Latest Odisha News

BREAKING NEWS

ଜେ ଏସ ଡ଼ବ୍ଲୁ ପ୍ରକଳ୍ପ ପାଇଁ ଢ଼ିଙ୍କିଆ ଗାଁର ଲୋକେ ଦେଲେ ପାନବରଜ

ପାରାଦ୍ୱୀପ: ଜେ ଏସ ଡ଼ବ୍ଲୁ ପ୍ରକଳ୍ପ ପାଇଁ ଦେଖାଦେଇଛି ନୂଆ ସମ୍ଭାବନା । ନୂଆବର୍ଷରୁ ଢ଼ିଙ୍କିଆ ଗାଁର ତିନି ଜଣ ହିତାଧିକାରୀ ପ୍ରକଳ୍ପ ପାଇଁ ପାନବରଜ ଦେଇଛନ୍ତି । ସେମାନେ ହେଲେ ପ୍ରେମାନନ୍ଦ ଦାସ, ଅରକ୍ଷିତ ମଲ୍ଲିକ ଓ ଧୀରେନ୍ଦ୍ର ସ୍ୱାଇଁ । ନିଜ ଇଚ୍ଛାରେ ସ୍ଥାନୀୟ ତହସିଲ ପ୍ରଶାସନ ଓ କମ୍ପାନୀର ଅଧିକାରୀଙ୍କ ଉପସ୍ଥିତିରେ ପାନବରଜ ମାପଚୁପ କରିଥିବା ଜଣାପଡ଼ିଛି ।

ମାହାଳ ଗାଁରେ ରବିନ୍ଦ୍ର ରାଉତ ଓ ସତ୍ୟାନନ୍ଦ ଜେନା ସେମାନଙ୍କ ପାନବରଜ ଦେଇଛନ୍ତି । ସେହିପରି ପାଟଣା ଗାଁରେ ମଧ୍ୟ ଆଜି ୧୮ଟି ପାନବରଜ ମାପଚୁପ କରାଯାଇଛି । ଗତକାଲି ସମୁଦାୟ ଏହି ତିନି ଗାଁରୁ ୨୩ଟି ପାନବରଜ ମାପଚୁପ କରାଯାଇଛି । ବର୍ତ୍ତମାନ ସୁଦ୍ଧା ସମୁଦାୟ ୧୨୧ଟି ପାନବରଜ ମାପଚୁପ କରାଯାଇସାରିଲାଣି । ଏରସମା ତହସିଲଦାରଙ୍କ ନେତୃତ୍ୱରେ ୩ଟି ଟିମ୍ ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ ।

ଦୀର୍ଘ ବର୍ଷ ଧରି ପ୍ରକଳ୍ପକୁ ବିରୋଧ କରି ଆସୁଥିଲେ ଢ଼ିଙ୍କିଆ ଗାଁର ଲୋକମାନେ । ଏମାନଙ୍କ ମଧ୍ୟରୁ ଏହି ୩ଜଣ ବରଜ ଦେବା ନିଶ୍ଚିତଭାବେ ଜେ ଏସ ଡ଼ବ୍ଲୁ ପ୍ରକଳ୍ପ ଓ ସ୍ଥାନୀୟ ଲୋକଙ୍କ ପାଇଁ ଶୁଭ ସୂଚନା ବୋଲି କୁହାଯାଇଛି । ତେବେ ଆଗାମୀ ଦିନରେ ଢ଼ିଙ୍କିଆ ଓ ମାହାଳ ଗାଁର ଥିବା ଅନ୍ୟ ବରଜଗୁଡ଼ିକ ଅଧିଗ୍ରହଣ କରିବାକୁ ଲୋକମାନେ ସହମତି ପ୍ରକାଶ କରିଛନ୍ତି । ସ୍ଥାନୀୟ ଲୋକେ ପ୍ରଶାସନିକ ସ୍ତରରେ ଆଲୋଚନା କରିବା ପରେ କମ୍ପାନୀ ପାଇଁ ଏହିଭଳି ସହଯୋଗର ହାତ ବଢ଼ାଇଥିବା ଜଣାପଡ଼ିଛି ।

Comments are closed.