ନୂଆଦିଲ୍ଲୀ: ଦେଶର ପ୍ରସିଦ୍ଧ ବନ୍ୟପ୍ରାଣୀ ସଂରକ୍ଷଣବିତ୍ ତଥା ଲେଖକ ବାଲ୍ମିକି ଥାପରଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା। ସେ ଶନିବାର ସକାଳେ ତାଙ୍କ ଘରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
ସେ କର୍କଟ ରୋଗରେ ପୀଡ଼ିତ ଥିଲେ। ତେବେ ତାଙ୍କର ଶେଷକୃତ୍ୟ ଶନିବାର ଦିଲ୍ଲୀର ଲୋଧି ଶ୍ମଶାନରେ ସଂପନ୍ନ ହେବ। ବାଲ୍ମିକି ଥାପର ତାଙ୍କ ସମଗ୍ର ଜୀବନ ବାଘ ସଂରକ୍ଷଣ ପାଇଁ ଉତ୍ସର୍ଗ କରିଥିଲେ। ସେ ବିଶେଷକରି ରାଜସ୍ଥାନର ରଣଥମ୍ବୋର ଜାତୀୟ ଉଦ୍ୟାନରେ ଅନେକ କାମ କରିଥିଲେ।
ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସେଣ୍ଟ ଷ୍ଟିଫେନ୍ସ କଲେଜରୁ ସମାଜବିଜ୍ଞାନରେ ସ୍ୱର୍ଣ୍ଣ ପଦକ ସହିତ ପାଠପଢ଼ିଥିଲେ। ସେ ଥିଏଟର କଳାକାର ସଞ୍ଜନା କପୁରଙ୍କୁ ବିବାହ କରିଥିଲେ। ସଞ୍ଜନା ହେଉଛନ୍ତି ପ୍ରସିଦ୍ଧ ଅଭିନେତା ଶଶି କପୁରଙ୍କ ଝିଅ।
ତେବେ ବାଲ୍ମିକିଙ୍କୁ ତାଙ୍କ ଗୁରୁ ଫତେହ ସିଂହ ରାଠୋର ବନ୍ୟପ୍ରାଣୀ ସଂରକ୍ଷଣରେ ପଥ ଦେଖାଇଥିଲେ। ଫତେହ ସିଂହ ପ୍ରୋଜେକ୍ଟ ଟାଇଗରର ମୁଖ୍ୟ ସଦସ୍ୟମାନଙ୍କ ମଧ୍ୟରୁ ଜଣେ ଥିଲେ।
ଅପରପକ୍ଷରେ ବାଲ୍ମିକି ୩୦ରୁ ଅଧିକ ପୁସ୍ତକ ଲେଖିଛନ୍ତି ଏବଂ ସମ୍ପାଦନା ମଧ୍ୟକରିଛନ୍ତି। ସେଥିମଧ୍ୟରେ ‘ଲ୍ୟାଣ୍ଡ ଅଫ୍ ଦି ଟାଇଗର: ଏ ନାଚୁରାଲ୍ ହିଷ୍ଟ୍ରି ଅଫ୍ ଦି ଇଣ୍ଡିଆନ୍ ସବକଣ୍ଟିନେଣ୍ଟ’ (୧୯୯୭) ଏବଂ ‘ଟାଇଗର ଫାୟାର: ୫୦୦ ଇୟର୍ସ ଅଫ୍ ଦି ଟାଇଗର ଇନ୍ ଇଣ୍ଡିଆ’ ପ୍ରସିଦ୍ଧ। ସେ ଅନେକ ବନ୍ୟପ୍ରାଣୀ ଚଳଚ୍ଚିତ୍ର ମଧ୍ୟ ତିଆରି କରିଥିଲେ। ୧୯୯୭ ମସିହାରେ, ସେ ବିବିସିର ଛଅ ଭାଗ ବିଶିଷ୍ଟ ଧାରାବାହିକ ‘ଲ୍ୟାଣ୍ଡ ଅଫ୍ ଦି ଟାଇଗର’ରେ ଭାରତୀୟ ଉପମହାଦେଶର ଜୈବ ବିବିଧତାକୁ ପ୍ରଦର୍ଶନ କରିଥିଲେ। ସେହିପରି ୨୦୨୪ ମସିହାରେ, ବାଲ୍ମୀକି ‘ମାଇ ଟାଇଗର ଫ୍ୟାମିଲି’ ନାମକ ଏକ ଡକ୍ୟୁମେଣ୍ଟାରୀରେ ନଜର ଆସିଥିଲେ।
Comments are closed.