Latest Odisha News

BREAKING NEWS

ବରିହାଙ୍କ ବଡ଼ ଝିଅ ବର୍ଷାଙ୍କୁ ପ୍ରାର୍ଥୀ କଲା ବିଜେଡି

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନରେ ବର୍ଷା ବରିହାଙ୍କୁ ପ୍ରାର୍ଥୀ କରିଛି ବିଜେଡି । ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବର୍ଷାରାଣୀ ବରିହାଙ୍କୁ ବିଜେଡି ପ୍ରାର୍ଥୀ ଘୋଷଣା କରିଛନ୍ତି । ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତ ପରେ ଉପନିର୍ବାଚନ ତାରିଖ ଘୋଷଣା ହୋଇଥିଲା । ବିଜେଡିରୁ କିଏ ପ୍ରାର୍ଥୀ ହେବ ସେ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା ।

ବରିହାଙ୍କ ଘର ଭିତରୁ ଜଣ ଟିକେଟ୍ ପାଇଁ ଆଶାୟୀ ଥିଲେ । ଦିବଙ୍ଗତ ବିଧାୟକ ବରିହାଙ୍କ ପତ୍ନୀ ତିଲୋତ୍ତମା ଓ ପୁତୁରା ବୋହୂ ମାଧବୀ ସିଂହଙ୍କୁ ନେଇ ବେଶ୍ ଚର୍ଚ୍ଚା ହେଉଥିଲା । ଏହା ଛଡ଼ା ବରିହାଙ୍କ ୨ ଝିଅ ବର୍ଷା ଓ କାଦମ୍ବିନୀ ମଧ୍ୟ ଟିକେଟ୍ ଦାବିଦାର୍ ଥିଲେ । ଆଜି ବିଜେଡି ସଭାପତି ନବୀନ ପଟ୍ଟନାୟକ ସବୁ ଆକଳନ ଉପରେ ପୂର୍ଣ୍ଣଛେଦ ପକାଇ ବରିହାଙ୍କ ବଡ଼ ଝିଅ ବର୍ଷାରାଣୀଙ୍କୁ ପ୍ରାର୍ଥୀ କରିଛନ୍ତି ।

୨୦୧୯ ନିର୍ବାଚନରେ ବିଜେଡିର ବିଜୟ ରଞ୍ଜନ ସିଂ ବରିହା ୮୩ ହଜାର ୨୯୯ ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେପିର ପ୍ରଦୀପ ପୁରୋହିତ ପାଇଥିଲେ ୭୭ ହଜାର ୫୬୫ ଖଣ୍ଡ ଭୋଟ୍ । ୫ ହଜାର ୭୩୪ ଖଣ୍ଡ ଭୋଟରେ ବିଜୟ ରଞ୍ଜନ ବିଜୟୀ ହୋଇଥିଲେ ।

ସେହିଭଳି ୨୦୧୪ ନିର୍ବାଚନରେ ପ୍ରଦୀପ ପୁରୋହିତ, ବିଜୟ ରଞ୍ଜନ ବରିହାଙ୍କୁ ୪ ହଜାର ୫୨୦ ଖଣ୍ଡ ଭୋଟରେ ହରାଇ ବିଧାୟକ ହୋଇଥିଲେ । ପ୍ରଦୀପ ପୁରୋହିତଙ୍କୁ ୬୮ ହଜାର ୯୨୬ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବରିହାଙ୍କୁ ୬୪ ହଜାର ୪୦୬ ଖଣ୍ଡ ଭୋଟ୍ ମିଳିଥିଲା ।

ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନର ଶେଷ ତାରିଖ ୧୭ ନଭେମ୍ବର ଥିବାବେଳେ ୨୧ ତାରିଖ ସୁଦ୍ଧା ପ୍ରାର୍ଥିତ୍ୱ ପ୍ରତ୍ୟାହାର କରାଯାଇ ପାରିବ । ଡିସେମ୍ବର ୫ ତାରିଖରେ ଭୋଟ୍ ଗ୍ରହଣ ପରେ ଡିସେମ୍ବର ୮ ତାରିଖରେ ଭୋଟ୍ ଗଣତି ହେବ ।

Leave A Reply

Your email address will not be published.