Latest Odisha News

ବିକାଶ ଶିଡ଼ିରେ ଚାଷୀ…

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’…

ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହେରୁ ୧୯୫୫ ମସିହା ଅଗଷ୍ଟ ପନ୍ଦର ତାରିଖ ସ୍ୱାଧୀନତା ଦିବସ ଅବସରରେ ଲାଲ୍‌କିଲ୍ଲା ଉପରୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେଇ କହିଥିଲେ, ଖାଦ୍ୟ ଦ୍ରବ୍ୟ ଆମଦାନୀ କରିବା ପ୍ରତ୍ୟେକ ଦେଶ ପାଇଁ ଅତ୍ୟନ୍ତ ଲଜ୍ଜାର ବିଷୟ । ସେ ପୁଣି କହିଥିଲେ ଯେ, ଆମ ଦେଶରେ ସବୁକିଛି ଅପେକ୍ଷା କରିପାରେ କିନ୍ତୁ ଚାଷ କେବେ ବି ଅପେକ୍ଷା କରିବା କଥା ନୁହେଁ । ଅର୍ଥାତ୍ ଚାଷ ଓ ଚାଷୀ ସମ୍ବନ୍ଧୀୟ କୌଣସି ବି ନୀତି କ୍ଷେତ୍ରରେ ଶାସନତନ୍ତ୍ରରେ ଟାଳଟୁଳ ନୀତି ଆଦୌ ବି ଗ୍ରହଣୀୟ ହେବା ଉଚିତ୍ ନୁହେଁ । କିନ୍ତୁ ଆଜି ଯେତେବେଳେ ଆମେ ୭୩ ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ପ୍ରସ୍ତୁତ ହେଉଛେ, ଆମେ ଦେଖୁଛେ ଯେ, କେବଳ ଚାଷକୁ ଛାଡ଼ି ଆମ ଦେଶରେ ଆଉ ପ୍ରାୟତଃ ସବୁ କିଛି ଆଗେଇ ଯାଇଛି । ଏହା ଅତ୍ୟନ୍ତ ଦୁଃଖ ଓ ହତାଶାର ବିଷୟ ।

ଦେଶର ଜନସଂଖ୍ୟାର ପାଖାପାଖି ୫୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭରଶୀଳ । କିନ୍ତୁ ଗତ ଦୁଇ ଦଶନ୍ଧି ଧରି କୃଷି କ୍ଷେତ୍ରରୁ ରୋଜଗାର ଜମାରୁ ବି ସନ୍ତୋଷଜନକ ଭାବରେ ବଢ଼ିନାହିଁ । ଆମ ସାମ୍‌ନାରେ ସବୁଠାରୁ ବଡ଼ ଆହ୍ୱାନ ଭାବେ ଏହା ହିଁ ଠିଆ ହୋଇଛି । ‘ନୀତି ଆୟୋଗ’ର ନିଜସ୍ୱ ଆକଳନ ଅନୁସାରେ ଗତ ଦୁଇ ବର୍ଷ ମଧ୍ୟରେ କୃଷି କ୍ଷେତ୍ରରେ ବାସ୍ତବ ଆୟରେ ଅଭିବୃଦ୍ଧି ଶୁନ ପ୍ରତିଶତ ହୋଇଛି । ତାର କିଛି ବର୍ଷ ପୂର୍ବରୁ ଅର୍ଥାତ୍ ୨୦୧୧-୧୨ରୁ ୨୦୧୫-୧୬ ମଧ୍ୟରେ କୃଷି କ୍ଷେତ୍ରରେ ବାସ୍ତବ ଆୟର ଅଭିବୃଦ୍ଧି ଏକ ପ୍ରତିଶତର ଅଧା ହାରରେ ବଢ଼ିଥିଲା । ଏହା ଠାରୁ ବଳି ଦୁର୍ଭାଗ୍ୟର ବିଷୟ ଆଉ କ’ଣ ଥାଇପାରେ! କୃଷି କ୍ଷେତ୍ରରେ ଆୟବୃଦ୍ଧିର ଅଭିବୃଦ୍ଧି କୋମାରେ କାହିଁକି? ଆଜିର ଭୋଟ୍ ହାତେଇବା ରାଜନୀତିର ପଶାପାଲିରେ ରାଜନେତା ଓ ନୀତି ନିର୍ଦ୍ଧାରକ ମାନେ ପ୍ରାୟତଃ ନୀରବ ଏ ପ୍ରଶ୍ନରେ । କୃଷି କ୍ଷେତ୍ରରେ ରୋଜଗାର ବୃଦ୍ଧି ପାଇଁ ଯାହା ବି ପଦକ୍ଷେପ ନିଆଯାଉଛି, ତାହା କେବଳ ନିରର୍ଥକ ହିଁ ସାବ୍ୟସ୍ତ ହେଉଛି । ଏଥିରେ ନା ଚାଷୀର ଭାଗ୍ୟ ବଦଳୁଛି ନା ଚାଷର । ଉପରୋକ୍ତ ତଥ୍ୟ ମାନଙ୍କରୁ ଏହା ସ୍ପଷ୍ଟ ହେଉଛି । ଅର୍ଥନୈତିକ ସର୍ଭେକ୍ଷଣର ତଥ୍ୟ ଅନୁସାରେ ଆମ ଦେଶର ୧୬ଟି ରାଜ୍ୟରେ ଚାଷୀ ମାନଙ୍କର ବାର୍ଷିକ ଆୟ ୧୬୦୦୦ ଟଙ୍କା । ଅର୍ଥାତ୍ ଦେଶର ଅଧା ଜନସଂଖ୍ୟା ଚାଷରୁ ମାସିକ ମାତ୍ର ୧୭୦୦ ଟଙ୍କା ହିଁ ଆୟ କରୁଛନ୍ତି । ଯେଉଁଥିରେ ସେମାନେ ତାଙ୍କ ପରିବାର ପ୍ରତିପୋଷଣ କରିବା ପାଇଁ କିପରି ପରସ୍ଥିତିର ସମ୍ମୁଖୀନ ହେଉଥିବେ ତାହା ଅନୁମେୟ । ଏହା ହିଁ ପ୍ରତି ବର୍ଷ ଚାଷରୁ ହଜାର ହଜାର ଲୋକ ବାହାରି ଯାଇ ଦିନ ମଜୁରିଆ ବା ଅନ୍ୟାନ୍ୟ କ୍ଷେତ୍ରରେ ଶ୍ରମିକ ପାଲଟି ଯାଉଥିବାର ପ୍ରମୂଖ କାରଣ । ଚାଷରୁ ଠିକ୍ ଭାବେ ଆୟ ନହେବାର ଏକ ମୂଖ୍ୟ କାରଣ ହେଉଛି, ଚାଷୀ ମାନଙ୍କୁ ଉଚିତ୍ ନ୍ୟାୟପୂର୍ଣ୍ଣ ମୂଲ୍ୟ ନମିଳିବା । ଏହା ଦ୍ୱାରା ଆମ ଦେଶର ଚାଷୀମାନେ ସାମୂହିକ ଭାବେ ଗତ ପନ୍ଦର ବର୍ଷ ମଧ୍ୟରେ ପ୍ରାୟ ୪୫ ଲକ୍ଷ କୋଟି ଟଙ୍କା କ୍ଷତି ସହିଛନ୍ତି ବୋଲି ଏକ ଅନୁଧ୍ୟାନରୁ ଜଣାଯାଇଛି । ଯଦି ଚାଷୀମାନେ ଏତେ ପରମାଣରେ କ୍ଷତି ସହିଛନ୍ତି, ତାହେଲେ ଏହାର ଲାଭ କିଏ ନେଇଛି? ଏହା ନିଃସନ୍ଦେହ ଯେ, ଚାଷୀମାନେ କ୍ଷତି ସହିଥିବା ଏହି ପରିମାଣକୁ ଯେଉଁମାନେ ଚାଷ କରୁନାହାନ୍ତି, ସରକାରୀ ଚାକିରୀଆ, ଶିଳ୍ପପତି, ନେତା, ମନ୍ତ୍ରୀ ଆଦିଙ୍କ ଭାଗକୁ ହିଁ ଯାଇଛି ।

ଉତ୍ପାଦନ ବୃଦ୍ଧି କରିବା ପାଇଁ ଚାଷୀମାନେ ବର୍ଷ ପରେ ବର୍ଷ କଠିନ ପରିଶ୍ରମ କରିଆସୁଛନ୍ତି ଓ ଆମ ଦେଶରେ ଖାଦ୍ୟ ଦ୍ରବ୍ୟର ଭଣ୍ଡାରକୁ ପରିପୂର୍ଣ୍ଣ କରିଛନ୍ତି । କିନ୍ତୁ ଅନ୍ୟପଟେ ଠିକ୍ ସେହି ହିସାବରେ ଚାଷୀଙ୍କ ଦୁଃଖ ଦୁର୍ଦ୍ଦଶା ବି ବଢ଼ି ବଢ଼ି ଚାଲୁଛି । ବୃହତ ସ୍ତରରେ ଦେଶର ଅର୍ଥନୀତିରେ ସ୍ଥିରତା ରଖିବା ପାଇଁ, ଖାଦ୍ୟ ଦ୍ରବ୍ୟର ଦାମ୍‌କୁ ନିୟନ୍ତ୍ରଣରେ ରଖିବା ପାଇଁ, କଂପାନୀ ମାନଙ୍କୁ କମ୍ ଦାମ୍‌ରେ କଂଚାମାଲ୍ ଯୋଗାଇବା ପାଇଁ ଓ ଅନ୍ତର୍ଜାତୀୟ ସ୍ତରରେ ବ୍ୟବସାୟିକ ଚୁକ୍ତି ଆଦି ପାଇଁ (ନେତା ଓ ନୀତି ନିର୍ଦ୍ଧାରକ ମାନେ ଯେପରି କହୁଛନ୍ତି) ସବୁବେଳେ ଚାଷ ଓ ଚାଷୀକୁ ହିଁ ସଂକଟ ଭିତରକୁ ଠେଲି ଦିଆଯାଉଛି । ଅର୍ଥାତ୍ ଚାଷ ଓ ଚାଷୀଙ୍କୁ ହିଁ ସବୁବେଳେ ବଳିର ବୋଦା ହେବା ପାଇଁ ଛାଡ଼ି ଦିଆଯାଉଛି । ପରିଣାମ ସ୍ୱରୁପ ଦେଶର ଅର୍ଥନୀତିରେ ତ ଅଭିବୃଦ୍ଧି ହେଉଛି କିନ୍ତୁ ଗୋଟିଏ ଗୋଷ୍ଠୀ ଅର୍ଥାତ୍ ଚାଷୀମାନେ ସର୍ବସ୍ୱାନ୍ତ ହେବାରେ ଲାଗୁଛନ୍ତି । ଏହା କ’ଣ ସମସ୍ତଙ୍କର ସାଥ୍ ଓ ସମସ୍ତଙ୍କର ବିକାଶର ପ୍ରତିଛବି!

ଆମ ଦେଶର କୃଷି ନୀତିରେ ଆମୂଳଚୁଳ ଭାବେ ଏକ ସଂସ୍କାରର ଆବଶ୍ୟକ ଅଛି । କିନ୍ତୁ ସରକାରଙ୍କ ବିକାଶ ନୀତି କହୁଛି ଯେ, ଲୋକମାନଙ୍କୁ କୃଷି କ୍ଷେତ୍ରରୁ ବାହାର କରି ତାଙ୍କୁ ଅଣକୃଷି କ୍ଷେତ୍ରରେ ବିନିଯୋଗ କରାଯିବା ଉଚିତ୍ । କାରଣ ଏହା ଦ୍ୱାରା ସହରରେ ଆବଶ୍ୟକ ହେଉଥିବା ଶ୍ରମ ଶକ୍ତି କମ୍ ମୂଲ୍ୟରେ ମିଳିପାରିବ । ଶିଳ୍ପ ଓ ଉପଭୋକ୍ତା ମାନଙ୍କୁ ସନ୍ତୁଷ୍ଟ ରଖିବା ପାଇଁ ଜାଣି ଜାଣି ଅତ୍ୟନ୍ତ ଅନ୍ୟାୟପୂର୍ଣ୍ଣ ଭାବେ କୃଷି ଉତ୍ପାଦିତ ଦ୍ରବ୍ୟର ମୂଲ୍ୟ କମ୍ ରଖାଯାଉଛି । ସାରା ଦେଶରେ ଚାଷୀ ମାନଙ୍କର ବାରମ୍ବାର ଦାବୀ ସତ୍ୱେ ମଧ୍ୟ ସରକାର ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି । ବର୍ଷକୁ ବର୍ଷ ମାତ୍ର ପଚାଶ ପଇସା, ଷାଠିଏ ପଇସା ହାରରେ ଧାନର କିଲୋପ୍ରତି ସର୍ବନିମ୍ନ ସହାୟକ ମୂଲ୍ୟରେ ବୃଦ୍ଧି କରାଯାଉଛି । ତେବେ ଏଥିରୁ ଆମେ କ’ଣ ବୁଝିବା ଯେ, ଚାଷୀ ମାନଙ୍କୁ ଖାଦ୍ୟ ଯୋଗାଇବାର ଦଣ୍ଡ ଭୋଗିବାକୁ ପଡ଼ୁଛି! ସରକାରଙ୍କ ଏହି ନୀତିରେ ପରିବର୍ତନର ଆବଶ୍ୟକତା ଅଛି । ନୀତି ନିର୍ଦ୍ଧାରକ ମାନେ ଚାଷକୁ ଏକ ଅର୍ଥନୈତିକ କାର୍ଯ୍ୟ ଭାବେ ବିଚାର କରି ସେହି ହିସାବରେ କୃଷି ନୀତିକୁ ପ୍ରସ୍ତୁତ କରିବାକୁ ପଡ଼ିବ । କାରଣ ଆମ ଦେଶରେ କେବଳ ଚାଷ ହିଁ ଅର୍ଥନୈତିକ କ୍ଷେତ୍ରରେ ଅଭିବୃଦ୍ଧି ଆଣିବା ସହିତ ଭୟଙ୍କର ବେକାରୀ ସମସ୍ୟାକୁ ଦୂର କରିପାରିବ ।

ଚାଷୀ ମାନଙ୍କର ପ୍ରତ୍ୟେକ୍ଷ ରୋଜଗାର ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ‘ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧୀ ଯୋଜନା’ରେ ଚାଷୀମାନଙ୍କୁ ବାର୍ଷିକ ୬ ହଜାର ଟଙ୍କା ଯୋଗାଇ ଦିଆଯାଉଛି । ତେଲେଙ୍ଗାନା ସରକାର ମଧ୍ୟ ଚାଷୀ ମାନଙ୍କ ରୋଜଗାର ବୃଦ୍ଧି ପାଇଁ ‘ରୟତବନ୍ଧୁ ଯୋଜନା’ ମାଧ୍ୟମରେ ଏକ ଏକର ଜମି ପାଇଁ ୮ ହଜାର ଟଙ୍କା ଯୋଗାଇ ଦେଉଛନ୍ତି । ଓଡ଼ିଶା ସରକାର ମଧ୍ୟ ‘କାଳିଆ’ ଯୋଜନା ମାଧ୍ୟମରେ ଚାଷୀ ମାନଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ଦେଉଛନ୍ତି । ଆହୁରି କେତେକ ରାଜ୍ୟ ସରକାର ମଧ୍ୟ ବର୍ତମାନ ଏହିପରି ଯୋଜନା ବିଷୟରେ ଚିନ୍ତା କରୁଛନ୍ତି । କିନ୍ତୁ କେବଳ ଏତିକି କରିଦେବା ଯଥେଷ୍ଟ ନୁହେଁ । ଚାଷୀ ମାନଙ୍କୁ ପ୍ରତ୍ୟେକ୍ଷ ଆର୍ଥିକ ସହାୟତା ଦେବା ସହିତ ତାଙ୍କ ଉତ୍ପାଦିତ ଦ୍ରବ୍ୟର ଉଚିତ୍ ମୂଲ୍ୟକୁ ନିଶ୍ଚିତ କରିବାକୁ ପଡ଼ିବ ଓ ଉତ୍ପାଦନର ସଂରକ୍ଷଣ ପାଇଁ ସ୍ଥାନୀୟ ସ୍ତରରେ ଗୋଦାମ ଘର ଓ ଶୀତଳ ଭଣ୍ଡାର ଆଦି ନିର୍ମାଣ କରିବାକୁ ପଡ଼ିବ । ଏଥିସହିତ ସରକାର ତାଙ୍କ ବିକାଶ ନୀତି ଓ ଆର୍ଥିକ ନୀତିରେ ବି ଚାଷକୁ ଏକ ମୂଖ୍ୟ ଦିଗ ଭାବେ ବିଚାର କରି କୃଷି ନୀତିକୁ ସେହିପରି ଭାବେ ପ୍ରସ୍ତୁତ କରବାକୁ ପଡ଼ିବ ।
ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର-୭୫୪୧୩୮

Comments are closed.