Latest Odisha News

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ରହସ୍ୟ ଘେରରେ ଆଫଗାନିସ୍ତାନ କ୍ରିକେଟ ଦଳର ପ୍ରାୟୋଜକ

ଭୁବନେଶ୍ୱର: ଚଳିତବର୍ଷ ଟି୨୦ କ୍ରିକେଟ୍ ବିଶ୍ୱକପରେ ଲଢୁଆ ଖେଳ ପ୍ରଦର୍ଶନ ଜାରି ରଖିଛି ଆଫଗାନିସ୍ତାନ ଦଳ । ଦେଶ ଉପରେ ତାଲିବାନର କବ୍‌ଜା ପରେ ବି ଦୃଢ ମନୋବଳ ନେଇ ପଡିଆକୁ ଓହ୍ଲାଉଛନ୍ତି ଏହି ନିର୍ଭୀକ ଦଳ । ହେଲେ ଏହି ଦଳକୁ ନେଇ ଏକ ବିରାଟକାୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।ଖାସ କରି ଦଳର ପ୍ରାୟୋଜକକୁ ନେଇ ସୋସିଆଲ ମିଡିଆରେ ନାନା କଳ୍ପନାଜଳ୍ପନା ଜାରି ରହିଛି ।

ଆଫଗାନିସ୍ତାନ କ୍ରିକେଟ ଦଳକୁ ଆର୍ଥିକ ସହାୟତା ଦେବାକୁ ମନା କରିବା ପରେ କ୍ରିକେଟର୍ ମହମ୍ମଦ ନବି ନିଜ ଖର୍ଚ୍ଚରେ ଦଳକୁ ବିଶ୍ୱକପରେ ଖେଳାଇବାକୁ ଆଣିଛନ୍ତି । ସୋସିଆଲ ମିଡିଆରେ ଏକାଧିକ ପୋଷ୍ଟ କିଛି ଏପରି ଦାବି କରିଛି । ତେବେ ସତ କ’ଣ ତାହା ଏବେ ବି ଅଧିକାଂଶ ଲୋକେ ଜାଣିପାରିନାହାଁନ୍ତି ।

ଭାଇରାଲ୍ ପୋଷ୍ଟର ସତ୍ୟତା ଜାଣିବା ଲାଗି ଖୋଳତାଡ ଆରମ୍ଭ କରିଥିଲା ଟିମ୍ ଭାଇରାଲ୍ ପୋଷ୍ଟମୋର୍ଟମ୍ । ବହୁ ଖୋଳତାଡ ପରେ ଆମେ ଆଫଗାନିସ୍ତାନ କ୍ରିକେଟ ବୋର୍ଡର ଏକ ପୁରୁଣା ଟୁଇଟ୍ ଖୋଜି ପାଇଥିଲୁ । ଏହି ଟୁଇଟରେ ଆଫଗାନିସ୍ତାନର ପ୍ରାୟୋଜକ ଭାବେ ସେଡିକି ଗ୍ରୁପର ନାଁ ଉଲ୍ଲେଖ ରହିଥିଲା । ଅକ୍ଟୋବର ୧୪ରେ ଏହି ଟୁଇଟ ହୋଇଥିଲେ ହେଁ ଲୋକେ କିନ୍ତୁ ମହମ୍ମଦ ନବିଙ୍କୁ ଆଫଗାନିସ୍ତାନ ଦଳର ପ୍ରାୟୋଜକ ଭାବୁଥିଲେ ।

ନାନା ସମସ୍ୟା ଦେଇ ଗତି କରୁଥିବା ଆଫଗାନିସ୍ତାନ ବିଶ୍ୱକପ ଅଭିଯାନରେ ସ୍କଟଲ୍ୟାଣ୍ଡ ଓ ନାମିବିଆ ଭଳି ଦଳକୁ ପରାଜିତ କରିଛି । ଏହି ସପଳତାକୁ ନେଇ ତାଲିବାନର ପ୍ରବକ୍ତା ସୁହୈଲ ସାହୀନ ମଧ୍ୟ ଅକ୍ଟୋବର ୩୧ ତାରିଖରେ ଏକ ଟୁଇଟ୍ ଜରିଆରେ ଆଫଗାନିସ୍ତାନ କ୍ରିକେଟ ଦଳକୁ ଅଭିନନ୍ଦନ ଜଣାଇଥିଲେ ।

ଏହି ସମସ୍ତ ପ୍ରମାଣ ସ୍ପଷ୍ଟ କରିଛି ଯେ, ଆଫଗାନିସ୍ତାନ କ୍ରିକେଟ ଦଳକୁ କେବେ ହେଲେ ତଲିବାନ ବିରୋଧ କରିନାହିଁ । ଅନ୍ୟପଟେ ମହମ୍ମଦ ନବି ନୁହେଁ ବରଂ ସେଡିକି ଗ୍ରୁପ ନାମକ ତୁର୍କୀର ଏକ କମ୍ପାନୀ ଟି୨୦ ବିଶ୍ୱକପରେ ଆଫଗାନିସ୍ତାନର ପ୍ରାୟୋଜକ ସାଜିଛି ।

Leave A Reply

Your email address will not be published.