ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଉ ଜଣା ସରକାରୀ ବାବୁ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁଇଁତଳା ବ୍ଲକର କୋଟିପତି କିରାଣି ରବୀନ୍ଦ୍ର କୁମାର ମହାନ୍ତିଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆୟ ଠାରୁ ୮୦ ପ୍ରତିଶତ ବେଆଇନ ସମ୍ପତି ଠୁଳ କରିଥିବାରୁ ତାଙ୍କ ବିରୋଧରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ । ଗିରଫ ପରେ ରବୀନ୍ଦ୍ରଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ବଲାଙ୍ଗୀର ଭିଜିଲାନ୍ସ ଡିଏସପି ସଦାନନ୍ଦ ପାଣି ।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁଇଁତଳା ବ୍ଲକ କାର୍ଯ୍ୟାଳୟର ବରିଷ୍ଠ କିରାଣି ତଥା କ୍ୟାସିଅର୍ ରବୀନ୍ଦ୍ର କୁମାର ମହାନ୍ତିଙ୍କ ଘର ସମେତ ଏକକାଳୀନ ୫ଟି ସ୍ଥାନରେ ଭିଜିଲାନ୍ସ ଟିମ ଚଢ଼ାଉ କରିଥିଲା । ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ସମ୍ବଲପୁର ଭିଜିଲାନ୍ସ ଡିଭିଜନ୍ ପକ୍ଷରୁ ଗତକାଲି ରବୀନ୍ଦ୍ରଙ୍କ ବାସଭବନରେ ଚଢାଉ କରାଯାଇଥିଲା । ରବୀନ୍ଦ୍ରଙ୍କ ଗୁଡଭେଲା ବ୍ଲକ ଅନ୍ତର୍ଗତ ଡାହିମାଲ ନିକଟ ଡୁଙ୍ଗୁରିପାଲି ଗାଁରେ ଥିବା ପୈତୃକ ଘର, ତୁଷୁରାରେ ଥିବା ଘର, ବଲାଙ୍ଗୀର ସାଗରପଡାରେ ଥିବା ଦୁଇ ମହଲା କୋଠା ସମେତ ପୁଇଁତଳା ବ୍ଲକ କାର୍ଯ୍ୟାଳୟ ଓ ତାଙ୍କ ସ୍ତ୍ରୀ ମେଘମାଳା ପଟ୍ଟନାୟକଙ୍କ ସ୍କୁଲ କାର୍ଯ୍ୟାଳୟ ଏକକାଳୀନ ଚଢାଉ କରିଥିଲା ଭିଜିଲାନ୍ସ ଟିମ୍ ।
ଚଢାଉ ସମୟରେ ରବୀନ୍ଦ୍ର କୁମାର ମହାନ୍ତିଙ୍କ ନିକଟରୁ ମୋଟ ୧ କୋଟି ୬୮ଲକ୍ଷ ୬୯ ହଜାର ୯୯୩ ଟଙ୍କାର ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ । ଏଥି ମଧ୍ୟରୁ ପ୍ରାୟ ୯୯ ଲକ୍ଷ ଟଙ୍କା ଆୟ ବହିର୍ଭୂତ ସମ୍ପତ୍ତି ରହିଥିବା ଭିଜିଲାନ୍ସ ତଦନ୍ତରୁ ଜଣାପଡିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ରବୀନ୍ଦ୍ରଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ।
Comments are closed.