Latest Odisha News

ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ରାଜ୍ୟବ୍ୟାପୀ ବିପୁଳ ଜନସମର୍ଥନ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରା ସୋମବାର ଷଷ୍ଠ ଦିନରେ ପହଞ୍ଚିଛି । ନଭେମ୍ବର ୧୫ ତାରିଖ ଜନଜାତୀୟ ଗୌରବ ଦିବସ ଉପଲକ୍ଷେ ଏହି ସଂକଳ୍ପ ଯାତ୍ରା ଆରମ୍ଭ ହୋଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ସଂକଳ୍ପ ଯାତ୍ରାର ସଚେତନତା ରଥକୁ ବିପୁଳ ସ୍ୱାଗତ କରାଯାଇଛି । ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ମିଳୁଛି ବ୍ୟାପକ ସଫଳତା ।

ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଆୟୋଜିତ ହୋଇଯାଇଛି । ଜିଲ୍ଲାର ବୋରିଗୁମ୍ମା ବ୍ଲକ୍‌ ଶଶାହାଣ୍ଡି ପଞ୍ଚାୟତରେ ଆୟୋଜିତ ସଂକଳ୍ପ ଯାତ୍ରାରେ ବହୁ ସଂଖ୍ୟାରେ ହିତାଧିକାରୀ ସାମିଲ ହୋଇଛନ୍ତି । ସେମାନେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ସହାୟତା ପାଉଥିବା ନେଇ ନିଜ ପ୍ରତିକ୍ରିୟାରେ କହିଛନ୍ତି । ଏଥିସହିତ ଯୋଜନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସରକାରଙ୍କୁ କୃତଜ୍ଞତା ଜଣାଇଥିଲେ । ଏହି ଅବସରରେ ନୂଆ ହିତାଧିକାରୀଙ୍କୁ ବିଭିନ୍ନ ଯୋଜନାରେ ପଞ୍ଜୀକରଣ କରାଯାଇଥିଲା । ସ୍ଥାନୀୟ ଲୋକମାନେ ବିକଶିତ ଭାରତ ଗଠନ ପାଇଁ ସଂକଳ୍ପ ନେଇ ଶପଥ ପାଠ କରିଥିଲେ ।

ଅନୁରୂପ ଭାବେ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଜାରି ରହିଛି । ଯାତ୍ରାର ସଚେତନତା ରଥ ଜିଲ୍ଲାର କୋଣ ଅନୁକୋଣରେ ପରିକ୍ରମା କରି କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିଛି । ଜିଲ୍ଲାର କୋରୁକୋଣ୍ଡା ବ୍ଲକ୍‌ ପୋଟ୍ରେଲ ଠାରେ ଆୟୋଜିତ ସଂକଳ୍ପ ଯାତ୍ରାରେ ପ୍ରଧାନମନ୍ତ୍ରୀ ନିଯୁକ୍ତି ସୃଜନ କାର୍ଯ୍ୟକ୍ରମ, ପ୍ରଧାନମନ୍ତ୍ରୀ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ସଂଗଠନୀକରଣ ଯୋଜନା, ପୋଷଣ ଅଭିଯାନ ଆଦି ସମ୍ପର୍କରେ ହିତାଧିକାରୀଙ୍କୁ ସଚେତନ କରାଯାଇଥିଲା । ଏହି ଅବସରରେ ଏକ ପୁଷ୍ଟିକର ଖାଦ୍ୟ ମେଳା ମଧ୍ୟ ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ହିତାଧିକାରୀଙ୍କ ପଞ୍ଜୀକରଣ କରାଯାଇଥିଲା। ସେମାନେ ବିକଶିତ ଭାରତ ଗଠନ ପାଇଁ ଶପଥ ପାଠ କରିଥିଲେ ।

ସେହିପରି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ରୋଡ୍‌ ଗ୍ରାମପଞ୍ଚାୟତ ଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ସୂଚନା, ଶିକ୍ଷା ଓ ସଚେତନତା ବାହନକୁ ବିପୁଳ ସ୍ୱାଗତ କରାଯାଇଥିଲା । ପଞ୍ଚାୟତ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା । ଏହି ଅବସରରେ ଆୟୋଜିତ ସ୍ୱାସ୍ଥ୍ୟ ଶିବିରରେ ସ୍ଥାନୀୟ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହିତ ଔଷଧ ମଧ୍ୟ ବିତରଣ କରାଯାଇଥିଲା । କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ମହିଳାମାନଙ୍କୁ ସଚେତନତା ପୁସ୍ତିକା ମଧ୍ୟ ବିତରଣ କରାଯାଇଥିଲା। ସେହିପରି ଊଜ୍ଜ୍ୱଳା ଯୋଜନାର ହିତାଧିକାରୀମାନଙ୍କୁ ଗ୍ୟାସ୍‌ ବିତରଣ କରାଯାଇଥିଲା । କିଛି ହିତାଧିକାରୀ ଯୋଜନାର ଲାଭ ସମ୍ପର୍କରେ ନିଜ ପ୍ରତିକ୍ରିୟା ରଖିଥିଲେ ।

ଅନ୍ୟପଟେ କେନ୍ଦୁଝର ଜିଲ୍ଲାର ବାଉରୀପଡ଼ା ଗ୍ରାମରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଆୟୋଜନ କରାଯିବା ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ହିତାଧିକାରୀଙ୍କୁ ସଚେତନ କରାଯାଇଛି । ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କ ପଞ୍ଜୀକରଣ ଏବଂ ସହାୟତା ମଧ୍ୟ ବିତରଣ କରାଯାଇଛି । ଅନ୍ୟପଟେ ଜିଲ୍ଲାର ଜନାର୍ଦ୍ଦନପୁର ଠାରେ ମଧ୍ୟ ଆୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅବସରରେ ବିକଶିତ ଭାରତ ଗଠନ ପାଇଁ ଶପଥ ପାଠ କରାଯାଇଛି । ହିତାଧିକାରୀମାନେ ବିଭିନ୍ନ କେନ୍ଦ୍ରୀୟ ଯୋଜନାର ସୁଫଳ ସମ୍ପର୍କରେ ପ୍ରତିକ୍ରିୟା ରଖିବା ସହିତ ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଠାରେ ଆୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ବହୁସଂଖ୍ୟାରେ ସାଧାରଣ ଲୋକ ଓ ସ୍କୁଲ କଲେଜ ଛାତ୍ରଛାତ୍ରୀ ଯୋଗ ଦେଇ ବିକଶିତ ଭାରତ ପାଇଁ ଶପଥ ପାଠ କରିଛନ୍ତି । ଏହି ଅବସରରେ ହିତାଧିକାରୀଙ୍କୁ ସଚେତନ କରାଯିବା ସହିତ ସେମାନଙ୍କୁ ସହାୟତା ମଧ୍ୟ ବିତରଣ କରାଯାଇଛି ।

ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ଶତପ୍ରତିଶତ ପ୍ରସାର ସୁନିଶ୍ଚିତ କରିବା ଲାଗି ଜାରି ରହିଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରା ଆସନ୍ତା ୨୫ ଜାନୁଆରୀ ୨୦୨୪ରେ ସମାପନ ହେବ ।

Comments are closed.