Latest Odisha News

VB—G RAM G ବିଲକୁ ମିଳିଲା ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ନୂଆଦିଲ୍ଲୀ: ବିକାଶିତ ଭାରତ-ନିଯୁକ୍ତି ଏବଂ ଜୀବିକା ମିଶନ ପାଇଁ ଗ୍ୟାରେଣ୍ଟି (ଗ୍ରାମୀଣ) (VB-G RAMG) ବିଲ୍ ୨୦୨୫କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସ୍ଵୀକୃତି ପ୍ରଦାନ କରିଛନ୍ତି।

ଏହା ଦ୍ବାରା ପ୍ରମୁଖ ଗ୍ରାମୀଣ ନିଯୁକ୍ତି ଯୋଜନା ପାଇଁ ରାସ୍ତା ସରଳ ହୋଇପାରିବ ବୋଲି ଆଶା କରାଯାଉଛି। ପ୍ରାୟ ଦୁଇ ଦଶନ୍ଧି ପୁରୁଣା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆଇନ (MGNREGA)କୁ ସରକାରଙ୍କ ବିକଶିତ ଭାରତ ୨୦୪୭ର ଦୃଷ୍ଟିକୋଣ ସହିତ ମିଶାଯାଇ ଏକ ନୂତନ ଆଇନଗତ ଢାଞ୍ଚା ଦ୍ଵାରା ବଦଳାଯାଇଥିବା କୁହାଯାଉଛି।

ନୂତନ ଆଇନ ଅନୁଯାୟୀ ଗ୍ରାମୀଣ ପରିବାର ପାଇଁ ନିଯୁକ୍ତି ଗ୍ୟାରେଣ୍ଟି ପ୍ରତି ଆର୍ଥିକ ବର୍ଷରେ ୧୦୦ ଦିନରୁ ବୃଦ୍ଧି କରାଯାଇ ୧୨୫ ଦିନକୁ କରାଯାଇଥିବା ସୂଚନା ମିଳିଛି।

ସେହିପରି ପାଣ୍ଠି ବ୍ୟବସ୍ଥାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି। ପୂର୍ବରୁ କେନ୍ଦ୍ର ସରକାର MNREGA ଅଧୀନରେ ମଜୁରୀର ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରୁଥିଲେ କିନ୍ତୁ ବର୍ତ୍ତମାନ ନୂତନ ନିୟମାନୁଯାୟୀ VB-G RAMG ଢାଞ୍ଚା କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଅଂଶୀଦାର ଭାବରେ ପାଣ୍ଠି ବଣ୍ଟନ କରାଯିବ। ଯାହା ଅଧୀନରେ ଖର୍ଚ୍ଚ ୬୦:୪୦ ଅନୁପାତରେ କରାଯିବ। ତେବେ ପୂର୍ବରୁ ଏହା ଉତ୍ତର-ପୂର୍ବ ଏବଂ ହିମାଳୟ ରାଜ୍ୟ ପାଇଁ ୯୦:୧୦ ଏବଂ ଅନ୍ୟ ରାଜ୍ୟ ପାଇଁ ୭୫:୨୫ ଥିଲା।

ଏଥିରେ ନିଯୁକ୍ତି ମୁଖ୍ୟତଃ ଚାରୋଟି କ୍ଷେତ୍ରରେ ସୀମିତ ରହିବ: ଜଳ ସୁରକ୍ଷା, ଗ୍ରାମୀଣ ଭିତ୍ତିଭୂମି, ଜୀବିକା ସମ୍ବଳ ଏବଂ ଜଳବାୟୁ ଅନୁକୂଳ।

ତେବେ ଏହି ଆଇନକୁ ନେଇ ବିରୋଧୀ ଦଳର ନେତା ମାନେ ବିରୋଧ କରିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଆଇନର ଶୀର୍ଷକରୁ ମହାତ୍ମା ଗାନ୍ଧୀଙ୍କ ନାମ ହଟାଇବାକୁ ନେଇ ମଧ୍ୟ ଆପତ୍ତି ଉଠାଇଛନ୍ତି। ଏହି ବିଲ୍ ଦ୍ଵାରା ମନରେଗାର ଅଧିକାର-ଭିତ୍ତିକ ଭାବନାକୁ ଦୁର୍ବଳ କରିବା ସହ ଏହି ନିଷ୍ପତ୍ତି ଶ୍ରମିକଙ୍କ ଅଧିକାରକୁ ସୀମିତ କରିବ ବୋଲି ବିରୋଧୀ ଦଳ ଅଭିଯୋଗ କରିଛନ୍ତି।

 

Comments are closed.