Latest Odisha News

‘ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର’ର ଗାୟକ ଚିତ୍ତ ଜେନାଙ୍କ ଦେହାନ୍ତ

କଟକ : ବିଶିଷ୍ଟ ଓଡିଆ କଣ୍ଠଶିଳ୍ପୀ ଚିତ୍ତ ଜେନାଙ୍କ ଆଜି ସକାଳେ କଟକର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା ।

ପରିବାର ସଦସ୍ୟଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ୨୦୧୬ ମସିହାରେ ତାଙ୍କର ଓପନ୍ ହାର୍ଟ ସର୍ଜରୀ ହୋଇଥିଲା । ସେବେଠୁ ତାଙ୍କର ସ୍ୱାସ୍ଥ୍ୟ ଠିକ୍ ରହୁନଥିଲା ଏବଂ କୌଣସି କାରଣରୁ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡିବାରୁ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିଲା । ସେଠାରେ ସେ ପ୍ରାଣତ୍ୟାଗ କରିଛନ୍ତି ।

ଓଡିଆ ଚଳଚ୍ଚିତ୍ରରେ ସେ ଗାଇଥିବା ଅନେକ ଗୀତ ଗୁଡିକ ଆଜି ମଧ୍ୟ ଲୋକପ୍ରିୟ ହୋଇରହିଛି । ‘ରୂପ ହୋଇଥିବ ଲବଣ୍ୟବତୀ’, ‘ଉଡିଗଲା ଗେଣ୍ଡାଳିଆ’, ‘ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର’ ଭଳି ଗୀତ ଗାଇ ସେ ଦର୍ଶକଙ୍କ ପ୍ରିୟ ହୋଇଥିଲେ । ଏଥିସହିତ ‘କି ସୁନ୍ଦର ଆହା କି ଆନନ୍ଦମୟ’ ଏବଂ ‘ଟୋପାଏ ଲୁହ’ ପରି ଅନେକ ହିଟ୍ ଗୀତ ଦେଇଥିଲାବେଳେ ସେ ଅନେକ ଭଜନ ମଧ୍ୟ ଗାଇଛନ୍ତି ।

ସେ ୧୯୪୧ ମସିହା ଡିସେମ୍ବର ୨୪ ଦିନ କଟକ ଜିଲ୍ଲା ପୋପରଡା ଗ୍ରାମର ଏକ ପରିବାରରେ ଜନ୍ମଗ୍ରହଣ କରିଥିଲେ । ୧୯୭୪ ରେ ନିର୍ମିତ ଚଳଚ୍ଚିତ୍ର ‘ମନ ଆକାଶ’ରେ ପ୍ରଥମେ ଗୀତ ଗାଇବାକୁ ସୁଯୋଗ ପାଇଥିଲେ । ଏହି ଚଳଚ୍ଚିତ୍ରରେ ଗୀତ ସେ ଲୋକପ୍ରିୟ ହୋଇ ପାରିଥିଲେ ଏବଂ ଏଥିସହିତ ସେ ୨୦୧୦ରେ ସମ୍ମାନୀୟ ‘ପ୍ରଫୁଲ୍ଲ କର ସମ୍ମାନ’ ଓ ୨୦୧୧ରେ ‘ଜୀବନ ବ୍ୟାପି ସାଧନା’ ସମ୍ମାନରେ ସମ୍ମାନିତ ହୋଇଥିଲେ ।

ଏହି ମୃତ୍ୟୁ ଖବର ଜଣାପଡିବା ପରେ ସିନେ ମହଲରେ ଏକପ୍ରକାର ଶୋକର ଛାୟା ଖେଳିଯାଇଛି । ଏଥିସହିତ ପ୍ରଖ୍ୟାତ କଣ୍ଠଶିଳ୍ପୀ ଚିତ୍ତଙ୍କ ଶେଷ ଦର୍ଶନ ପାଇଁ ବିଶିଷ୍ଟ ଅଭିନେତା ମିହିର ଦାସଙ୍କ ସମେତ ଓଲିଉଡର ଅନେକ କଳାକାର ରାଣୀହାଟ ସ୍ଥିତ ତାଙ୍କ ବାସ ଭବନରେ ପହଞ୍ଚିଛନ୍ତି ।

Leave A Reply

Your email address will not be published.