ଭୁବନେଶ୍ୱର : ଅହିରାଜର ହାଡକୁ ଯୋଡିବାରେ ସଫଳ ହେଲା ଓୟୁଏଟି ଭେଟେନାରୀ କଲେଜର ସର୍ଜରୀ ବିଭାଗ । ଅହିରାଜର ହାଡ଼କୁ ଯୋଡିବା ପାଇଁ ଓୟୁଏଟି ସ୍ଥିତ ଭେଟେରିନାରୀ କଲେଜର ସର୍ଜରୀ ବିଭାଗର ପ୍ରଫେସର ଡାକ୍ତର ଇନ୍ଦ୍ରମଣୀ ନାଥ ଏବଂ ତାଙ୍କର ଟିମ ମିଶି ସଫଳତାର ଅହିରାଜ ସାପର ପ୍ଲାଷ୍ଟର୍ କରିଥିଲେ । ଆଜି ସକାଳୁ ଆଉଥରେ ଏକ୍ସରେ କରିବା ପରେ ପ୍ରଫେସର ନାଥ ସାପର ଚିକିତ୍ସା ଆରମ୍ଭ କରିଥିଲେ ।

ପ୍ରଥମେ ପ୍ଲାଷ୍ଟର୍ କରିବା ପାଇଁ ଏକ ୩ ଇଞ୍ଚ ମୋଟେଇ ପିଭିସି ପାଇପକୁ ଆରି ପାତ ସାହାଯ୍ୟରେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ମାନେ କାଟି ଦୁଇଭାଗ କରିଥିଲେ । ଏହା ପରେ ସେହି ଦୁଇ ଫାଳ ପାଇପର ଭିତର ପଟେ ତୁଳା ଓ ମାଇକ୍ରୋପୋର ବ୍ୟାଣ୍ଡେଜ୍ ସାହାଯ୍ୟରେ ପ୍ୟାଡିଙ୍ଗ ଦିଆଯାଇ ନରମ ଗଦି ପରି ବ୍ୟବସ୍ଥା କରାଯାଇଥିଲା । ଯେମିତି କି ସାପ ଦେହରେ କଠିନ ପ୍ଲାଷ୍ଟିକ ପାଇପ ଘଷି ହୋଇ କ୍ଷତ ହେବନାହିଁ ।
ଏହାପରେ ୧୨ ଫୁଟ ଲମ୍ବର ଅହିରାଜ ସାପର ମୁଣ୍ଡକୁ ଏକ ଟ୍ରାନ୍ସପାରେଣ୍ଟ ରିଷ୍ଟ୍ରେନିଂ ଟ୍ୟୁବ ଭିତରେ ଭର୍ତ୍ତି କରିବା ପରେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ମାନେ ଅତ୍ୟନ୍ତ ସତର୍କତା ର ସହିତ ସାପକୁ କବଳିତ କରି ଟେବୁଲ ଉପରେ ଧରି ରଖିଥିଲେ । ଏହାପରେ ପ୍ରଫେସର ଇନ୍ଦ୍ରମଣୀ ନାଥ, ଆସିଷ୍ଟାଣ୍ଟ ପ୍ରଫେସର ସିଦ୍ଧାର୍ଥ ଶଙ୍କର ବେହେରା ଅହିରାଜ ର ପ୍ଲାଷ୍ଟର୍ କାମ ଆରମ୍ଭ କରିଥିଲେ ।

ପ୍ରଥମେ ପୋଭିଡ଼ନ ଆୟୋଡିନ ପାଉଡ଼ର ସାପର ଆଘାତ ଲାଗିଥିବା ସ୍ଥାନ ଚାରିପଟେ ସିଞ୍ଚନ କରାଯାଇଥିଲା । ସାପ ଟିକୁ ଆଣ୍ଟିବାୟୋଟିକ ଓ ପେନ କିଲର ଇଂଜେକସନ ମଧ୍ୟ ଦିଆଯାଇଥିଲା । ପ୍ଲାଷ୍ଟର୍ ସରିବା ପରେ ଆଉଥରେ ଏକ୍ସ-ରେ କରି ଭାଙ୍ଗିଥିବା ପିଞ୍ଜରା ହାଡ଼ର ସ୍ଥିତି ଦେଖିଥିଲେ ପ୍ରଫେସର ନାଥ ।

ପ୍ଲାଷ୍ଟର୍ ସଫଳ ହୋଇଥିବା ଜାଣି ସାପ ଟିକୁ ଖୋଲାରେ ଛାଡି ଦୀର୍ଘ ଏକ ଘଣ୍ଟା କାଳ ଡାକ୍ତରୀ ଟିମ ଏବଂ ସ୍ନେକ ହେଲ୍ପ ଲାଇନ ସଦସ୍ୟ ମାନେ ଅହିରାଜର ବ୍ୟବହାର ଓ ଗତିବିଧି କୁ ଲକ୍ଷ କରି ଏହା ସ୍ବାଭାବିକ ଥିବା ଜାଣିବାକୁ ପାଇଥିଲେ । ସାପଟିକୁ ୩ ସପ୍ତାହ ପର୍ୟ୍ୟନ୍ତ ଅବଜରଭେସନ ରହିବା ପରେ ପରେ ପ୍ଲାଷ୍ଟର୍ ଖୋଲାଯିବ ।

ପ୍ରଫେସର ଡାକ୍ତର ଇନ୍ଦ୍ରମଣୀ ନାଥ କହିଛନ୍ତି “ଏତେ ବଡ ବିଷଧର ସାପକୁ ଚିକିତ୍ସା କରିବା ଆମ ପାଇଁ ଏକ ଚ୍ୟାଲେଞ୍ଜ ଥିଲା ଏବଂ ଆମେ ଏହା ସଫଳତାର ସହ ସମାପନ କରିଛୁ । ସାରା ଭାରତରେ ଅହିରାଜ ସାପର ହାଡ ଭଙ୍ଗା ଚିକିତ୍ସା ଏଇଟା ପ୍ରଥମ । ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି ଆମେ ଏଇ ଅହିରାଜକୁ ସୁସ୍ଥ ହେବା ପରେ ଉଦ୍ଧାର ହୋଇଥିବା ସ୍ଥାନ ନିକଟସ୍ଥ ଜଙ୍ଗଲ ରେ ଛାଡିବୁ ।
Comments are closed.