ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ଇସ୍ତଫା ଗୃହୀତ। ଉପରାଷ୍ଟ୍ରପତିଙ୍କ ଇସ୍ତଫା ଗ୍ରହଣ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଗତକାଲି ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ ଜଗଦୀପ ଧନଖଡ଼। ସଂସଦର ମୌସୁମୀ ଅଧିବେଶନ ଚାଲିଥିବା ବେଳେ ତାଙ୍କର ଏହି ଇସ୍ତଫା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ଧନକଡଙ୍କ ହଠାତ୍ ଇସ୍ତଫା ସମସ୍ତଙ୍କୁ ଆଶ୍ବର୍ଯ୍ୟ କରିଥିବା ବେଳେ ଏନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ। ଅନ୍ୟପଟେ କଂଗ୍ରେସ ଧନଖଡ଼ଙ୍କ ଇସ୍ତଫାକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଦାୟୀ କରିଛି।
ଧନଖଡ଼ ସୋମବାର, ଜୁଲାଇ ୨୧, ୨୦୨୫ ରେ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ପଠାଇଥିଲେ । ସେ ତାଙ୍କର ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଏହି ଇସ୍ତଫା ଦେଇଛନ୍ତି। ଜଗଦୀପ ଧନଖଡ଼ ଅଗଷ୍ଟ ୨୦୨୨ରେ ଦେଶର ୧୪ତମ ଉପରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିଲେ। ତାଙ୍କ କାର୍ଯ୍ୟକାଳ ୨୦୨୭ ଅଗଷ୍ଟ ମାସରେ ଶେଷ ହେବାର ଥିଲା। ଉପରାଷ୍ଟ୍ରପତି ଭାବେ ସେ ରାଜ୍ୟସଭାର ପଦାଧିକାର ଅଧ୍ୟକ୍ଷ ଦାୟିତ୍ୱ ମଧ୍ୟ ତୁଲାଉଥିଲେ ।
ଧନଖଡ଼ଙ୍କ ଇସ୍ତଫା ପରେ ନୂତନ ଉପରାଷ୍ଟ୍ରପତି ନିର୍ବାଚିତ ହେବା ପର୍ଯ୍ୟନ୍ତ ରାଜ୍ୟସଭାର ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂ ରାଜ୍ୟସଭାର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ । ସମ୍ବିଧାନର ଅନୁଚ୍ଛେଦ ୬୮ ଅନୁଯାୟୀ, ଇସ୍ତଫା ଯୋଗୁଁ ଖାଲି ପଡିଥିବା ପଦବୀ ପାଇଁ ଯଥାଶୀଘ୍ର ନିର୍ବାଚନ ଅନୁଷ୍ଠିତ ହେବ। ଭାରତର ନିର୍ବାଚନ ଆୟୋଗ ଖୁବ ଶୀଘ୍ର ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ତାରିଖ ଘୋଷଣା କରିବେ ବୋଲି ଆଶା କରାଯାଉଛି। ଏହି ଘଟଣା ପରେ ପରବର୍ତ୍ତୀ ଉପରାଷ୍ଟ୍ରପତି କିଏ ହେବେ, ସେନେଇ ଜାତୀୟ ରାଜନୀତିରେ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି।
Comments are closed.