ଭୁବନେଶ୍ବର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୌଦ୍ଧ ଜିଲ୍ଲା ଏମଭିଆଇଗୋଲାପ ଚନ୍ଦ୍ର ହାଁସଦାଙ୍କ ଘରେ ଚାଲିଛି ରେଡ୍ । ବାରିପଦା, ବୌଦ୍ଧ ଓ ଭୁବନେଶ୍ବର ସମେତ ଏକକାଳୀନ ୬ଟି ସ୍ଥାନରେ ରେଡ ଚାଲିଥିବାବେଳେ, ବିପୁଳ ମାତ୍ରାରେ ସୁନା ରୂପା ବାହାରୁଛି ।
ତେବେ ବୌଦ୍ଧ ଏମଭିଆଇ ଗୋଲାପ ଚନ୍ଦ୍ର ହାଁସଦାଙ୍କର ଗୋଟିଏ ବହୁତଳ ପ୍ରାସାଦ ଓ ୪୪ଟି ପ୍ଲଟ୍ ଥିବା ଜାଣିବାକୁ ପାଇଛି ଭିଜିଲାନ୍ସ । ବ୍ୟାଙ୍କ ଆକାଉଣ୍ଟରେ ୧.୧୦ କୋଟି ଟଙ୍କା ଡିପୋଜିଟ ଥିବା ଜଣାପଡିଛି । ଏହା ବ୍ୟତୀତ ୨ ଲକ୍ଷ ୩୮ ହଜାର ୭୨୫ ଟଙ୍କା ନଗଦ, ୫୦୦ ଗ୍ରାମ୍ ସୁନା ମିଳିଛି ସେଥିରେ ୫୦ ଗ୍ରାମର ୨ଟି ସୁନା ବିସ୍କୁଟ ମଧ୍ୟ ରହିଛି ଓ ୨.୫ କେଜିର ରୁପା ଜବତ କରିଛି ଭିଜିଲାନ୍ସ ।
ତାଙ୍କର ଗୋଟିଏ ଡେରୀ ଫାର୍ମ ମଧ୍ୟ ରହିଛି । ଗୋଟିଏ ଚାରିଚକିଆ ଓ ୩ଟି ବାଇକ୍ ଥିବା ମଧ୍ୟ ଜଣାପଡିଛି । ତାଙ୍କର ପୋଷ୍ଟ ଅଫିସ୍ ଓ ବ୍ୟାଙ୍କରେ ୫୬ ଲକ୍ଷ ଟଙ୍କାର ଜମା ଥିବା ବି ଜଣାଯାଇଛି । ଏହା ବ୍ୟତୀତ ଏମଭିଆଇ ଗୋଲାପ ଚନ୍ଦ୍ର ହାଁସଦା ତାଙ୍କ ଝିଅର ମେଡିକାଲ୍ ପାଠପଢ଼ା ବାବଦରେ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ।
ବାରିପଦା ଘର, ବୌଦ୍ଧ ଭଡ଼ା ଘର ଓ RTO ଅଫିସ୍, ମୟୂରଭଞ୍ଜ ଖୁଣ୍ଟା ପୈତୃକ ଘର, ବାରିପଦା ସହଯୋଗୀଙ୍କ ଘର ଓ ଭୁବନେଶ୍ବର ପାଣ୍ଡରାରେ ଝିଅ ରହୁଥିବା ଫ୍ଲାଟ୍ରେ ଚଢାଉ କରିଛି ଭିଜିଲାନ୍ସ ଟିମ୍ । ବର୍ତ୍ତମାନ ମଧ୍ୟ ଯାଞ୍ଚ ଜାରି ରହିଛି ଆହୁରି ବହୁ ମୂଲ୍ୟର ସାମଗ୍ରୀ ସହ ଟଙ୍କା ମିଳିବା ନେଇ ଯାଞ୍ଚ କରୁଛି ଟିମ୍ । ଏହି ଚଢାଉରେ ଭିଜିଲାନ୍ସର ୪ ଡିଏସ୍ପିଙ୍କ ସହ ୭ ଜଣ ଇନ୍ସିପେକ୍ଟର ସାମିଲ ରହିଛନ୍ତି ।
Comments are closed.