Latest Odisha News

ଭାଇରାଲ୍ ପୋଷ୍ଟମୋର୍ଟମ୍; କେତେ ସତ କେତେ ମିଛ ? ପ୍ରତି ୧୦୦ ବର୍ଷରେ ଥରେ ସର୍ବବ୍ୟାପୀ ମହାମାରୀ !

ଭୁବନେଶ୍ୱର: କରୋନା ମହାମାରୀ ବିଶ୍ୱରେ ବ୍ୟାପିବା ପରଠୁ ଅନେକ ଟିଭି ଚ୍ୟାନେଲ, ଖବର କାଗଜ ଓ ସୋସିଆଲ ମିଡିଆରେ ପ୍ରତି ୧୦୦ବର୍ଷରେ ଥରେ ବିଶ୍ୱ କିଛି ନା କିଛି ମହାମାରୀକୁ ସାମ୍ନା କରୁଥିବା ପ୍ରକାଶ କରିଆସିଛନ୍ତି । ହେଲେ ଏହି ଦାବିରେ କେତେ ରହିଛି ସତ୍ୟତା ?

ସତ ଜାଣିବାକୁ ଛାନଭିନ୍ ଆରମ୍ଭ କରିଥିଲା ଟିମ୍ ଭାଇରାଲ୍ ପୋଷ୍ଟମୋର୍ଟମ୍ । ତେବେ କୌଣସି ନିର୍ଦ୍ଧିଷ୍ଟ ସୁତ୍ର ବଦଳରେ ଏକାଧିକ ବିଦେଶୀ ଖବରକାଗଜ ଓ ସାଇଟରେ ଖୋଳତାଡ କରିବା ପରେ ସାମ୍ନାକୁ ଆସିଥିଲା ଅନେକ ଅଜଣା ରହସ୍ୟ ।

ଅନୁସନ୍ଧାନରୁ ଜଣାପଡିଛି ପ୍ଲେଗ୍, କୋଲେରା ଓ ସ୍ପାନିଶ୍ ଫ୍ଲୁ ର ପ୍ରଭାବ କରୋନାଭାଇରସ୍ ସହ ମେଳ ଖାଉଛି । ହେଲେ ସତରେ କ’ଣ ଏହି ସବୁ ରୋଗ ମହାମାରୀ ଓ ପ୍ରତି ୧୦୦ ବର୍ଷର ବ୍ୟବଧାନରେ ବିଶ୍ୱକୁ ଚ୍ୟାଲେଂଜ କରିଛି ନା କିଛି ଦ୍ୱେଷପୂର୍ଣ୍ଣ ସଙ୍ଗଠନ ପ୍ରଘଟ କରିଛନ୍ତି ମିଥ୍ୟା ତଥ୍ୟ ।

ପ୍ଲେଗ୍ (କାଳ୍ପନିକ ଚିତ୍ର)

୧୭୨୦ରେ ପ୍ଲେଗ ଦେଖାଇଥିଲା ମୃତ୍ୟୁର କରାଳ ରୂପ । ଫ୍ରାନ୍ସର ମ।ର୍ସେଲ୍ ସହରରେ ଆରମ୍ଭ ହୋଇଥିବା ଏହି ମହାମାରୀ ପରେ ଦ ଗ୍ରେଟ୍ ପ୍ଲେଗ୍ ଅଫ୍ ମ।ର୍ସେଲ ଭାବେ ନାମିତ ହୋଇଥିଲା । ମିଳିଥିବା ସୂଚନା ଅନୁଯାୟୀ ଏହି ମହାମାରୀରେ ୧ଲକ୍ଷ ୨୬ହଜାର ଲୋକ ମୃତ୍ୟୁମୁଖରେ ପଡିଥିଲେ । ତେବେ ଖାସ କରି ଫ୍ରାନ୍ସରେ ଏହି ରୋଗ ଦେଖାଦେଇଥିବାରୁ ଏହାକୁ ମହାମାରୀ କୁହାଯାଇନପାରେ ।

କୋଲେରା (କାଳ୍ପନିକ ଚିତ୍ର)

୧୮୨୦ରେ ଏସିଆ ଦେଶମାନଙ୍କରେ ଉଭା ହୋଇଥିଲା କୋଲେରା ମହାମାରୀ । ଇଣ୍ଡୋନେସିଆ, ଥାଇଲ୍ୟାଣ୍ଡ ଓ ଫିଲିପାଇନ୍ସ ଭଳି ଦେଶ ଏହାଦ୍ୱାରା ଅଧିକ ପ୍ରଭାବିତ ହୋଇଥିଲେ । ଦୂଷିତ ଜଳ ପିଇ ପ୍ରାୟ ଲକ୍ଷେରୁ ଅଧିକ ଲୋକ ଏଥିରେ ପ୍ରାଣ ହରାଇଥିଲେ । ତେବେ କିଛି ବିଦେଶୀ ଅନୁସନ୍ଧାନକାରୀଙ୍କ ରିପୋର୍ଟ ଅନୁଯାୟୀ ପ୍ରଥମେ ଏହି ମହାମାରୀ ୧୮୧୭ରେ କୋଲକାତାର ଗ୍ୟାଙ୍ଗସ୍ ଡେଲ୍‌ଟାରେ ଦେଖାଦେଇଥିଲା

ସ୍ପାନିଶ ଫ୍ଲୁ (କାଳ୍ପନିକ ଚିତ୍ର)

୧୯୨୦ରେ ସାମ୍ନାକୁ ଆସିଥିଲା ସ୍ପାନିଶ ଫ୍ଲୁ । ପ୍ରାୟ ଅଧା ବିଲିଅନ ଲୋକେ ଏଥିରେ ସଂକ୍ରମିତ ହୋଇଥିଲାବେଳେ ୧୦୦ ମିଲିଅନ୍ ଲୋକ ପ୍ରାଣ ହରାଇଥିଲେ । ବିଶ୍ୱ ଇତିହାସରେ ସ୍ପାନିଶ ଫ୍ଲୁ ସବୁଠୁ ଅଧିକ ମାରାତ୍ମକ ମହାମାରୀ ଭାବେ ସ୍ଥାନ ପାଇଛି । ଅନୁସନ୍ଧାନରୁ ଜଣାପଡିଛି ୧୯୨୦ ନୁହେଁ ବରଂ ୧୯୧୮ରେ ପ୍ରଥମେ ଜଣେ ଆମେରିକୀୟ ସେନା ଅଧିକାରୀଙ୍କ ନିକଟରେ H1N1 ଭୂତାଣୁ ଠାବ ହୋଇଥିଲା । ଏହି ଭୂତାଣୁ ବିଷୟରେ ଏକମାତ୍ର ସ୍ପେନ୍ ସ୍ପଷ୍ଟ ତଥା ପ୍ରକୃତ ତଥ୍ୟ ପ୍ରଦାନ କରିଥିବାରୁ ଏହା ସ୍ପାନିଶ ଫ୍ଲୁ ଭାବେ ନାମିତ ହୋଇଥିଲା ।

କରୋନାଭାଇରସ୍

୨୦୨୦ ନୁହେଁ ବରଂ ୨୦୧୯, ଡିସେମ୍ବର ୩୧ରେ ଚାଇନାର ଉହାନ୍ ସହରରେ ପ୍ରଥମେ ସାମ୍ନାକୁ ଆସିଥିଲା କରୋନାଭାଇରସ ମାମଲା । ଏହି ଘଟଣାର ୮ଦିନ ପରେ କରୋନା ନାମକ ଭାଇରସର ଖୁଲାସା କରିଥିଲା । ଜାନୁଆରୀ ୨୧ରେ ଆମେରିକାରେ ଏହି ଭାଇରସ୍ ସାମ୍ନାକୁ ଆସିବା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପ୍ରାୟ ତିନି ମାସ ପରେ ମାର୍ଚ୍ଚ ୧୧ରେ କୋଭିଡ-୧୯କୁ ମହାମାରୀ ଘୋଷଣା କରିଥିଲା । ଏ ପର୍ଯ୍ୟନ୍ତ ସାରା ବିଶ୍ୱରେ ୨କୋଟି ୪୦ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଥିଲାବେଳେ ଦେଢ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ।

Comments are closed.