Latest Odisha News

BREAKING NEWS

ବାଣୀବିହାର ହଷ୍ଟେଲରେ ଦୁଇ ଗୋଷ୍ଠୀ ମଧ୍ୟରେ ଲାଠି ଓ ରଡ୍‌ମାଡ଼, ୩ ଗୁରୁତର

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ (ବାଣୀବିହାର) କ୍ୟାମ୍ପସ ପୁଣି ଥରେ ଅଶାନ୍ତ ହୋଇଛି। ହଷ୍ଟେଲ ପରିସର ଭିତରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଘଟିଥିବା ଏକ ସାଂଘାତିକ ମାରପିଟ୍‌ରେ ୩ ଜଣ ଛାତ୍ର ଗୁରୁତର ଭାବେ ଆହତ ହୋଇଛନ୍ତି। ଶିକ୍ଷାର ମନ୍ଦିର କୁହାଯାଉଥିବା କ୍ୟାମ୍ପସ ଭିତରେ ଖୋଲାଖୋଲି ଭାବେ ଲାଠି, ଲୁହା ରଡ୍ ଓ କାଠଫାଳିଆ ବୁଲିଛି। ଏହି ଘଟଣା ପରେ ସମଗ୍ର ବିଶ୍ୱବିଦ୍ୟାଳୟ ପରିସରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ସହିଦନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

ମିଳିଥିବା ସୂଚନା ମୁତାବକ, ରାତି ପ୍ରାୟ ସାଢ଼େ ୧୧ଟା ସମୟରେ ଏହି ସଂଘର୍ଷର ସୂତ୍ରପାତ ହୋଇଥିଲା। ପ୍ରଥମେ ଗୋଟିଏ ଛାତ୍ର ଗୋଷ୍ଠୀର କିଛି ଯୁବକ ଅନ୍ୟ ଗୋଷ୍ଠୀର ଜଣେ ଛାତ୍ରଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଏହି ମାଡ଼ର ଶିକାର ହୋଇଥିବା ଛାତ୍ର ଜଣକ ତୁରନ୍ତ ହଷ୍ଟେଲକୁ ଫେରି ନିଜ ସହପାଠୀ ଓ ସମର୍ଥକମାନଙ୍କୁ ସବୁ କଥା କହିଥିଲେ। ଏହାପରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା।

ନିଜ ସାଙ୍ଗ ଉପରେ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଅପରପକ୍ଷର ବହୁ ସଂଖ୍ୟକ ଛାତ୍ର ହାତରେ ଲାଠି ଏବଂ ଲୁହା ରଡ୍ ଧରି ଧସେଇ ପଶିଥିଲେ। ଦେଖୁ ଦେଖୁ ଉଭୟ ପାର୍ଶ୍ୱରୁ ଆକ୍ରମଣ ପ୍ରତିଆକ୍ରମଣ ଆରମ୍ଭ ହୋଇଯାଇଥିଲା ଏବଂ ପୂରା ହଷ୍ଟେଲ ପରିସର ଏକ ରଣକ୍ଷେତ୍ରରେ ପରିଣତ ହୋଇଥିଲା। ଏହି ରକ୍ତାକ୍ତ ସଂଘର୍ଷରେ ୩ ଜଣ ଛାତ୍ର ମୁଣ୍ଡ ଓ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ପାଇ ରକ୍ତାକ୍ତ ହୋଇଥିଲେ। ସେମାନଙ୍କୁ ସେଠାରୁ ତୁରନ୍ତ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏହି ବର୍ବର ଆକ୍ରମଣକୁ ପ୍ରତିବାଦ କରି ଏବଂ ଦୋଷୀ ଛାତ୍ରଙ୍କ ଗିରଫଦାରୀ ଦାବିରେ ଉତ୍ତ୍ୟକ୍ତ ଛାତ୍ରମାନେ ବିଶ୍ୱବିଦ୍ୟାଳୟର ମୁଖ୍ୟ ଗେଟ୍ ସାମ୍ନାକୁ ଚାଲିଆସିଥିଲେ। ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମୁଖ୍ୟ ଫାଟକ ଆଗରେ ବସି ବ୍ୟାପକ ନାରାବାଜି କରିବା ସହ ଧାରଣା ଦେଇଛନ୍ତି। କ୍ୟାମ୍ପସ ଭିତରେ ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିବା ନେଇ କର୍ତ୍ତୃପକ୍ଷଙ୍କ ଉପରେ ଛାତ୍ରମାନେ କ୍ଷୋଭ ପ୍ରକାଶ କରିଛନ୍ତି।

ଖବର ପାଇ ସହିଦନଗର ଥାନାର ଏକ ବଡ଼ ପୋଲିସ ଫୋର୍ସ ତୁରନ୍ତ ବାଣୀବିହାରରେ ପହଞ୍ଚି ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରୁଛି। ପୋଲିସ ଅଧିକାରୀମାନେ ଆନ୍ଦୋଳନରତ ଛାତ୍ରମାନଙ୍କୁ ବୁଝାସୁଝା କରିବା ସହ ଧାରଣାରୁ ହଟାଇବାକୁ ପ୍ରୟାସ ଚଳାଇଛନ୍ତି। କ୍ୟାମ୍ପସ ଭିତରେ ପୁଣି ଥରେ ଯେମିତି କୌଣସି ଅପ୍ରୀତିକର ପରିସ୍ଥିତି କିମ୍ବା ପାଲଟା ଆକ୍ରମଣ ନହୁଏ, ସେଥିପାଇଁ ହଷ୍ଟେଲଗୁଡ଼ିକ ଆଖପାଖରେ କଡ଼ା ପୋଲିସ ମୁତୟନ କରାଯାଇଛି।

Leave A Reply

Your email address will not be published.