ନୂଆଦିଲ୍ଲୀ: ଇସ୍ରୋର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ଭି. ନାରାୟଣନ । ଏସ. ସୋମନାଥଙ୍କ ସ୍ଥାନ ନେବେ ଭି. ନାରାୟଣନ । କେନ୍ଦ୍ର ସରକାରଙ୍କ କ୍ୟାବିନେଟ୍ ନିଯୁକ୍ତି କମିଟି ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ୧୪ ତାରିଖରେ ଇସ୍ରୋର ଅଧ୍ୟକ୍ଷ ଭାବରେ ଦାୟିତ୍ବ ଗ୍ରହଣ କରିବେ ନାରାୟଣନ । ଆସନ୍ତା ୨ ବର୍ଷ ପର୍ଯ୍ୟନ୍ତ ଇସ୍ରୋର ଅଧ୍ୟକ୍ଷ ଦାୟିତ୍ବରେ ରହିବେ ନାରାୟଣନ । ନିଯୁକ୍ତି ହେବା ପରେ ନାରାୟଣନ କହିଛନ୍ତି, ଆମ ପାଖରେ ଅନେକ ମହାନ ପ୍ରତିଭା ଅଛନ୍ତି । ସମସ୍ତଙ୍କୁ ଏକା ସଙ୍ଗରେ ନେଇ ଇସ୍ରୋକୁ ଅଧିକ ଉଚ୍ଚତାରେ ପହଞ୍ଚାଇବି। ଏହା ମୋର ଶପଥ ।
ତାମିଲ ମାଧ୍ୟମ ବିଦ୍ୟାଳୟରେ ଅଧ୍ୟୟନ କରିବା ପରେ ନାରାୟଣନ ଖଡ଼ଗପୁରର ଆଇଆଇଟିରୁ କ୍ରାୟୋଜେନିକ ଇଞ୍ଜିନିୟରିଂରେ ଏମ୍ଟେକ୍ ଏବଂ ଏରୋସ୍ପେସ୍ ଇଞ୍ଜିନିୟରିଂରେ ପିଏଚ୍ଡି କରିଛନ୍ତି । ସେ ଏମ୍ଟେକ୍ ପ୍ରୋଗ୍ରାମରେ ପ୍ରଥମ ସ୍ଥାନ ହାସଲ କରିଥିଲେ । ଯେଉଁଥିପାଇଁ ତାଙ୍କୁ ରୌପ୍ୟ ପଦକ ପ୍ରଦାନ କରାଯାଇଥିଲା । ଭି. ନାରାୟଣନ ବର୍ତ୍ତମାନ ବାଲିୟାମାଲାସ୍ଥିତ ଲିକ୍ୱିଡ୍ ପ୍ରୋପଲସନ୍ ସିଷ୍ଟମ୍ ସେଣ୍ଟର (ଏଲପିଏସସି)ର ମୁଖ୍ୟ ଭାବେ କାର୍ଯ୍ୟରତ ଅଛନ୍ତି । ମହାକାଶ ଆୟୋଗର ଅଧ୍ୟକ୍ଷ ଥିବା ନାରାୟଣନ୍ କ୍ରାୟୋଜେନିକ୍ ଇଞ୍ଜିନର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଭାରତୀୟ ମହାକାଶ କାର୍ଯ୍ୟକ୍ରମରେ ପ୍ରାୟ ଚାରି ଦଶନ୍ଧିର ଅଭିଜ୍ଞତା ସହିତ ନାରାୟଣନ ଇସ୍ରୋରେ ଅନେକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ।
କେନ୍ଦ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ‘କ୍ୟାବିନେଟର ନିଯୁକ୍ତି କମିଟି ୧୪ ଜାନୁଆରୀ ୨୦୨୫ରୁ ଆସନ୍ତା ଦୁଇ ବର୍ଷ ପାଇଁ ତଥା ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ମହାକାଶ ବିଭାଗର ମହାନିର୍ଦ୍ଦେଶକ ପଦବୀରେ ଭି. ନାରାୟଣନଙ୍କୁ ନିଯୁକ୍ତ କରାଯାଇଛି । ସେ ଜଣେ ରକେଟ୍ ଏବଂ ମହାକାଶଯାନ ପ୍ରଫେସନାଲ ବିଶେଷଜ୍ଞ ଏବଂ ୧୯୮୪ ରେ ସେ ଇସ୍ରୋରେ ଯୋଗ ଦେଇଥିଲେ । ଶ୍ରୀ ନାରାୟଣନ ଏଲପିଏସସିର ନିର୍ଦ୍ଦେଶକ ହେବା ପୂର୍ବରୁ ବିଭିନ୍ନ ପଦବୀରେ କାର୍ଯ୍ୟ କରିଛନ୍ତି । ସେ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ କାଉନସିଲ-ସ୍ପେସ୍ ଟ୍ରାନ୍ସପୋର୍ଟ ସିଷ୍ଟମ (ପିଏମସି-ଏସଟିଏସ) ର ଚେୟାରମ୍ୟାନ୍ ଭାବେ ମଧ୍ୟ କାର୍ଯ୍ୟରତ । ପ୍ରାରମ୍ଭିକ ପର୍ଯ୍ୟାୟରେ ସେ ବିକ୍ରମ ସାରବାଇ ସ୍ପେସ୍ ସେଣ୍ଟର୍ (ଭିଏସ୍ଏସସି) ରେ ସାଉଣ୍ଡିଂ ରକେଟ୍ ଏବଂ ଅଗମେଣ୍ଟେଡ୍ ସାଟେଲାଇଟ୍ ଲଞ୍ଚ୍ ଭେଇକିଲ୍ (ASLV) ଏବଂ ପୋଲାର ସାଟେଲାଇଟ୍ ଲଞ୍ଚ ଭେଇକିଲ୍ (PSLV) ର କଠିନ ପ୍ରବୃତ୍ତି କ୍ଷେତ୍ରରେ କାର୍ଯ୍ୟ କରିଥିଲେ ।