Latest Odisha News

BREAKING NEWS

Vijay Thalapathy: ଭାଙ୍ଗିଯିବ କି ୨୭ ବର୍ଷର ସମ୍ପର୍କ! ଛାଡ଼ପତ୍ର ପାଇଁ ଆବେଦନ କଲେ ବିଜୟଙ୍କ ପତ୍ନୀ

ନୂଆଦିଲ୍ଲୀ: ସାଉଥ ସୁପରଷ୍ଟାର ଥଲାପଥି ବିଜୟ ପୁଣି ଥରେ ଖବରରେ ଆସିଛନ୍ତି । ଫିଲ୍ମ କିମ୍ବା ରାଜନୀତି ପାଇଁ ନୁହେଁ ବରଂ ତାଙ୍କର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ବିଜୟଙ୍କ ଉପରେ ଅନ୍ୟ ମହିଳାଙ୍କ ସହିତ ସମ୍ପର୍କ ରଖିବାର ଅଭିଯୋଗ ଆଣି ତାଙ୍କ ପତ୍ନୀ ସଙ୍ଗୀତା ଛାଡପତ୍ର ପାଇଁ ଆବେଦନ କରିଛନ୍ତି। ୨୭ ବର୍ଷର ବୈବାହିକ ଜୀବନରେ ଏବେ ପଡ଼ିବାକୁ ଯାଉଛି ପୂର୍ଣ୍ଣଚ୍ଛେଦ । ସଙ୍ଗୀତା ନିଜଆଡ଼ୁ କୋର୍ଟରେ ଏହି ଛାଡ଼ପତ୍ର ଆବେଦନ କରିଥିବା ଶୁଣିବାକୁ ମିଳୁଛି ।

ସୂଚନା ଅନୁଯାୟୀ, ସ୍ୱତନ୍ତ୍ର ବିବାହ ଆଇନ, ୧୯୫୪ ଅନୁଯାୟୀ ଛାଡପତ୍ର ଆବେଦନ ଦାଖଲ କରାଯାଇଛି। ଏହି ଆଇନ ସ୍ୱାମୀ କିମ୍ବା ସ୍ତ୍ରୀଙ୍କୁ ବୈବାହିକ ବିବାଦ କ୍ଷେତ୍ରରେ ଜିଲ୍ଲା କୋର୍ଟକୁ ଯିବାର ଅଧିକାର ଦିଏ।ଏହି ମାମଲାର ଆଇନଗତ ଆଧାର ହେଉଛି ବୈବାହିକ ବିଶ୍ୱାସ ଭଙ୍ଗ।

ବିଜୟ କିମ୍ବା ତାଙ୍କ ପରିବାର ପକ୍ଷରୁ ଏ ବିଷୟରେ ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ଜାରି କରାଯାଇ ନାହିଁ। ଏପଟେ ହଠାତ୍ ଛାଡପତ୍ର ଆବେଦନ ବିଜୟଙ୍କ ପ୍ରଶଂସକଙ୍କୁ ଚକିତ କରିଛି ।

ବିଜୟ ଏବଂ ସଙ୍ଗୀତା ୨୫ ଅଗଷ୍ଟ ୧୯୯୯ରେ ବିବାହ କରିଥିଲେ। ଏହି ବିବାହରୁ ଏହି ଦମ୍ପତିଙ୍କ ଦୁଇଟି ସନ୍ତାନ ଅଛନ୍ତି। ସେମାନଙ୍କ ପୁଅ ସଞ୍ଜୟ ବିଜୟଙ୍କ ସହିତ ଫିଲ୍ମ “ଭେଟ୍ଟାଇକରଣ”ରେ ଅଭିନୟ କରିଥିଲେ । ଝିଅ ଦିବ୍ୟା ଫିଲ୍ମ “ଥେରୀ”ରେ ମଧ୍ୟ ଅଭିନୟ କରିଥିଲେ ।

ରିପୋର୍ଟ ଅନୁସାରେ, ଅଭିନେତାଙ୍କ ମୋଟ ସମ୍ପତ୍ତି ପ୍ରାୟ ୬୦୦ କୋଟି ଟଙ୍କା। ବର୍ତ୍ତମାନ ଏହି ମାମଲା କୋର୍ଟରେ ବିଚାରାଧୀନ ଅଛି ଏବଂ ଆଗାମୀ ସମୟରେ ହିଁ ସ୍ପଷ୍ଟ ହେବ ଯେ ସେମାନଙ୍କ ସମ୍ପର୍କର ଭବିଷ୍ୟତ କ’ଣ ହେବ ।

Leave A Reply

Your email address will not be published.