Latest Odisha News

BREAKING NEWS

ଭାଇରାଲ୍ ପୋଷ୍ଟମୋର୍ଟମ୍‌; ଗୁଜବ ଉଠିଛି, ହିନ୍ଦୁ ମନ୍ଦିରରେ ମୁସଲମାନ ରହୁଛନ୍ତି !

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହୋଇଛି । ମୁସଲମାନଙ୍କ କ୍ୱାରେଣ୍ଟାଇନ୍ କେନ୍ଦ୍ର ରୂପେ ଏକ ହିନ୍ଦୁ ମନ୍ଦିର ବ୍ୟବହାର ହୋଇଛି । ଭିଡିଓରେ ଏକାଧିକ ପୁରୁଷ ଓ ମହିଳା ପଠାନୀ ଟୋପି ଏବଂ ବୁର୍ଖା ପିନ୍ଧି ବିଲ୍ଡିଂ ବାହାରକୁ ଯିବାରେ ସ୍ପଷ୍ଟ ଦେଖିବାକୁ ମିଳିଛି ।

ଭାଇରାଲ୍ ହୋଇଥିବା ଭିଡିଓରେ କ୍ୟାପ୍ସନ ରହିଛି “ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଚିତ୍ତୁର ଜିଲ୍ଲାର କନ୍ନିପକ୍କମ ଗଣେଷ ମନ୍ଦିର କ୍ୱାରେଣ୍ଟାଇନ୍ କେନ୍ଦ୍ର ଭାବେ ବ୍ୟବହାର ହୋଇଛି । ଏହି ଉଦ୍ଦେଶ୍ୟ ପାଇଁ ମସଜିଦ କିମ୍ବା ଚର୍ଚ୍ଚ କାହିଁକି ବ୍ୟବହାର ହେଲାନି ? ଲୋକେ ଆମ ମନ୍ଦିର ଭିତରେ ଚପଲ ପିନ୍ଧି ଚଳପ୍ରଚଳ କରୁଛନ୍ତି” ।

ସେହିଭଳି ଅନ୍ୟ ଏକ ଟୁଇଟରେ “ହିନ୍ଦୁ ମନ୍ଦିରରୁ ମୁସଲମାନ ବାହାରୁଥିବା ନେଇ ପ୍ରଶ୍ନ କରାଯାଇଛି । ଏପରିକି ହିନ୍ଦୁ ମନ୍ଦିରକୁ ମୁସଲମାନଙ୍କ କ୍ୱାରେଣ୍ଟାଇନ୍ ବ୍ୟବସ୍ଥା ପାଇଁ ବ୍ୟବହାର ହୋଇଥିବା ଦାବି ହୋଇଛି” ।

ଭିଡିଓଟି ଟିମ୍ ଭାଇରାଲ୍ ପୋଷ୍ଟମୋର୍ଟମ ନଜରକୁ ଆସିବା ପରେ ଛାନଭିନ୍ ଦଳ ସଜାଗ ହୋଇଉଠିଥିଲା । ସତ କ’ଣ ଜାଣିବା ପାଇଁ ଶେୟାର ହୋଇଥିବା ପୋଷ୍ଟ ଓ ଭିଡିଓକୁ ବାରମ୍ବାର ଯାଂଚ କରିଥିଲା ।

ଯାଂଚ ବେଳେ ଏକ ସୁପରିକଳ୍ପିତ ଘୃଣ୍ୟ ଯୋଜନାର ସୁରାକ୍ ଆମ ହାତରେ ଲାଗିଥିଲା । ଭିଡିଓଟିକୁ ବାରମ୍ବାର ଦେଖିବା ପରେ ବିଲ୍ଡିଂ ବା ମନ୍ଦିର ଭାବେ ଦାବି ହୋଇଥିବା ଗୃହ ସାମ୍ନାରେ ଲାଗିଥିବା ଏକ ଫଳକ ଉପରେ ଆମ ନଜର ପଡିଥିଲା । ସେଥିରେ ସ୍ପଷ୍ଟ ଭାବେ ଶ୍ରୀ ଗଣେଷ ସଦନ ଲେଖାହୋଇଥିଲା ।

ମନ୍ଦିର ଭାବେ ଦାବି ହୋଇଥିବା ଗୃହ ର ପ୍ରକୃତ ସ୍ଥାନ ଜାଣିବା ପାଇଁ ଆମେ ଗୁଗଲ୍ ମ୍ୟାପରେ ସର୍ଚ୍ଚ କରିବା ମାତ୍ରେ କମ୍ପ୍ୟୁଟର ସ୍କ୍ରିନ୍ ରେ ଆମ ସାମ୍ନାକୁ ଆସିଥିଲା ଏକ ଲଜ୍ ର ଠିକଣା ଓ କିଛି ଫଟୋ । ଯେଉଁଥିରେ ଚିତ୍ତୁର ଜିଲ୍ଲା, ଆନ୍ଧ୍ର ପ୍ରଦେଶ ବୋଲି ଉଲ୍ଲେଖ ଥିଲା ।

ଗୁଗୁଲ ମ୍ୟାପରେ ମିଳିଥିବା ଫଟୋ ଓ ଭାଇରାଲ ହୋଇଥିବା ଭିଡିଓର ଏକ ସ୍ନାପସଟ୍ ନେଇ ଆମେ ତୁଳନା କରିଥିଲୁ । ଦୁଇଟି ଯାକ ଫଟୋ ମେଳ ଖାଇବା ପରେ ଆମ ସନ୍ଦେହ ଦୂରୀଭୁତ ହୋଇଥିଲା ।

ଗଣେଷ ମନ୍ଦିର ନୁହେଁ ବରଂ ଏହି ବିଲ୍ଡିଂଟି ଗଣେଷ ସଦନ ନାମକ ଏକ ଲଜିଂର ଭିଡିଓ । ଯେଉଁଥିରେ ରହୁଥିବା କିଛି ଇସଲାମ ଧର୍ମୀ ଲୋକ ଚଳପ୍ରଚଳ କରୁଥିବାର ଏକ ଭିଡିଓକୁ ମନ୍ଦ ଉଦ୍ଦେଶ୍ୟରେ ସୁଟିଂ କରାଯାଇଥିଲା ।

ପରବର୍ତ୍ତୀ ସମୟରେ ଏହି ଭିଡିଓରେ ଥିବା ଗଣେଷ ସଦନ ଲଜକୁ ଗଣେଷ ମନ୍ଦିର ଭାବେ ଦର୍ଶାଇ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ କନ୍ଦଳ ସୃଷ୍ଟି କରିବା ପାଇଁ ଏକ ଘୃଣ୍ୟ ଯୋଜନା ରଚାଯାଇଥିଲା ।

ଏହି ସମସ୍ତ ତଥ୍ୟକୁ ଆଧାର କରି ଏହା ସ୍ପଷ୍ଟ ହୋଇଛି ଯେ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ କୌଣସି ହିନ୍ଦୁ ମନ୍ଦିରକୁ ମୁସଲମାନ ତ ଦୂରର କଥା ହିନ୍ଦୁମାନଙ୍କ ପାଇଁ ବି କ୍ୱାରେଣ୍ଟାଇନ୍
କେନ୍ଦ୍ର ରୂପେ ବ୍ୟବହାର କରିବା ପାଇଁ ନିର୍ଦ୍ଦେଶ ଦେଇନାହାନ୍ତି ।

Leave A Reply

Your email address will not be published.