ନୂଆଦିଲ୍ଲୀ: ଦିଲ୍ଲୀର ଜାହାଙ୍ଗୀରପୁରୀ ଅଞ୍ଚଳରେ ଥିବା କୁଶଲ ସିନେମା ନିକଟରେ ଶନିବାର ସନ୍ଧ୍ୟାରେ ହନୁମାନ ଜୟନ୍ତୀ ଅବସରରେ ଶୋଭାଯାତ୍ରା ହୋଇଥିଲା। ଏହି ସମୟରେ ଶୋଭାଯାତ୍ରା ଉପରେ ପଥର ମାଡ଼ ହୋଇଥିଲା। ପଥର ଫିଙ୍ଗିବା ପରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଥିଲେ। ଏହାପରେ ଅନେକ ଯାନବାହନ ଭଙ୍ଗାରୁଜା ହୋଇଛି ଏବଂ କିଛି ଗାଡି ଏବଂ ଦୋକାନରେ ନିଆଁ ଲଗାଇ ଦେଇଥିଲେ ଉତ୍ୟକ୍ତ ଲୋକେ। କେବଳ ଏତିକି ନୁହେଁ ଦୁର୍ବୃତ୍ତମାନେ ଖଣ୍ଡା ଏବଂ ବାଡ଼ି ମଧ୍ୟ ବୁଲାଇଥିଲେ। ଏହି ଘଟଣାରେ ପୋଲିସ ସମେତ ଶତାଧିକ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାର ତଦନ୍ତ ପାଇଁ ଦିଲ୍ଲୀ ପୋଲିସର ୧୦ ଜଣିଆ ଟିମ୍ ଗଠନ କରିଛି।
ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଘଟଣାସ୍ଥଳରେ ବହୁ ସଂଖ୍ୟାରେ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର କମିଶନର କହିଛନ୍ତି ଯେ ପରିସ୍ଥିତି ନିୟନ୍ତ୍ରଣରେ ରହିଛି। ବରିଷ୍ଠ ଅଧିକାରୀମାନେ ବହୁ ସଂଖ୍ୟକ ପୋଲିସ ଫୋର୍ସ ସହିତ ସେହି ଅଞ୍ଚଳରେ ରହି ପରିସ୍ଥିତିକୁ ଅନୁଧ୍ୟାନ କରିଥିଲେ। ଏହି ଘଟଣା ପରେ ଅନେକ ପୋଲିସ ଷ୍ଟେସନରୁ ଅତିରିକ୍ତ ପୋଲିସ ଫୋର୍ସ ମଗାଯାଇଛି। ଏହି ଫୋର୍ସ ସ୍ଥାନୀୟ ଅଞ୍ଚଳରେ ଫ୍ଲାଗ ମାର୍ଚ୍ଚ କରୁଛି।
ପୋଲିସର ସୂଚନାନୁସାରେ, କୁଶଲ ସିନେମା ନିକଟରେ ଏହି ଶୋଭାଯାତ୍ରା ପହଞ୍ଚିବା ପରେ କିଛି ଲୋକ ପଛରୁ ପଥର ଫିଙ୍ଗିଥିଲେ। ଏହା ପରେ ଲୋକେ ଧାଁ ଦୌଡ କରିଥିଲେ । ପରେ ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ରହିଥିଲା। ଯାହାର ଭିଡିଓ ଏବେ ସୋଶିଆଲ ମିଡିଆରେ ଘୁରି ବୁଲୁଛି । କୁହାଯାଉଛି ଯେ ଯେତେବେଳେ ପୋଲିସ ଘଟଣାସ୍ଥଳରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କଲା, ସେତେବେଳେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ମଧ୍ୟ ଆକ୍ରମଣ କରିଥିଲେ।
ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପରେ ପୋଲିସ ଦଙ୍ଗାରେ ବ୍ୟବହାର ହେଉଥିବା ଦଫା ଲଗାଇଛି। ପ୍ରାୟ ୧୫୦ରୁ ଅଧିକ ଲୋକଙ୍କୁ ଏହି ମାମଲାରେ ପୁଲିସ ଗିରଫ କରିବା ସହିତ ଜେରା କରିଛି। ଯେଉଁଠି ଏହି ଘଟଣା ଘଟିଛି ସେଠାରେ ଥିବା ସିସିଟିଭି ଫୁଟେଜକୁ ଅନୁଧ୍ୟାନ କରୁଛି ପୋଲିସ।
ଦିଲ୍ଲୀ ପୋଲିସ କମିଶନର କହିଛନ୍ତି ଜାହାଙ୍ଗୀରପୁରୀ ଏବଂ ରାଜଧାନୀର ଅନ୍ୟାନ୍ୟ ସମ୍ବେଦନଶୀଳ ଅଞ୍ଚଳରେ ଅତିରିକ୍ତ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଦଙ୍ଗାକାରୀଙ୍କ ବିରୋଧରେ କଡା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଲୋକମାନେ ସୋସିଆଲ ମିଡିଆରେ ଗୁଜବ ଏବଂ ମିଥ୍ୟା ଖବର ପ୍ରଚାର କରୁଥିବା ଲୋକଙ୍କଠାରୁ ଦୂରରେ ରହିବା ଉଚିତ ଏବଂ ପୋଲିସକୁ ଜଣାଇବା ଉଚିତ୍ ବୋଲି ସେ କହିଛନ୍ତି।
Comments are closed.