Latest Odisha News

ଗାଁକୁ ପହଞ୍ଚୁନି ମୌଳିକ ସୁବିଧା, ତୃତୀୟଥର ପାଇଁ ଭୋଟ୍ ବର୍ଜନର ନିଷ୍ପତ୍ତି ନେଲେ ବାର୍ଷିକୋଣାବାସୀ

କଳାହାଣ୍ଡି: ଆଜିବି ଗାଁକୁ ପହଞ୍ଚୁନି ମୌଳିକ ସୁବିଧା । ତୃତୀୟ ଥର ପାଇଁ ଭୋଟ୍ ବର୍ଜନର ନିଷ୍ପତ୍ତି ନେଲେ କଳାହାଣ୍ଡିର ବାର୍ଷିକୋଣାବାସୀ । ଏନେଇ ଥୁଆମୂଳ ରାମପୁର ବିଡ଼ିଓଙ୍କ ଲିଖିତଭାବେ ଜଣାଇଛନ୍ତି ବାର୍ଷିକୋଣା ସମେତ ଗମ୍ଭାରୀଗୁଡ଼ା, ବିରାଗୁଡ଼ା ଓ ମଣ୍ଡିଚୁଆଁ ବାସିନ୍ଦା । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଭଳି ଆଦି ସୁବିଧାରୁ ବଞ୍ଚିତ ଅଛନ୍ତି ଲୋକେ । ବାର୍ଷିକୋଣା ଗାଁରେ ରହିଛନ୍ତି ୪୫ଟି ଆଦିବାସୀ ପରିବାର । ଗମ୍ଭାରିଗୁଡ଼ାରେ ୧୨ କନ୍ଧ ପରିବାର ରହୁଥିବାବେଳେ ବିରିଗୁଡ଼ାରେ ୧୧ ଏବଂ ମଣ୍ଡିଗୁଣ୍ଡାରେ ରହନ୍ତି ୫ ଆଦିବାସୀ ପରିବାର ।

ଗାଁଠାରୁ ପଞ୍ଚାୟତ କାର୍ଯ୍ୟାଳୟର ଦୂରତା ୧୫କିଲୋମିଟର । ଯିବାଆସିବା ପାଇଁ ରାସ୍ତା ଭଲ ରାସ୍ତାଟିଏ ନାହିଁ । ବିଜମରା ଓ ରାଣୀମସ୍କା ଘାଟି ଜଙ୍ଗଲ ଦେଇ ଯିବାଆସିବା କରିଥାନ୍ତି ଲୋକେ । ଗାଁରେ ପାନୀୟ ଜଳ ପାଇଁ ଦୁଇଟି ନଳକୂପ ରହିଛି । ହେଲେ ତାହା ସମୁଦ୍ରକୁ ଶଙ୍ଖେ ସଦୃଶ । ପାଣିଟୋପାଏ ପାଇଁ ଗାଁଠୁ ଦୂରରେ ଥିବା ବାନ୍ଧପପଲା ଆମଝରଣ ନାଳା ଉପରେ ନିର୍ଭର କରିଥାନ୍ତି । ସ୍ୱାସ୍ଥ୍ୟ ସେବା କଥା ନକହିବା ଭଲ । କ୍ୱାକଙ୍କ ଭରସାରେ ଚାଲିଛି ଚିକିତ୍ସା । ଏପରିକି ରୋଜଗାର ପାଇଁ ଗାଁ ଯୁବକମାନେ ଦାଦନ ଖଟିବାକୁ ବାହାରକୁ ଯାଇଥାନ୍ତି ।

 

ନିର୍ବାଚନ ପାଖେଇ ଆସିଲେ ନେତାଙ୍କ ସୁଅ ଛୁଟିଥାଏ । ହେଲେ ବି ବଦଳିପାରୁନି ଗାଁର ଚିତ୍ର । ନିକଟରେ ଆମ ଗାଁ ଆମ ବିକାଶ ଯୋଜନା ଆରମ୍ଭ କରାଯାଇ ଗାଁର ସବୁ ସମସ୍ୟା ଓ ତାର ସମାଧାନ ପାଇଁ ଅର୍ଥ ଅନୁଦାନ ଯୋଗାଇ ଦିଆଯାଇଛି । ହେଲେ ପାନୀୟ ଜଳ ଅଭାବ, ସ୍ୱାସ୍ଥ୍ୟ ସେବା ଅପହଞ୍ଚ ଓ ପଦଚଲା ରାସ୍ତା କହୁଛି ବାର୍ଷିକୋଣା ଗାଁ ବିକାଶର କାହାଣୀ ।

Comments are closed.