Latest Odisha News

BREAKING NEWS

ଚଳନ୍ତା ଟ୍ରେନରେ ରେଳ କର୍ମଚାରୀଙ୍କ ଦୁଃସାହସିକତା: ଦୃଢ ସମାଲୋଚନା କଲେ ୟୁଜର୍ସ..

ନୂଆଦିଲ୍ଲୀ: ପୁଣି ସାମ୍ନାକୁ ଆସିଲା ରେଳ ବିଭାଗର ନଗ୍ନ ଚିତ୍ର । ଚଳନ୍ତା ଟ୍ରେନରୁ ଅଳିଆ ଫୋପାଡି ଚାଲିଲେ ରେଳ କର୍ମଚାରୀ । କାହାକୁ ଖାତିର୍ ନକରି, ଓଲଟା ପ୍ରଶ୍ନ କରୁଛନ୍ତି କେଉଁଠି ପକେଇବି? ଯାହାକୁ ନେଇ ନିନ୍ଦା କରିଛନ୍ତି ସୋସିଆଲ ମିଡିଆ ୟୁଜର୍ସ । ଏମିତିରେ ବି ଭାରତୀୟ ରେଳବାଇ ସ୍ବଚ୍ଛତାକୁ ନେଇ ଅନେକ ଥର ସମାଲୋଚିତ ହୋଇଛି । କେତେବେଳେ ଟ୍ରେନରେ ଖାଇବାକୁ ନେଇକି, ଆଉ କେତେବେଳେ ଟ୍ରେନ୍ ପରିସର, ସୋସିଆଲ ମିଡିଆାରେ ଭିଡିଓ ସେୟାର କରି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି ଯାତ୍ରୀ । ଆଉ ଏବେ ଆଉ ଏକ ସେହିପରି ଭିଡିଓ, ଯାହା ରେଳ ସ୍ବଚ୍ଛତା ଉପରେ ପୁଣି ପ୍ରଶ୍ନ ଉଠିଇଛି ।

ବାସ୍ତବରେ ଏବେ ଏକ ଚଳନ୍ତା ଟ୍ରେନରେ, ଜଣେ ରେଳ କର୍ମଚାରୀଙ୍କ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି  । ଯାହାକୁ ଭରି ଭରି ନିନ୍ଦା କରୁଛନ୍ତି ୟୁଜର୍ସ । ଭାଇରାଲ ହେଉଥିବା ଭିଡିଓଟିରେ, ଜଣେ ବରିଷ୍ଠ ରେଳ କର୍ମଚାରୀ, ରେଳରେ ଥିବା ଡଷ୍ଟବିନରୁ ଅଳିଆ କାଢି, ରେଳ ଚଳନ୍ତା ଅବସ୍ଥାରେ ବାହାରକୁ ଫିଙ୍ଗି ଚାଲିଛନ୍ତି । ଜଣେ ବ୍ୟକ୍ତି ଏହାକୁ ରେକର୍ଡ କରି, ଯେତେବେଳେ ଉକ୍ତ କର୍ମଚାରୀଙ୍କୁ ଏମିତି ନକରିବାକୁ କହିଥିଲେ, ସେତେବେଳେ କର୍ମଚାରୀଜଣଙ୍କ ତାଙ୍କ କଥା ନଶୁଣି, କେବଳ ହସିଦେଇ ଅଳିଆ ଫୋପାଡିବା କାର୍ଯ୍ୟ ଜାରି ରଖିଥିଲେ ଏବଂ ପ୍ରଶ୍ନ କରିଥିଲେ, ଆଉ ଅଳିଆ କେଉଁଠି ଫୋପାଡିବି?

ଯାହାର ଭିଡିଓ ଭାଇରାଲ ହେବା ପରେ ରେଳ ବିଭାଗକୁ ଭରି ଭରି ନିନ୍ଦା କରୁଛନ୍ତି ୟୁଜର୍ସ । ଭିଡିଓ ସେୟାର କରୁଥିବା ବ୍ୟକ୍ତିଟି ଲେଖିଛନ୍ତି, ସେ ଜାଣିଥିଲେ ଯେ ତାଙ୍କୁ ରେକର୍ଡ କରାଯାଉଛି । ଲୋକମାନେ ତାଙ୍କୁ ଡାକୁଥିଲେ, କିନ୍ତୁ ଏହା ପରେ ମଧ୍ୟ ରେଳ କର୍ମଚାରୀ ତାଙ୍କ ମହାନ କାମ ବନ୍ଦ କରିନଥିଲେ । ଏତେ ଅହଂକାର ଏବଂ ଆତ୍ମବିଶ୍ୱାସ କେଉଁଠାରୁ ଆସେ? ବୋଲି ପ୍ରଶ୍ନ କରିଛନ୍ତି ୟୁଜର୍ସ । ଏହି ଭିଡିଓଟି ଲୋକଙ୍କ ସମାଲୋଚନାର ଶିକାର ହୋଇଥିବା ବେଳେ ଭାରତୀୟ ରେଳବାଇରେ ସ୍ୱଚ୍ଛତାକୁ ନେଇ କ୍ରୋଧ ସୃଷ୍ଟି କରିଛି ।

ତେବେ ଭିଡିଓ ଭାଇରାଲ ହେବା ପରେ ସରକାରୀ ରେଳ ସେବା ଆକାଉଣ୍ଟ, ଏହାକୁ ନେଇ ମତ ରଖିଛି । ଭାରତୀୟ ରେଳବାଇ ମଧ୍ୟରେ ଏକ ସୁପ୍ରତିଷ୍ଠିତ ଅଳିଆ ନିଷ୍କାସନ ବ୍ୟବସ୍ଥା ଅଛି । ଏଭଳି ନିୟମ ଉଲ୍ଲଂଘନ ପାଇଁ ଦାୟୀ , ଅନ୍-ବୋର୍ଡ ହାଉସକିପିଂ ସର୍ଭିସେସ୍ କର୍ମଚାରୀମାନଙ୍କୁ ବହିଷ୍କାର କରାଯାଇଛି  । ଏଥିସହିତ ସେମାନଙ୍କୁ ପେନାଲିଟି ମଧ୍ୟ ଲଗାଯାଇଛି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed.