ଭୁବନେଶ୍ୱର: ଗିରଫ ହେଲେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ (ଆର୍ଡବ୍ଲୁଏସ୍ଏସ୍) ଭୁବନେଶ୍ୱର ସର୍କଲର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ରଞ୍ଜନ ଦାଶ। ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ନିଜର କଳା ଟଙ୍କାକୁ କ୍ରିପଟୋ କରେନ୍ସିରେ ଇନଭେସ୍ଟମେଣ୍ଟ କରିଥିବା ଜଣାପଡିଛି। ଯାହାର ମୂଲ୍ୟ ୧ କୋଟି ୭୫ ଲକ୍ଷ ଟଙ୍କା ବୋଲି ସୂଚନା ରହିଛି। ଗିରଫ ପରେ ଭିଜିଲାନ୍ସ ଆଜି ତାଙ୍କୁ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ତାଙ୍କୁ ହାଜର କରିଥିଲା। ଏବେ ରିମାଣ୍ଡରେ ନେଇ ଅଧିକ ପଚରା ଉଚରା କରାଯିବ ବୋଲି ସୂଚନା ରହିଛି। ଏହି ଦୁର୍ନୀତି ମାମଲାରେ ଯେଉଁମାନେ ରହିଛନ୍ତି ସମସ୍ତେ ତଦନ୍ତ ପରିସରଭୁକ୍ତ ହେବେ ବୋଲି ଭିଜିଲାନ୍ସ କହିଛି।
ଭିଜିଲାନ୍ସ ଏସପି ଅନୁପମା ଜେମ୍ସ ପ୍ରତିକ୍ରିୟାରେ କହିଛନ୍ତି, ବିଭିନ୍ନ ସ୍ଥାନରେ ଚଢାଉ ପରେ ନିହାରଙ୍କ ସମ୍ପତ୍ତି ୩. ୯୬ କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତି ଠାବ ହୋଇଛି। ଯାହାକି ନିହାରଙ୍କ ଆୟଠୁ ୨୭୫ ପ୍ରତିଶତ ଅଧିକ ବୋଲି ଜଣାପଡିଛି। କ୍ରିପ୍ଟୋ କରେନ୍ସି ଲିଙ୍କ ତଦନ୍ତ ବେଳେ ସାମ୍ନାକୁ ଆସିଛି। ବ୍ରିଟେନର କ୍ରିପଟୋ କରେନ୍ସି କମ୍ପାନୀ ପିଏଲସି ଅଲ୍ଟିମାରେ ୩୮ଟି ୱାଲେଟରୁ କେବଳ ମିଳିଛି ୧.୭୫ କୋଟି ଟଙ୍କା। ଏହି ମାମଲାରେ ଦେଶ ବାହାରେ ଥିବା ଲୋକଙ୍କ ହାତ ଥିବା ସୂଚନା ମିିଳିଛି। ନିହାରଙ୍କ ସମସ୍ତ ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରିବାକୁ ପୋଲିସ ଚିଠି ଲେଖିଥିବା ସୂଚନା ରହିଛି।
ଉଲ୍ଲେଖଯୋଗ୍ୟ, ଚାକିରିର ଦୁଇ ଦିନ ଅବସର ପୂର୍ବରୁ ଗତକାଲି ନିହାର ରଞ୍ଜନ ଦାସଙ୍କ ଖୋର୍ଦ୍ଧା, ଭୁବନେଶ୍ୱର, ସମ୍ବଲପୁର, ବରଗଡ଼ରେ ଭିଜିଲାନ୍ସ ଚଢ଼ଉ କରି କୋଟି କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରିଥିଲା। ଏହି ସମୟରେ ନିହାରଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଟିମ୍ ମଧ୍ୟ ଟେରା ହୋଇଯାଇଥିଲା। ନିହାରଙ୍କ ଠିକଣାରୁ ଏପର୍ଯ୍ୟନ୍ତ ଜବତ ସମ୍ପତ୍ତିର ମୂଲ୍ୟ ୮ କୋଟିରୁ ଊର୍ଧ୍ବ ହେବ ବୋଲି ଆକଳନ କରାଯାଉଛି।
Comments are closed.