Latest Odisha News

BREAKING NEWS

Minor Daughter Rape Case: ନାବାଳିକା ଝିଅକୁ ଯୌନ ନିର୍ଯାତନା ମାମଲାରେ ଆସିଲା ରାୟ, ବାପକୁ ୭ ବର୍ଷ କାରାଦଣ୍ଡାଦେଶ

ବାଲେଶ୍ୱର: ନିଜ ୧୦ ବର୍ଷର ନାବାଳିକା ଝିଅକୁ ଯୌନ ନିର୍ଯାତନା ମାମଲାରେ ରାୟ ପ୍ରକାଶ କରିଛନ୍ତି ବାଲେଶ୍ୱର ଜିଲ୍ଲା ପୋକ୍ସୋ ଅଦାଲତ । ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ବାପା ବାଦଲ ସିଂକୁ ୭ ବର୍ଷ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜୋରିମାନା କରିଛନ୍ତି ।
ସୂଚନାଯୋଗ୍ୟ ଯେ, ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ବାସୁଖୁଣ୍ଟା ଅଞ୍ଚଳରେ ରହୁଥିବା ଅଭିଯୁକ୍ତ ବାଦଲ ସିଂ ନିଜ ୧୦ ବର୍ଷର ନାବାଳିକା ଝିଅଙ୍କୁ ଯୌନ ନିର୍ଯାତନା ଦେଇ ଆସୁଥିଲା । ନାବାଳିକା ଜଣକ ବାପା ବାଦଲର ବ୍ୟବହାରରେ ଅତିଷ୍ଠ ହୋଇ ଘଟଣା ସଂକ୍ରାନ୍ତରେ ସମ୍ପର୍କୀୟ ମାଉସୀଙ୍କୁ କହିଥିଲେ । ପରେ ମାଉସୀ ଜଣକ ଗତ ଜାନୁୟାରୀ ୨ ତାରିଖରେ ରେମୁଣା ଥାନାରେ ଅଭିଯୋଗ କରିଥିଲେ ।

ପୋଲିସ ମାମଲା ରୁଜୁ କରିବା ସହ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିଥିଲା । ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବାକୁ ପୋଲିସ ପକ୍ଷରୁ ଡିଏନଏ ବିଶ୍ଳେଷଣ ଏବଂ ଫୋରେନସିକ୍ ପ୍ରମାଣ ଭଳି ଅତ୍ୟାଧୁନିକ ବୈଜ୍ଞାନିକ କୌଶଳର ବ୍ୟବହାର କରାଯାଇଥିଲା ।

ଆଜି, କୋର୍ଟ ଏହି ରାୟ ପ୍ରକାଶ କରି, ଭାରତୀୟ ନ୍ୟାୟ ସଂହିତା (BNS) ତଥା ପୋକ୍ସୋ ଆଇନ (POCSO) ଅନୁଯାୟୀ ଅଭିଯୁକ୍ତ ବାପକୁ ଦୋଷୀ ସାବ୍ୟସ୍ତ କରିବା ସହ ୭ ବର୍ଷ କାରାଦଣ୍ଡ ଏବଂ ୧୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି ।

ରେମୁଣା ଥାନା ସବ ଇନ୍ସପେକ୍ଟର ସୁବାସ ଚନ୍ଦ୍ର ମଲ୍ଲିକ ଏହି ମାମଲାର ତଦନ୍ତ କରିଥିବା ବେଳେ ସରକାରୀ ଓକିଲ ପ୍ରଣବ କୁମାର ପଣ୍ଡା ଏହି ମାମଲାକୁ ପରିଚାଳନା କରିଥିଲେ ।

Comments are closed.