Latest Odisha News

କେଦାରନାଥରେ ଭୟଙ୍କର ହିମସ୍ଖଳନ, ମନେପକାଇ ଦେଲା ୧୧ ବର୍ଷ ତଳର ମହାପ୍ରଳୟ

ଡେରାଡୁନ: ଉତ୍ତରାଖଣ୍ଡରେ ଭୟଙ୍କର ହିମସ୍ଖଳନ ହୋଇଛି। କେଦାରନାଥ ମନ୍ଦିର ନିକଟରେ ଧସିଲା ବିଶାଳକାୟ ବରଫ ଖଣ୍ଡ। ହିମାଳୟ ପର୍ବତରୁ ବିଶାଳକାୟ ବରଫ ଖଣ୍ଡ ଧସିଛି। ତେବେ ଏଥିରେ ମନ୍ଦିରର କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ । ଏହି ହିମସ୍ଖଳନ ଯୋଗୁଁ ଚାରିଧାମ ଯାତ୍ରା ପ୍ରଭାବିତ ହେବା ନେଇ ଏ ଯାଏଁ କୌଣସି ହସ୍ତଗତ ହୋଇନାହିଁ । ହେଲେ ହଠାତ୍ ବରଫଖଣ୍ଡ ଖସିବା ଦେଖି କେଦାରନାଥ ଧାମରେ ଥିବା ତୀର୍ଥଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ ।

ସୂଚନା ଅନୁସାରେ, କେଦାରନାଥ ବାବାଙ୍କ ମନ୍ଦିରର ଠିକ୍ ପଛ ପଟେ ଥିବା ପାହାଡ଼ରୁ ଏକ ବିଶାଳ ବରଫ ଅତଡ଼ା ଖସିଥିବା ଦେଖିବାକୁ ମିଳିଥିଲା। ଗାନ୍ଧି ସରୋବର ଉପରେ ଥିବା ସୁମେରୁ ପାହଡ଼ରୁ ବରଫ ଅତଡ଼ା ଧସିଯାଇଥିଲା । ସକାଳ ୫ଟା ୬ ମିନିଟ୍ ରେ ହିମସ୍ଖଳନ ଘଟିଥିଲା। ଏହା ଦେଖି ସେଠାରେ ଉପସ୍ଥିତ ଥିବା ଲୋକମାନେ ଆତଙ୍କିତ ହୋଇଯାଇଥିଲେ । ବରଫ ଅତଡା ଧସି ତଳେ ଥିବା ଗାନ୍ଧି ସରୋବରରେ ଅଟକିଥିଲା । ସରୋବର ଥିବାରୁ ଧସିଥିବା ବରଫର ଅଂଶ ସେଠାରେ ହିଁ ଅଟକି ଯାଇଥିଲା। ଫଳରେ ଅପର ପାର୍ଶ୍ୱରେ ଥିବା ମନ୍ଦିର ନିକଟକୁ ଅତଡ଼ା ମାଡ଼ି ଆସିପାରିନଥିଲା।

ଆଜି ସକାଳେ ଚୌରାବାରୀ ଗ୍ଲେସିୟରରେ ହିମସ୍ଖଳନ ଯୋଗୁଁ କୌଣସି କ୍ଷୟକ୍ଷତି ହୋଇନାହିଁ ଏବଂ କେଦାରନାଥ ସମେତ ସମଗ୍ର ଅଞ୍ଚଳ ସୁରକ୍ଷିତ ରହିଛି। ଏହି ଅଞ୍ଚଳରେ ହିମସ୍ଖଳନ ଏକ ସାଧାରଣ ପ୍ରାକୃତିକ ଘଟଣା ବୋଲି କହିଛନ୍ତି ରୁଦ୍ରପ୍ରୟାଗ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀ ନନ୍ଦନ ସିଂହ ରାଜୱାର । ପୂରା ସ୍ଥିତି ଉପରେ ସ୍ଥାନୀୟ ଅଧିକାରୀ ନଜର ରଖିଥିବା ବେଳେ ଯେପରି କୌଣସି ଅଘଟଣ ନଘଟେ ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ୨୦୧୩ ମସିହାରେ ଉତ୍ତରାଖଣ୍ଡରେ ପ୍ରଳୟଙ୍କାରୀ ବନ୍ୟା ଦେଖାଦେଇଥିଲା । ଜୁନ୍ ୨୦୧୩ରେ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ହୋଇଥିଲା, ଯାହାଦ୍ୱାରା ଚୋରାୱାଡିରେ ଥିବା ଗ୍ଲାସିୟର ତରଳିବା ସହ ମନ୍ଦାକନୀ ନଦୀର ଜଳସ୍ତର ଯଥେଷ୍ଟ ଅଧିକ ବଢାଇ ଦେଇଥିଲା । ଯାହାଦ୍ୱାରା ଉତ୍ତରାଖଣ୍ଡରେ ପ୍ରଳୟଙ୍କାରୀ ବନ୍ୟା ଆସିଥିଲା । ଖାସକରି କେଦାରନାଥ ପାଶ୍ୱର୍ବର୍ତ୍ତୀ ଅଞ୍ଚଳ ଭୟଙ୍କର ଭାବେ ପ୍ରଭାବିତ ହୋଇଥିଲା । ଏହି ପ୍ରଳୟଙ୍କାରୀ ବନ୍ୟାରେ ୫ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ନିଖୋଜ ହୋଇ ଯାଇଥିଲେ । ଏତେ ବଡ ପ୍ରଳୟଙ୍କାରୀ ବନ୍ୟା ଭିତରେ ବି କେଦାରନାଥ ମନ୍ଦିରର ସେମିତି କୌଣସି କ୍ଷତି ହୋଇନଥିଲା । ଏହି ବିନାଶକାରୀ ବନ୍ୟା ପରେ କେଦାରନାଥ ପୀଠକୁ ସ୍ୱତନ୍ତ୍ର ଫୋକସ କରିଥିଲେ ପ୍ରଧାନମନ୍ତ୍ରୀ । ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସହ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି ।

 

 

Leave A Reply

Your email address will not be published.