Latest Odisha News

ଗିରଫ ହେଲେ ମାଳ ମାଳ ସମ୍ପତ୍ତିର ଅଧିକାରୀ ଅବକାରୀ ବାବୁ

ଭୁବନେଶ୍ବର: ଗିରଫ ହେଲେ କୁବେର ଅବକାରୀ ବାବୁ । ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଆଜି ଅବକାରୀ ବିଭାଗର କମିଶନର ରାମଚନ୍ଦ୍ର ମିଶ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ ।

ଗତକାଲି ଅବକାରୀ ଯୁଗ୍ମ କମିଶନର ରାମଚନ୍ଦ୍ର ମିଶ୍ରଙ୍କ ବିଭିନ୍ନ ସ୍ଥାନରେ ଥିବା ଘରେ ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଡାଉ କରିଥିଲା । ଚଢାଉ ପରେ ବିଭିନ୍ନ ସ୍ଥାନରେ ଥିବା ୫୨ଟି ପ୍ଲଟ, ଫାର୍ମ ହାଉସ ସହ ରାଇସ ମିଲ ସହିତ ୨ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ଠାବ କରିଥିଲେ । ଆଜି ଏହାର ଆଧାରରେ ରାମଚନ୍ଦ୍ରଙ୍କୁ ଗିଣଫ କରିଛି ଭିଜିଲାନ୍ସ । ଏହାପରେ ତାଙ୍କୁ କୋର୍ଟ ଚାଲାଣ କରାଯିବାର ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଅବସର ନେବାକୁ ଆଉ ମାତ୍ର ୮ ମାସ ସମୟ ଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ି ଯାଇଛନ୍ତି ଭୁବନେଶ୍ୱର ଅବକାରୀ ବିଭାଗ ଜଏଣ୍ଟ କମିଶନର ରାମଚନ୍ଦ୍ର ମିଶ୍ର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାମଚନ୍ଦ୍ର ମିଶ୍ରଙ୍କ ଘର, ଅଫିସ ସମେତ ୧୦ଟି ସ୍ଥାନରେ ଗତକାଲି ସକାଳୁ ଏକକାଳୀନ ରେଡ୍ ଆରମ୍ଭ କରିଥିଲା ଭିଜିଲାନ୍ସର ୧୦ ଜଣିଆ ଟିମ୍ ।

ଏହାରି ଭିତରେ ୫୨ଟି ପ୍ଲଟ୍‌ ମଧ୍ୟରୁ ସମ୍ବଲପୁରରେ ୨, ବଲାଙ୍ଗୀରରେ ୩ ଓ ସୁବର୍ଣ୍ଣପୁରରେ ୪୭ଟି ରହିଛି। ସେହିପରି ଭୁବନେଶ୍ୱର ଆଇଗିଣିଆରେ ସତ୍ୟସାଇ ଏନ୍‌କ୍ଲେଭ୍‌ ଏମ୍‌ଆଇଜି-୩ରେ ଗୋଟିଏ ଡୁପ୍ଲେକ୍ସ, ଖାରବେଳନଗର ଚନ୍ଦ୍ରମା କମ୍ପ୍ଲେକ୍ସରେ ଗୋଟିଏ ୨ ବିଏଚ୍‌କେ ଫ୍ଲାଟ୍‌ (ନଂ.ବି/୦୨), ବଡ଼ଗଡ ବଦ୍ରିପ୍ରସାଦ ଆପାର୍ଟମେଣ୍ଟରେ ଗୋଟିଏ ୨ ବିଏଚ୍‌କେ ଫ୍ଲାଟ୍‌ (ନଂ.ବି-୪୧୦), ବଲାଙ୍ଗୀର ଟିକରପଡ଼ାରେ ଗୋଟିଏ ୩ମହଲା କୋଠା, ଗୋଟିଏ ୧ମହଲା ବିଶିଷ୍ଟ କୋଠା, ସମ୍ବଲପୁର ଜିଲା ବୁର୍ଲାରେ ଏକ ଦୁଇ ମହଲା କୋଠା, ସୁବର୍ଣ୍ଣପୁରରେ ଗୋଟିଏ ଏକ ମହଲା କୋଠା, ତରଭାରେ ଗୋଟିଏ ରାଇସ୍‌ ମିଲ୍‌, ସୁବର୍ଣ୍ଣପୁରରେ ଗୋଟିଏ ଫାର୍ମ ହାଉସ ଠାବ ହୋଇଛି। ଏସବୁ ସମ୍ପତ୍ତିର ପ୍ରକୃତ ମୂଲ୍ୟ ଜାଣିବାକୁ ଭିଜିଲାନ୍ସ ଟେକ୍ନିକାଲ୍‌ ଉଇଙ୍ଗ୍‌ ପ୍ରୟାସ ଜାରି ରଖିଛି। ଏଥିସହ ବ୍ୟାଙ୍କ ଜମା ୨୨ଲକ୍ଷ, ୨୩୦ ଗ୍ରାମର ସୁନା ଅଳଙ୍କାର, ୩୧୭ ଗ୍ରାମର ରୁପା ଅଳଙ୍କାର, ୧୧.୨୫ ଲକ୍ଷ ଟଙ୍କାର ୩ଟି ଦୁଇଚକିଆ ଯାନ, ଘରୋଇ ସାମଗ୍ରୀ ଓ ନଗଦ ଟଙ୍କା ଜବତ କରିଛି ଭିଜିଲାନ୍ସ ।

ଏଯାବତ ୨ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ଠାବ ହୋଇଥିବା ବେଳେ ଅନେକ କିଛି ଜାଗାରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ ।

Comments are closed.