Latest Odisha News

BREAKING NEWS

ଯନ୍ତ୍ରୀଙ୍କ ସମୁଦି ଘରୁ ନଗଦ ୨୫ ଲକ୍ଷ ଟଙ୍କା ଜବତ କଲା ଭିଜିଲାନ୍ସ

ଭୁବନେଶ୍ୱର:  ଆରଡବ୍ଲ୍ୟୁଏସ୍ଏସ୍ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ସମ୍ପର୍କୀୟଙ୍କ ଘରୁ ୨୫ ଲକ୍ଷ ଟଙ୍କା ଠାବ ।   ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲା ଉଦଳାଠାରେ ଆରଡବ୍ଲ୍ୟୁଏସ୍ଏସ୍ ରେ କାର୍ଯ୍ୟରତ ସହକାରୀ ନିର୍ବାହୀ ଯନ୍ତ୍ରୀ ରବିନାରାୟଣ ପଣ୍ଡାଙ୍କ ଘରେ ଆଜି ସକାଳୁ  ୮ଟି ଠିକଣାରେ ରେଡ୍ କରୁଛି ଭିଜିଲାନ୍ସ । ରବିଙ୍କ ପୁଅର ଶ୍ୱଶୁର ଘରୁ ୨୫ଲକ୍ଷ ଟଙ୍କା ନଗଦ ଜବତ କରିଛି ଭିଜିଲାନ୍ସ । ନୟାପଲ୍ଲୀସ୍ଥିତ ସମୁଦିଙ୍କ ଘରୁ ଭିଜିଲାନ୍ସକୁ ଏହି ଟଙ୍କା ମିଳିଥିବା ସୂଚନା ରହିଛି । ରବିଙ୍କ ପୁଅ ସୌମିତ୍ ପଣ୍ଡା ଓ ବୋହୂ ସାଗରିକା ସ୍ୱାଇଁ  ଯେଉଁ ରୁମରେ ଶୋଉଥିଲେ, ସେହି ରୁମରୁ ଭିଜିଲାନ୍ସ ଟଙ୍କା ଜବତ କରିଛି ।

ଭିଜିଲାନ୍ସ ଟିମରେ ଜଣେ ଆଡିସନାଲ ଏସପି, ୮ ଜଣ ଡେପୁଟୀ ଏସପି, ୫ ଜଣ ଇନସପେକ୍ଟର, ଜଣେ ସବଇନ୍ସପେକ୍ଟର, ୧୧ ଜଣ ଏଏସଆଇଙ୍କ ଗଠିତ ବିଭିନ୍ନ ଟିମ୍ ଏହି ୮ ସ୍ଥାନରେ ଛାନଭିନ୍ କରୁଛି । ଭୁବନେଶ୍ୱର, କେନ୍ଦ୍ରାପଡା, ଉଦଳାର ମୋଟ ୮ଟି ସ୍ଥାନରେ ତନଖି ଚାଲିଛି । ରବିନାରାୟଣଙ୍କର ଠିକଣା ଆଇଗିଣିଆସ୍ଥିତ  ଏକ ତିନି ମହଲା ବିଶିଷ୍ଟ କୋଠା,  ପାତ୍ରପଡାସ୍ଥିତ ଟାଓ୍ୱାର ବ୍ଲୁ-ହିଲ୍ ର ଏକ ଫ୍ଲାଟ, ଖଣ୍ଡଗିରି ସପିଂ ପ୍ଲାଜାସ୍ଥିତ ୨ଟି ଦୋକାନ, ନୟାପଲ୍ଲୀସ୍ଥିତ ତ୍ରିବେଣୀ ଅଟୋଟେକ୍ ପ୍ରା. ଲିମିଟେଡ୍, କେନ୍ଦ୍ରାପଡା ଜିଲ୍ଲା ଦାନପୁରସ୍ଥିତ ପୈତୃକ ଘର, ଓଷ୍ଟାପୁର କାନସରାସ୍ଥିତ ସମ୍ପର୍କୀୟଙ୍କ ଘର, ମୟୂରଭଞ୍ଜ ଜିଲ୍ଲା ଉଦଳାସ୍ଥିତ ଅଫିସ ଓ ସରକାରୀ ବାସଭବନରେ ଭିଜିଲାନ୍ସ ପହଞ୍ଚି ଆୟ ବହିର୍ଭୂତ ସମ୍ପତ୍ତିର ଖୋଳତାଡ କରୁଛି ।

Leave A Reply

Your email address will not be published.