Latest Odisha News

ଜାନୁୟାରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ

ପୁରୀ: ଜଗନ୍ନାଥ ପ୍ରେମୀଙ୍କ ପାଇଁ ଖୁସି ଖବର । ଆସନ୍ତା ଜାନୁୟାରୀ ୧୭ ତାରିଖରେ ଲୋକାର୍ପଣ ହେବାକୁ ଯାଉଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଏଥିପାଇଁ ଶ୍ରୀମନ୍ଦିର, ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି । ଆଜି (ସୋମବାର) ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ସବକମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା ଅନୁଯାୟୀ ଜାନୁଆରୀ ୧୨ ତାରିଖ ଶୁକ୍ରବାର ଦିନ ଅପରାହ୍ନ ୨ଟା ୪୫ ରୁ ୪ଟା ମଧ୍ୟରେ ଗଜପତି ମହାରାଜାଙ୍କ ଦ୍ବାରା ଆଚାର୍ଯ୍ୟ ବରଣ, ୧୩ ତାରିଖ ସନ୍ଧ୍ୟା ୬ଟାରେ ଅଙ୍କୁରପୂଜନ, ୧୪ ତାରିଖ ସନ୍ଧ୍ୟା ୫ଟାରେ ମଣ୍ଡଳ ସ୍ଥାପନ ଓ ୧୫ରେ ଅଖଣ୍ଡ ଦୀପ ସ୍ଥାପନ ସହ ବିଭିନ୍ନ ପୂଜାର୍ଚ୍ଚନା କରାଯିବାର କାର୍ଯ୍ୟକ୍ରମ ରହିଛି । ସେହିପରି ୧୬ ତାରିଖରେ ସୂର୍ଯ୍ୟପୂଜା, ଧରିତ୍ରୀ ପୂଜା ଭଳି ବିଭିନ୍ନ ପୂଜାର୍ଚ୍ଚନା ଏବଂ ୧୭ ତାରିଖ ମଧ୍ୟାହ୍ନ ୧ ଟା ୩୦ରୁ ୨ ଟା୨୫ ମଧ୍ୟରେ ଗଜପତି ମହାରାଜାଙ୍କ ଦ୍ବାରା ପୂର୍ଣ୍ଣାହୁତି, ଆରତୀ ଓ ପୁଷ୍ପାଞ୍ଜଳି ଅନୁଷ୍ଠିତ ହେବ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଯୋଗ ଦେବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି । ଏଥିସହ ଶ୍ରୀମନ୍ଦିର ଚାରିଦ୍ବାରରେ ବିଭିନ୍ନ ବେଦପାଠ ସହ ସଂକୀର୍ତ୍ତନ, ପାରମ୍ପରିକ ନୃତ୍ୟ ଗୀତ, ବାଲୁକା କଳା ମଧ୍ୟ ଅନୁଷ୍ଠିତ ହେବ । ସେହିପରି ଓଡ଼ିଶାର କୋଣ ଅନୁକୋଣରେ ଥିବା ଜଗନ୍ନାଥପ୍ରେମୀ ମାନେ ଏହି ଲୋକାର୍ପଣ ଉତ୍ସବର ଯେଭଳି ଦେଖିପାରିବେ ସେନେଇ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବା ନେଇ ଯୋଜନା ରଖିଛି ପ୍ରଶାସନ । ଏଥିସହ ଏହି ମହୋତ୍ସବରେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହ ବିଭିନ୍ନ ମଠର ସାଧୁସନ୍ଥ ଓ ବରେଣ୍ୟ ଅତିଥିଙ୍କୁ ମଧ୍ୟ ନିମନ୍ତ୍ରଣ କରାଯିବ ।

ଶ୍ରୀମନ୍ଦିର ଐସାନ୍ୟ କୋଣରେ ଯଜ୍ଞ ସହ ପୂଜାର୍ଚ୍ଚନା ଚାଲିବ । ସେହିପରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ବଡ଼ଦାଣ୍ଡର ଉଭୟ ପାର୍ଶ୍ଵରେ ଥିବା ସମସ୍ତ କୋଠା ଗୁଡିକୁ ଆଇଭରି ରଙ୍ଗ ସହଫିକା ଗେରୁଆ ରଙ୍ଗ ଦେଇ କାର୍ଯ୍ୟ ଶେଷ କରିବାକୁ ଲକ୍ଷ ରଖିଛି ପ୍ରଶାସନ ।

ଆଜି ସନ୍ଧ୍ୟାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ରଞ୍ଜନ କୁମାର ଦାସ ଅଧ୍ୟକ୍ଷତା କରିଥିବା ବେଳେ ଏଥିରେ ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଏସପି ସୁଶିଲ କୁମାର ମିଶ୍ର, ପରିଚାଳନା କମିଟି ସେବାୟତ ସଦସ୍ୟ, ନୀତି ଓ ଉନ୍ନୟନ ପ୍ରଶାସକଙ୍କ ସହ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.