ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଲେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ଦୀକ୍ଷାନ୍ତ ଭାଷଣରେ ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର ଦେଇଛନ୍ତି । ଓଡ଼ିଆରେ ସେ ଭାଷଣ ଆରମ୍ଭ କରିଥିଲେ । ଉପରାଷ୍ଟ୍ରପତି କହିଛନ୍ତି, ଚରିତ୍ର ଗଠନ ସହ ଶିକ୍ଷା ସଫଳ ଜୀବନର ପ୍ରଥମ ପାହାଚ । ଶୃଙ୍ଖଳିତ ଓ ସୁସଙ୍ଗଠିତ କରିଥାଏ ଶିକ୍ଷା । ଛାତ୍ରଛାତ୍ରୀ ଦେଶର ଭବିଷ୍ୟତ ଏକଥା ମନେ ରଖିବା ଉଚିତ୍ । କଠିନ ପରିଶ୍ରମ ଛାତ୍ରାଛାତ୍ରୀଙ୍କୁ ସଫଳତା ଆଣିଦେବ । ଶୃଙ୍ଖଳା, ସଚ୍ଚୋଟତା ଓ କଠିନ ପରିଶ୍ରମ ସଫଳତାର ମୂଳମନ୍ତ୍ର । ନିଜ ଉପରେ ବିଶ୍ୱାସ ରଖି ଆଗକୁ ଆଗେଇବା ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ଉପରାଷ୍ଟ୍ରପତି ।
ସେହିପରି ନିଜ ଭାଷଣରେ ଓଡ଼ିଶାର ଗୌରବମୟ ଇତିହାସର ସ୍ମୃତିଚାରଣ କରିଛନ୍ତି ଭେଙ୍କେୟା ନାଇଡୁ । ସେ କହିଛନ୍ତି, ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରା ବେଶ ଉନ୍ନତ । କଳିଙ୍ଗ ନିଜ ପରାକାଷ୍ଠା ବଳରେ ବଳିୟାନ ହୋଇଥିଲା । ଜାଭା, ସୁମାତ୍ରା, ବାଲିଯାତ୍ରା କଳିଙ୍ଗର ସୁବର୍ଣ୍ଣ ଅଧ୍ୟାୟର ପ୍ରମାଣ ବୋଲି ଉପରାଷ୍ଟ୍ରପତି କହିଛନ୍ତି ।
ଉପରାଷ୍ଟ୍ରପତି କହିଛନ୍ତି, ଆମର ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନ ସମୂହର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସେମାନେ ବିଦ୍ୟାର୍ଥୀଙ୍କୁ ଆବଶ୍ୟକ କୌଶଳ ଓ ଦକ୍ଷତା ଯୋଗାଇ ସମର୍ଥ କରିବା ଆବଶ୍ୟକ । ଏହା ଦ୍ୱାରା ସେମାନେ କେବଳ ନିଯୁକ୍ତି ଆଶାୟୀ ନ ହୋଇ ନିଯୁକ୍ତି ସୃଷ୍ଟିକାରୀ ହୋଇପାରିବେ ।
ଆମର ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନ ସମୂହର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସେମାନେ ବିଦ୍ୟାର୍ଥୀଙ୍କୁ ଆବଶ୍ୟକ କୌଶଳ ଓ ଦକ୍ଷତା ଯୋଗାଇ ସମର୍ଥ କରିବା ଆବଶ୍ୟକ । ଏହା ଦ୍ୱାରା ସେମାନେ କେବଳ ନିଯୁକ୍ତି ଆଶାୟୀ ନ ହୋଇ ନିଯୁକ୍ତି ସୃଷ୍ଟିକାରୀ ହୋଇପାରିବେ : ଉପରାଷ୍ଟ୍ରପତି@VPSecretariat @DDOdiaNews @airnews_cuttack https://t.co/segA4IKUAW
— PIB in Odisha (@PIBBhubaneswar) April 3, 2021
ସମାବର୍ତ୍ତନ ଉତ୍ସବରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ପାଞ୍ଚ ଜଣ ବିଶିଷ୍ଟ ବ୍ୟକ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, ସିଏଜି ଗିରୀଶ ମୁର୍ମୁ, ହାଇକୋର୍ଟ ବିଚାରପତି ଜଷ୍ଟିସ ସଞ୍ଜୁ ପଣ୍ଡା, ବାର୍କର ନିର୍ଦ୍ଦେଶକ ଅଜିତ କୁମାର ମହାନ୍ତି ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଉପଦେଷ୍ଟା ବିଜୟ କୁମାର ସାହୁଙ୍କୁ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ କରାଯାଇଛି ।
୨୦୧୯-୨୦ ଶିକ୍ଷାବର୍ଷ ପାଇଁ ୪୧ ଜଣଙ୍କୁ ପିଏଚଡି ଡିଗ୍ରୀ ଓ ୯୦ ଜଣଙ୍କୁ ପ୍ରଦାନ କରାଯାଇଛି ସ୍ୱର୍ଣ୍ଣପଦକ । କାର୍ଯ୍ୟକ୍ରମରେ ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟ କୁଳାଧିପତି ପ୍ରଫେସର ଗଣେଶୀ ଲାଲ, ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ ସାହୁ ଉପସ୍ଥିତ ଥିଲେ । ଉତ୍ସବରେ ସାମିଲ ହୋଇଥିଲେ କେବଳ ଡିଗ୍ରୀ ହାସଲ କରିବାକୁ ଥିବା ଛାତ୍ରଛାତ୍ରୀ ସମେତ ବିଶ୍ୱବିଦ୍ୟାଳୟ ଏକାଡେମିକ୍ କାଉନସିଲ୍ ଓ ସିନେଟ୍ ସଦସ୍ୟ । କୋଭିଡ୍ ସଂକ୍ରମଣ ଯୋଗୁ ସୀମିତ ସଂଖ୍ୟକ ଅତିଥି ଉତ୍ସବ ସ୍ଥଳରେ ଉପସ୍ଥିତ ଥିଲେ ।
Comments are closed.