୍ରଲୋକ ନିଶୀଥ (୫) ପଣ୍ଡିତ ହରିହର ଦାଶ ଶର୍ମା (୬) ମୋ ନାନୀ (୭) ଚନ୍ଦ୍ର (୮) କୋକିଳ (୯) ଗ୍ରୀଷ୍ମେ ଖୁଣ୍ଟାଗଛ। କବିତାଗୁଡିକୁ ଏକାଠି କରି ସମ୍ପାଦନା କଲାବେଳେ ଗୋପର କେତେ କଥା ଆଡକୁ ମନ ଭାସି ଗଲା।ମନର ପଟ୍ଟିରେ ଝଟକି ଉଠିଲା କାଠଯୋଡ଼ି କୂଳରେ ବସିଲେ ନିଜ ମନ ଭିତରେ ସୃଷ୍ଟି ହେଉଥିବା ଉଦବେଳନ,ମନେ ପଡ଼ିଲା କମଳା ନାନୀର ସ୍ନେହ ଛଳଛଳ ବାତ୍ସଲ୍ୟ ବିଭୋର ମୁହଁ,ପଣ୍ଡିତ ହରିହରଙ୍କର ସଂସ୍କାରାଭିମୁଖୀ କାର୍ଯ୍ୟ । ହରିହରଙ୍କୁ ନିବେଦିତ କବିତାର ଦୁଇଧାଡ଼ି ଆଉଥରେ ଗୁଣୁଗୁଣେଇଲା ଗୋପ –
“ଉତ୍କଳ ମଣ୍ଡଳେ ,ନବ୍ୟ ସଭ୍ୟ ଦଳେ
ସର୍ବେ ଆଜି ସ୍ୱାର୍ଥପର।
ଆସ ହରିହର, ପଣ୍ଡିତ ପ୍ରବର
ସମାଜ ସଂସ୍କାର କର।”
ଗୋପ ନିଜକୁ ପ୍ରଶ୍ନ କଲା ନବ୍ୟ ସଭ୍ୟ ଦଳ ସତେ କ’ଣ ନିଜ ସ୍ୱାର୍ଥ ଛାଡିବେ ?
ଇଂରାଜୀ ବିଭାଗ
ଶାସ୍ତ୍ରୀ ଡିଗ୍ରୀ ସ୍ମୃତି ମହାବିଦ୍ୟାଳୟ
ବାଲିପୁଟ,ପୁରୀ
( ଲେଖକଙ୍କ “ଦାସେ ଆପଣେ” ଉପନ୍ୟାସରୁ ସଂଗୃହୀତ )
Comments are closed.