Latest Odisha News

BREAKING NEWS

ଟଙ୍କାରେ ଖେଳୁଥିଲେ ଖେଳ ଶିକ୍ଷକ; ମିଳିଲା ୪.୬୭ କୋଟିର ସମ୍ପତ୍ତି

ବ୍ରହ୍ମପୁର: ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଜୟନ୍ତୀପୁରସ୍ଥିତ ଶ୍ରୀଦିବ୍ୟସିଂହ ବିଦ୍ୟାପୀଠର କ୍ରୀଡା ଶିକ୍ଷକ ଦନାର୍ଦ୍ଦନ ସାହୁଙ୍କ ମୋଟ ସମ୍ପତ୍ତିର ଆକଳନ କରିଛି ବ୍ରହ୍ମପୁର ଭିଜିଲାନ୍ସ। ବୃତ୍ତିରେ କ୍ରୀଡ଼ା ଶିକ୍ଷକ ହୋଇଥିଲେ ମଧ୍ୟ ଗାଡି, ଘର, ପ୍ଲଟ, ଦୋକାନବଜାର, ପେଟ୍ରୋଲ ପମ୍ପ, ଗ୍ୟାସ ଏଜେନ୍ସି ସହ ଅନ୍ୟାନ୍ୟ ବ୍ୟବସାୟରେ ତାଙ୍କ ସଂପୃକ୍ତି ଥିଲା ।

ଦାନର୍ଦ୍ଦନଙ୍କ ଘର ସମେତ ବନ୍ଧୁ ଓ ସମ୍ପର୍କୀୟଙ୍କ ଘରୁ ମିଶାଇ ମୋଟ ୧୩ଟି ସ୍ଥାନରେ ଚଢଉ କରାଯାଇ ୪ କୋଟି ୬୭ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ କରାଯାଇଛି । ତଦନ୍ତ ଜାରି ରହିଥିବା ବ୍ରହ୍ମପୁର ଭିଜିଲାନ୍ସ ଏସ୍‌ପି ଗଣେଶ ପ୍ରଧାନଙ୍କ ସୂତ୍ରରୁ ସୂଚନା ମିଳିଛି ।

ବ୍ରହ୍ମପୁର ସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତର ସର୍ଚ୍ଚ ୱାରେଣ୍ଟ ପରେ ଶୁକ୍ରବାର ସକାଳୁ ସକାଳୁ ୪ ଜଣ ଡିଏସପି ଏବଂ ୧୨ ଜଣ ଇନ୍ସପେକ୍ଟରଙ୍କୁ ନେଇ ଗଠିତ ଏକାଧିକ ଟିମ ବ୍ରହ୍ମପୁର ଓ ଜୟନ୍ତୀପୁର ସହ ଅନ୍ୟାନ୍ୟ ସ୍ଥାନରେ ଚଢ଼ଉ କରିଥିଲେ ।

ବ୍ରହ୍ମପୁର ଅନନ୍ତନଗର ପ୍ରଥମ ଲାଇନରେ ଦନାର୍ଦ୍ଧନଙ୍କ ପତ୍ନୀ କୁନ୍ତଳା କୁମାରୀ ସାହୁଙ୍କ ନାମରେ ଥିବା ୩ ମହଲା କୋଠା, ଅନନ୍ତନଗର ୩ୟ ଲାଇନରେ କୁନ୍ତଳା ଓ ତାଙ୍କ ପୁଅ ଅମିତଙ୍କ ନାମରେ ଥିବା ଦୁଇ ମହଲା କୋଠା, ଜୟନ୍ତୀପୁର ଠାରେ ଦନାଦ୍ଦର୍ନଙ୍କ ବାପାଙ୍କ ନାମରେ ଥିବା ଦୁଇ ମହଲା କୋଠା, ଦନାର୍ଦ୍ଦନଙ୍କ ନାମ​‌ରେ ଥିବା ଏକ ମହଲା କୋଠା, ଭଡାରେ ଲାଗିଥିବା ଆଉ ଗୋଟିଏ ଦୁଇ ମହଲା କୋଠା, ଜୟନ୍ତୀପୁର ବସ ଷ୍ଟାଣ୍ଡରେ ଦନାର୍ଦ୍ଦନଙ୍କ ନାମରେ ଥିବା ମାର୍କେଟ କ​ମ୍ପ୍ଲେକ୍ସ, ଗୋଟିଏ ଗୋଦାମ, ଦନାର୍ଦ୍ଦନଙ୍କ ପୁଅ ଅମିତ ନାମରେ ଥିବା ପେଟ୍ରୋଲ ପମ୍ପ, ବଳରାମପୁର ଠାରେ ଥିବା ମାର୍କେଟ କ​ମ୍ପ୍ଲେକ୍ସ, ଦନାର୍ଦ୍ଦନଙ୍କ ବନ୍ଧୁ ଦୁର୍ଯ୍ୟେଧନ ସେଠୀଙ୍କ ନାମରେ ଥିବା ଗ୍ୟାସ ଏଜେନ୍ସି, ତଳମୁହାଁ ସାହି ସ୍ଥିତ ଦୁର୍ଯ୍ୟେଧନଙ୍କ ବାସ ଭବନ, ବଡଭାଇ କୃଷ୍ଣଚନ୍ଦ୍ର ସାହୁଙ୍କ ବାସଭବନ ଓ ଆଉ ଜଣେ ବଡଭାଇ ଗଣେଶ ସାହୁଙ୍କ ବାସ ଭବନରେ ଚଢଉ ହୋଇଥିଲା ।

କୋଠା, ପ୍ଲଟ, ଗ୍ୟାସ ଏଜେନ୍ସି, ଗୋଦାମ, ପେଟ୍ରୋଲ ପମ୍ପକୁ ମିଶାଇ ମୋଟ ୩ କୋଟି ୮୪ ଲକ୍ଷ ୨୨ ହଜାର ୫୨୫ ଟଙ୍କାର ସ୍ଥାବର ସମ୍ପତ୍ତି ସହିତ ୨୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସୁନା ଓ ରୂପା ଅଳଙ୍କାର, ୧୦ ଲକ୍ଷ ଟଙ୍କାର ଦାମୀ ଆସବାବ ପତ୍ର, ୩ ଲକ୍ଷ ୩୮ ହଜାର ଟଙ୍କାର ବ୍ୟାଙ୍କ ଜମା, ୭ ଲକ୍ଷ ୮୮ ହଜାର ଟଙ୍କାର ଜୀବନ ବୀମା କାଗଜ ପତ୍ର, ପେଟ୍ରୋଲ ପମ୍ପ, ଗ୍ୟାସ ଏଜେନ୍ସି ଓ ଘରୁ ନଗଦ ୩ ଲକ୍ଷ ୭୦ ହଜାର ଟଙ୍କା ସହ ଦୁଇଟି କାର ଓ ଗୋଟିଏ ମୋଟର ସାଇକଲ ମିଳିିଛି ।

ତାଙ୍କ ଗୋଦାମ୍‌ରୁ ୧୪ ଲକ୍ଷ ଟଙ୍କାର ଚିନି ଓ ଗୁଡ ମଧ୍ୟ ଜବତ କରାଯାଇଛି । ୧୯୮୬ରେ କ୍ରୀଡା ଶିକ୍ଷକ ଭାବେ ସେ ଚାକିରି ଆରମ୍ଭ କରିଥିଲେ । ତେବେ ରାଜନୈତିକ ଉଦ୍ଦେଶ୍ୟ ରଖି ତାଙ୍କ ଘରେ ଭିଜିଲାନ୍ସ ଚଢ଼ଉ ହୋଇଥିବା ଦନାର୍ଦ୍ଧନ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.