Latest Odisha News

BREAKING NEWS

ଏହି ଦିନଠୁ ଆରମ୍ଭ ହେବ ଚାରିଧାମ ଯାତ୍ରା

ନୂଆଦିଲ୍ଲୀ: ଆରମ୍ଭ ହେବ ଚାରିଧାମ ଯାତ୍ରା । ହେଲା ତାରିଖ ଘୋଷଣା । ଏଣିକି ମହାଦେବଙ୍କ ଦର୍ଶନ ପାଇଁ ଯିବେ ଶ୍ରଦ୍ଧାଳୁ । କେଦାରନାଥ, ବଦ୍ରିନାଥ, ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀ ଧାମ ର କବାଟ ଖୋଲିବା ନେଇ ତାରିଖ ଘୋଷଣା କରାଯାଇଛି । ଗଙ୍ଗା ନଦୀ କୁଳେ ଅବସ୍ଥିତ ଏହି ଚାରିଧାମ ଯିବା ପାଇଁ ସବୁଠାରୁ ଲୋକପ୍ରିୟ ମାର୍ଗ ହରିଦ୍ୱାରରୁ ଯାତ୍ରା ଆରମ୍ଭ କରିବାକୁ ପଡିଥାଏ ଏବଂ ସେହି ରାସ୍ତାରେ ହିଁ ଯାତ୍ରା ଶେଷ ହୁଏ । ଚାରିଧାମ ଯାତ୍ରାରେ, କେଦାରନାଥ ଧାମରେ ​​ଭଗବାନ ଶିବ, ବଦ୍ରିନାଥରେ ଭଗବାନ ବିଷ୍ଣୁ, ଗଙ୍ଗୋତ୍ରୀରେ ମାତା ଗଙ୍ଗା ଏବଂ ଯମୁନୋତ୍ରୀରେ ମାତା ଯମୁନାଙ୍କୁ ପୂଜା କରାଯାଏ।

ଉତ୍ତରାଖଣ୍ଡ ସରକାର ଚାରିଧାମ ଯାତ୍ରା ୨୦୨୫ର ତାରିଖ ଘୋଷଣା କରିଛନ୍ତି । ଚଳିତ ବର୍ଷ ପ୍ରଶାସନ ଯାତ୍ରାକୁ ସରଳ ତଥା ସୁରକ୍ଷିତ କରିବା ପାଇଁ ଅନେକ ନୂତନ ବ୍ୟବସ୍ଥା କାର୍ଯ୍ୟକାରୀ କରିଛି । ଏପ୍ରିଲ ୩୦ରେ ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀ ଧାମର ଦ୍ୱାର ଖୋଲିବା ସହିତ ଚାରିଧାମ ଯାତ୍ରା ଆରମ୍ଭ ହେବ । ବଦ୍ରିନାଥ ଧାମର ଦ୍ୱାର ମେ’ ୪ରେ ଖୋଲିବ । ତେବେ କେଦାରନାଥ ଧାମର କବାଟ ଖୋଲିବାର ତାରିଖ ମହାଶିବରାତ୍ରି ଦିନ ଘୋଷଣା କରାଯିବ । ଚଳିତ ବର୍ଷ ଚାରିଧାମ ଯାତ୍ରା ପାଇଁ ୬୦% ପଞ୍ଜୀକରଣ ଅନଲାଇନ୍ ଏବଂ ୪୦% ଅଫଲାଇନ୍ ହେବ ।

ଉତ୍ତରାଖଣ୍ଡ ସରକାରଙ୍କ ସରକାରୀ ୱେବସାଇଟ୍ registrationandtouristcare.uk.gov.in ରେ ଅନଲାଇନ୍ ପଞ୍ଜୀକରଣ କରାଯିବ । ଏହି ପ୍ରକ୍ରିୟା ମାର୍ଚ୍ଚ ୧ରୁ ଆରମ୍ଭ ହେବାର ସମ୍ଭାବନା ରହିଛି । ସେପଟେ ଯାତ୍ରାର ପୂର୍ବ ୧୫ ଦିନ ପାଇଁ ୨୪ ଘଣ୍ଟା ଅଫ୍‌ଲାଇନ୍ ପଞ୍ଜୀକରଣ ସୁବିଧା ଦିଆଯିବ । ହରିଦ୍ୱାର ଓ ଋଷିକେଶରେ ୨୦-୨୦ଟି ଏବଂ ବିକାଶନଗରରେ ୧୫ଟି ଅଫଲାଇନ୍ ପଞ୍ଜିକରଣ କାଉଣ୍ଟର ଖୋଲାଯିବ । ଯାତ୍ରାର ଗୋଟିଏ ମାସ ପୂର୍ବରୁ କୌଣସି ପ୍ରକାରର ଭିଆଇପି ଦର୍ଶନ ପାଇଁ ଅନୁମତି ଦିଆଯିବ ନାହିଁ । ସମସ୍ତ ଶ୍ରଦ୍ଧାଳୁଙ୍କୁ କେବଳ ସାଧାରଣ ପ୍ରକ୍ରିୟା ମାଧ୍ୟମରେ ହିଁ ଦର୍ଶନ କରିବାକୁ ପଡ଼ିବ । ଏ ସମ୍ବନ୍ଧରେ ସମସ୍ତ ରାଜ୍ୟର ମୁଖ୍ୟ ସଚିବଙ୍କୁ ସୂଚନା ପଠାଯିବ ।

କହିରଖୁଛୁ ଯେ, କେଦାରନାଥ ଧାମ ପରିଦର୍ଶନ କରିବା ଭାଗ୍ୟର କଥା ବୋଲି କୁହାଯାଏ । କାରଣ ବିଶ୍ୱାସ କରାଯାଏ ଯେ ଏହି ସ୍ଥାନରେ ଭଗବାନ ଶିବ ସୃଷ୍ଟି ରଚନା କରିଥିଲେ ଏବଂ ପରମବ୍ରହ୍ମା ପ୍ରାପ୍ତ କରିଥିଲେ। କେଦାରନାଥ ମନ୍ଦିର ଭାରତର ୧୨ଟି ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଗୋଟିଏ । କୁହାଯାଏ ଯେ, ଏହି ପବିତ୍ର ମନ୍ଦିରକୁ ଦର୍ଶନ କରି ତୀର୍ଥଯାତ୍ରୀମାନେ ମୋକ୍ଷ ପ୍ରାପ୍ତ କରନ୍ତି। ହିନ୍ଦୁ ବିଶ୍ୱାସ ଅନୁଯାୟୀ, ଯେଉଁ ବ୍ୟକ୍ତି ଜୀବନରେ ଥରେ କେଦାରନାଥ ମନ୍ଦିର ଦର୍ଶନ କରନ୍ତି ତାଙ୍କୁ ପ୍ରକୃତିର ଜୀବନ ଏବଂ ମୃତ୍ୟୁର ଖେଳରୁ ମୁକ୍ତି ମିଳିଥାଏ। ସେହିପରି ଯିଏ କେଦାରନାଥ ଜ୍ୟୋତିର୍ଲିଙ୍ଗଙ୍କୁ ପୂଜା କରେ ଏବଂ ସେଠାରେ ଥିବା ଜଳ ପାନ କରେ, ତାହାର ମଧ୍ୟ ପୁନର୍ଜନ୍ମ ହୁଏ ନାହିଁ। ସେ କେବଳ ଗୋଟିଏ ଜୀବନ ପାଏ ଏବଂ ସେ ଏଥିରେ ସର୍ବୋତ୍ତମ କାମ କରେ।

 

Comments are closed.