ଭୁବନେଶ୍ୱର: ବଜାରରେ ହୁ ହୁ ହୋଇ ବଢ଼ି ଚାଲିଛି ପନିପରିବା ଦର । କାଲି ଯେଉଁଠି ୮୦ରୁ ଶହେ ଟଙ୍କା ଭିତରେ ଟମାଟୋ ବିକ୍ରି ହେଉଥିଲା, ସ୍ଥାନେ ସ୍ଥାନେ ଆଜି ତାହା ୧୨୦ ଛୁଇଁଛି । ଗ୍ରାହକଙ୍କ ପକେଟକୁ ମଧ୍ୟ ବାଧୁଛି ପରିବା ଦରବୃଦ୍ଧି । ଟଙ୍କା ସରୁଛି ସତ ହେଲେ ପରିବା ବ୍ୟାଗ୍ ପୁରୁନି । ସେପଟେ ପରିବା ଦର ବଢ଼ିଥିବାରୁ ଆମିଷ ଖାଇବାକୁ ଲୋକେ ଅଧିକ ପସନ୍ଦ କରୁଛନ୍ତି । ପରିବା କମ୍ କିଣି ମାଛ, ଅଣ୍ଡା, ମାଂସ ଇତ୍ୟାଦି ଅଧିକ କିଣୁଥିବା ଦେଖିବାକୁ ମିଳିଛି । ପରିବା ବଜାରରେ ମଧ୍ୟ ଲୋକଙ୍କ ଭିଡ଼ କମ୍ ଥିବା ଦେଖିବାକୁ ମିଳିଛି ।
୮୦ ଟଙ୍କା ତଳକୁ ନାହିଁ କୌଣସି ପରିବା ଦାମ୍ । ପୋଟଳ, କାଙ୍କଡ, କଲରା, ବାଇଗଣ, ଭେଣ୍ଡି, ଜହ୍ନି ସବୁ ପରିବାର ଉଚ୍ଚା ଦର । ଆଉ ଟମାଟୋ କଥା ତ ନକହିବା ହିଁ ଭଲ । ଫୁଲ କୋବି ଦର ୭୦ରୁ ୮୦ ଟଙ୍କା ଥିବା ବେଳେ ବାଇଗଣ ୫୦, ପୋଟଳ ୬୦, କଦଳୀ ୬୦, ମାଟି ଆଳୁ ୧୨୦, ଅଦା ୨୮୦, ରସୁଣ ୧୫୦, ଭେଣ୍ଡି ୫୦ ଓ କଲରା ୮୦ ଟଙ୍କାରେ ବିକ୍ରି ହେଉଛି । କଣ ନେବେ, କେତେ ନେବେ ଦୁଇ ଦୁଇ ଥର ଭାବିବାକୁ ପଡୁଛି । ୫ଶହରୁ ୬ଶହ ଟଙ୍କାରେ ବି ବ୍ୟାଗ୍ ଅଧା ହେଉନି ।
ସେପଟେ ମୌସୁମୀ ଓ ଲଘୁଚାପ ବର୍ଷା ପ୍ରଭାବରେ ଗଛରେ ବାଇଗଣ, ପୋଟଳ, ଭେଣ୍ଡି ଆଦି ପରିବା ନଷ୍ଟ ହୋଇଛି । ଗଛରୁ ଫୁଲ, ଫଳ ମଧ୍ୟ ଝଡ଼ି ପଡ଼ିଛି । ଅନ୍ୟପଟେ ବର୍ଷା ଯୋଗୁଁ ପରିବା ଅମଳ ହୋଇନଥିବାରୁ ବଜାରକୁ ପର୍ଯ୍ୟାପ୍ତ ପରିମାଣର ପରିବା ଆସିପାରିନାହିଁ । ଯାହା ଫଳରେ ପରିବା ବୃଦ୍ଧି ପାଉଥିବା କୁହାଯାଉଛି ।
Comments are closed.