ଭୁବନେଶ୍ୱର: ରାଜ୍ୟର ୭ ବିଶ୍ୱବିଦ୍ୟାଳୟରେ କୁଳପତି ନାହାନ୍ତି । ଏହି ବିଶ୍ୱବିଦ୍ୟାଳୟ ଗୁଡିକ ହେଲା ଉତ୍କଳ ବିଶ୍ୱବିଦ୍ୟାଳୟ, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ, ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ, ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଓ କଳାହାଣ୍ଡିସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ। ଦୀର୍ଘ ଦିନ ଧରି ଏହି କୁଳପତି ପଦବିଗୁଡିକ ଖାଲିପଡିଛି। ଏନେଇ ଏଭଳି ତଥ୍ୟ ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।
କାମଚଳାରେ ପ୍ରଶାସନିକ କାର୍ଯ୍ୟଠାରୁ ନେଇ ଅନ୍ୟାନ୍ୟ ଶୈକ୍ଷିକ କାର୍ଯ୍ୟକ୍ରମ ଚାଲିଛି। ସେହିପରି ଉଚ୍ଚଶିକ୍ଷା ବିଭାଗ ଅଧୀନ ୧୭ଟି ବିଶ୍ୱବିଦ୍ୟାଳୟରେ ୧୩୫୩ ଅଧ୍ୟାପକ ନାହାନ୍ତି। ଏଠାରେ ମଞ୍ଜୁରିପ୍ରାପ୍ତ ୨୦୨୭ଟି ଅଧ୍ୟାପକ ପଦବି ଥିବା ବେଳେ ସେଥିମଧ୍ୟରୁ ମାତ୍ର ୬୭୪ଟି ପଦବିରେ ଅଧ୍ୟାପକ/ଅଧ୍ୟାପିକା କାର୍ଯ୍ୟ କରୁଛନ୍ତି। ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗରେ ମୋଟ ୨୮୭୯ ଅଣଶିକ୍ଷକ କର୍ମଚାରୀ ପଦବୀ ରହିଛି। ସେଥିମଧ୍ୟରୁ ୭୯୮ଟି ପଦବୀ ପୂରଣ ଥିବା ବେଳେ ୨୦୮୧ଟି ପଦବୀ ଖାଲିଅଛି।
ରାଜ୍ୟରେ ଏବେ ୬୬ଟି ସରକାରୀ ଡିଗ୍ରୀ ମହାବିଦ୍ୟାଳୟ ରହିଛି। ସେଥିମଧ୍ୟରୁ କେବଳ ଭୁବନେଶ୍ୱରସ୍ଥିତ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟରେ ନିୟମିତ ଅଧ୍ୟକ୍ଷ ନାହାନ୍ତି। ସରକାରୀ ଡିଗ୍ରୀ ମହାବିଦ୍ୟାଳୟଗୁଡିକରେ ମୋଟ ୨୪୦୭ ଗୋଟି ମଞ୍ଜୁରୀପ୍ରାପ୍ତ ଅଧ୍ୟାପକ ପଦବି ଥିବା ବେଳେ ଏଥିମଧ୍ୟରୁ ୪୩୬ ଅଧ୍ୟାପକ ପଦବୀ ଖାଲିପଡିଛି। ସମସ୍ତ ମହାବିଦ୍ୟାଳୟରେ ମୋଟ ୧୭୧୧ଟି ଅଣଶୈକ୍ଷିକ ମଞ୍ଜୁରୀପ୍ରାପ୍ତ ପଦବି ରହିଥିବା ବେଳେ ୭୩୧ଟି ପଦବୀ ଖାଲିରହିଛି। ଏନେଇ ବିଧାନସଭାରେ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଏହି ତଥ୍ୟ ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।