Latest Odisha News

BREAKING NEWS

ବିଶିଷ୍ଟ ଶିକ୍ଷାବିତ୍‌ ପୁରୁଷୋତ୍ତମ ରାଉତଙ୍କ ପରଲୋକ

ରାଜକନିକା: ପରଲୋକରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଅନ୍ତର୍ଗତ ତେନ୍ତୁଳିକୋଳି ଗ୍ରାମର ବିଶିଷ୍ଟ ଶିକ୍ଷାବିତ୍‌ ପୁରୁଷୋତ୍ତମ ରାଉତ। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା । ସେ ଜଣେ ପରୋପକାରୀ, ମିଷ୍ଟଭାଷୀ, ଧର୍ମପରାୟଣ ତଥା ବିଶିଷ୍ଟ ଶିକ୍ଷାବିତ ଭାବେ ପରିଚିତ ଥିଲେ ।

ସ୍ୱର୍ଗତ ରାଉତ କରୋନାରେ ଆକ୍ରାନ୍ତ ହୋଇଥିଲେ। ଗତ ଜୁନ ୨୧ ତାରିଖରେ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସିତ ଅବସ୍ଥାରେ ଜୁଲାଇ ୬ ତାରିଖରେ ସେ ମୃତ୍ୟୁବରଣ କରିଥିଲେ।

ସ୍ୱର୍ଗତଃ ରାଉତଙ୍କ ଜନ୍ମ ୧୯୩୭ ମସିହା ଜୁଲାଇ ୭ ତାରିଖ। ସେ ୧୯୬୧ ମସିହାରେ ଭଦ୍ରକ ମହାବିଦ୍ୟାଳୟରୁ କଳାରେ ସ୍ନାତକ ଓ ଅନୁଗୁଳ ଟ୍ରେନିଂ ମହାବିଦ୍ୟାଳୟରୁ ଶିକ୍ଷାରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ଏହାପରେ ସେ ରାଜେନ୍ଦ୍ର ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା ଆରମ୍ଭ କରିଥିଲେ ।

ସ୍ୱର୍ଗତ ରାଉତ ଓଡ଼ିଶା ଶିକ୍ଷା ସେବାରେ ଅଧିକାରୀ ରୂପେ ଶ୍ରୀବତ୍ସ ହାଇସ୍କୁଲ, କଲ୍ୟାଣପୁର ଓ ମନ୍ମଥନାଥ ହାଇସ୍କୁଲ ପଟ୍ଟାମୁଣ୍ଡାଇଠାରେ ପ୍ରଧାନ ଶିକ୍ଷକ ଭାବେ ଅବସ୍ଥାପିତ ହୋଇଥିଲେ । ଏତଦବ୍ୟତୀତ ସେ ସାଲେପୁର, ପଟ୍ଟାମୁଣ୍ଡାଇ ଓ କେନ୍ଦ୍ରାପଡ଼ା ଶିକ୍ଷା ଜିଲ୍ଲା ମାନଙ୍କରେ ଜିଲ୍ଲା ଶିକ୍ଷା ନୀରିକ୍ଷକ ଭାବେ ସୂଚାରୁରୂପେ ଦାୟିତ୍ୱ ତୁଲାଇଥିଲେ। ରାଜକନିକା ବ୍ଲକ ସମେତ କେନ୍ଦ୍ରାପଡ଼ା ଜିଲ୍ଲାରେ ଶିକ୍ଷାର ବିକାଶ ଓ ବିଭିନ୍ନ ଶିକ୍ଷାନୁଷ୍ଠାନ ଗଢିବାରେ ସ୍ୱର୍ଗତଃ ରାଉତ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

ଗତ ୧୯୯୬ ମସିହାରେ ଚାକିରୀରୁ ଅବସର ଗ୍ରହଣ କରିବା ପରେ ସ୍ୱର୍ଗତଃ ରାଉତ ନିଜ ଅଞ୍ଚଳରେ ରହି ବିଭିନ୍ନ ଗଠନମୂଳକ କାର୍ଯ୍ୟ କରିବା ସହିତ ସମାଜସେବାରେ ନିଜକୁ ନିୟୋଜିତ କରିଥିଲେ ।

Leave A Reply

Your email address will not be published.