ଲକ୍ଷ୍ନୌ: ସରକାରୀ ଚାକିରୀ କଲା ପାଗଳ
ମୁଣ୍ଡରେ ପଶିଲା ଦୂର୍ବୁଦ୍ଧି
ନିଜ ହାତରେ କାଟିଲେ ନିଜ ଗୋଡ଼
ବର୍ତ୍ତମାନ୍ ସରକାରୀ ଚାକିରୀ ପାଇଁ ଯେଉଁ ଭଳି ଭାବେ ପ୍ରତିଯୋଗିତା ଚାଲିଛି, ତାହା ଆଶ୍ଚର୍ଯ୍ୟଜନକ। ପୋଷ୍ଟ ୨ ଟି ହେଲା ବେଳକୁ ଏହାର ଆଶାୟୀଙ୍କ ସଂଖ୍ୟା ୨ ହଜାର। ଯାହା ବର୍ତ୍ତମାନ ଯୁବ ପିଢ଼ିଙ୍କ ଉପରେ ବି ଏକ ପ୍ରକାର ଚାପ ପକାଇଛି। ଏହାରି ଭିତରେ ସରକାରୀ ଚାକିରି ଖଣ୍ଡକ ପାଇଁ ଜଣେ ଯୁବକ ଏମିତି କିଛି କରିଛନ୍ତି, ଯାହା ସମସ୍ତଙ୍କୁ ଚକିତ କରିଛି। ଉତ୍ତର ପ୍ରଦେଶର ଜୌନପୁରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ୨୮ ବର୍ଷୀୟ ସୁରଜ ଭାସ୍କର ନାମକ ଜଣେ ଯୁବକ ତାଙ୍କ ଗୋଡ କାଟି ଦେଇଛନ୍ତି। ଯାହାକୁ ନେଇ ଏବେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ଉତ୍ତରପ୍ରଦେଶ ଲାଇନ୍ ବଜାର ଥାନା ଅଞ୍ଚଳ ଅନ୍ତର୍ଗତ ଖଲିଲପୁର ଗାଁରେ ଏହି ଘଟଣା ଘଟିଛି। ଗତ ରବିବାର ପୋଲିସକୁ ଖବର ମିଳିଥିଲା ଯେ ସୂରଜ ଭାସ୍କର ନାମକ ଜଣେ ଯୁବକଙ୍କୁ ଅଜଣା ବ୍ୟକ୍ତି ଆକ୍ରମଣ କରିଛନ୍ତି। ତାଙ୍କ ପରିବାର ଦ୍ୱାରା ଦାଖଲ କରାଯାଇଥିବା ପ୍ରାରମ୍ଭିକ ଅଭିଯୋଗ ଅନୁଯାୟୀ, ଆକ୍ରମଣକାରୀମାନେ ତାଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିଲେ ଏବଂ ତାଙ୍କ ଗୋଡ଼ କାଟି ପଳାଇ ଯାଇଥିଲେ, ଯାହା ଫଳରେ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଯାହା ପରେ ଘଟଣାକୁ ଅତି ଗମ୍ଭୀରତାର ସହ ନେଇ ହତ୍ୟା ଉଦ୍ୟମ ମାମଲା ରୁଜୁ କରି ପୋଲିସ୍ ତନଘନା ଆରମ୍ଭ କରିଥିଲା। ପ୍ରାୟ ଚାରି ଦିନ ଧରି ଅଧିକାରୀମାନେ ମାମଲାକୁ ଏକ ଗମ୍ଭୀର ଅପରାଧିକ ଅପରାଧ ଭାବରେ ଗ୍ରହଣ କରି ତଦନ୍ତ କରିଥିବା ବେଳେ ଶେଷରେ ଏକ ଆଶ୍ଚର୍ଯ୍ୟଜନକ ସତ ସାମ୍ନାକୁ ଆସିଥିଲା।
ନିରନ୍ତର ପଚରାଉଚରା ଏବଂ ଡାକ୍ତରୀ ପ୍ରମାଣ ଯାଞ୍ଚ କରି ପୋଲିସ ଜାଣିବାକୁ ପାଇଥିଲା ଯେ କୌଣସି ବାହ୍ୟ ଆକ୍ରମଣ ହୋଇନାହିଁ। ବରଂ ସୁରଜ ଭାସ୍କର ଜାଣିଶୁଣି ନିଜକୁ ଆହତ କରିଥିଲେ। ବ୍ୟକ୍ତି ଜଣକ ସରକାରୀ ଚିକିତ୍ସା ସୁବିଧା ଏବଂ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଇଁ ସୁବିଧାର ଲାଭ ଉଠାଇବା ପାଇଁ ନିଜକୁ ସ୍ଥାୟୀ ଭାବରେ ଅକ୍ଷମ କରିବା ପାଇଁ ଏକ ବିସ୍ତୃତ ଯୋଜନା କରିଥିଲେ। ସେ ତାଙ୍କ ଗୋଡ କାଟିବା ପାଇଁ ଏକ ଗ୍ରାଇଣ୍ଡର ବ୍ୟବହାର କରିଥିଲେ। ସରକାରୀ ଚାକିନି ନିଶାରେ ନିଜ ଜୀବନକୁ ବିପଦରେ ପକାଇଥିଲେ ଯୁବକ। ଆଉ ପରେ କର୍ତ୍ତୃପକ୍ଷଙ୍କୁ ଭ୍ରମିତ କରିବା ପାଇଁ ଆକ୍ରମଣର ଏକ ମିଥ୍ୟା କାହାଣୀ ପ୍ରସ୍ତୁତ କରିଥିଲେ।