Latest Odisha News

BREAKING NEWS

ଭାଇରାଲ୍ ଇ-ରିକ୍ସା ହ୍ୟାକିଂ ଭିଡିଓ ଖୋଲିଦେଲା ପୋଲ୍, ଦେଶର ସାଇବର ସୁରକ୍ଷା ବ୍ୟବସ୍ଥା ନେଇ ବଢ଼ିଲା ଚିନ୍ତା!

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଗୋଟିଏ ସାଧାରଣ ଭିଡିଓ ଏବେ ଦେଶର ସୁରକ୍ଷା ବିଶେଷଜ୍ଞ ଏବଂ ସରକାରଙ୍କ ନିଦ ହଜାଇ ଦେଇଛି। ପ୍ରଥମେ ପ୍ରଥମେ ଏହା କେବଳ ଏକ ମଜାଦାର ପ୍ରାଙ୍କ ବା ଥଟ୍ଟା ଭିଡିଓ ଭଳି ମନେହେଉଥିଲା, କିନ୍ତୁ ଏବେ ଏହି ଘଟଣା ଭାରତର ଦ୍ରୁତ ଗତିରେ ବଢ଼ୁଥିବା ଇଲେକ୍ଟ୍ରିକ ଗାଡ଼ି (EV) ବଜାର ଏବଂ ସାଇବର ସୁରକ୍ଷା ପାଇଁ ଏକ ବଡ଼ ଚେତାବନୀ ପାଲଟିଛି।

 

ସୋସିଆଲ ମିଡିଆରେ କିଛି ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ କିଛି ଯୁବକ କେବଳ ଗୋଟିଏ ସ୍ମାର୍ଟଫୋନ୍ ଏବଂ ସହଜରେ ମିଳୁଥିବା ଚାଇନିଜ୍ ବ୍ଲୁଟୁଥ୍ ଆପ୍ ବ୍ୟବହାର କରି ରାସ୍ତାରେ ଚାଲୁଥିବା ଇ-ରିକ୍ସାଗୁଡ଼ିକୁ ଦୂରରୁ ନିୟନ୍ତ୍ରଣ କରୁଛନ୍ତି ଏବଂ ହଠାତ୍ ବନ୍ଦ କରିଦେଉଛନ୍ତି। ଏହି ଇ-ରିକ୍ସାଗୁଡ଼ିକରେ ବ୍ୟବହାର କରାଯାଉଥିବା ବ୍ୟାଟେରୀ ମ୍ୟାନେଜମେଣ୍ଟ ସିଷ୍ଟମ (BMS) ର ଦୁର୍ବଳ ସୁରକ୍ଷା ବ୍ୟବସ୍ଥା ଯୋଗୁଁ ଏହା ସମ୍ଭବ ହେଉଛି। କୌଣସି ପାସୱାର୍ଡ ବା ସୁରକ୍ଷା କବଚ ନଥିବାରୁ ବାହାର ଲୋକେ ବ୍ଲୁଟୁଥ୍ ଜରିଆରେ ଏହାକୁ ସହଜରେ ହ୍ୟାକ୍ କରିପାରୁଛନ୍ତି।

 

ସାଇବର ବିଶେଷଜ୍ଞଙ୍କ ରିପୋର୍ଟ ଅନୁସାରେ, ଏହି ସମସ୍ୟା କେବଳ ତିନି ଚକିଆ ଇ-ରିକ୍ସା ମଧ୍ୟରେ ସୀମିତ ହୋଇ ରହିନପାରେ। ଯଦି ସମୟ ଥାଉ ଥାଉ ଏହାର ସମାଧାନ କରାନଯାଏ, ତେବେ ଆଗକୁ ବଡ଼ ବଡ଼ ଇଲେକ୍ଟ୍ରିକ ଗାଡ଼ି ମଧ୍ୟ ସାଇବର ଆଟାକର ଶିକାର ହୋଇପାରନ୍ତି, ଯାହା ଫଳରେ ରାସ୍ତାରେ ବଡ଼ ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି।

 

ଏହି ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏବେ ଆକ୍ସନ ମୋଡ୍‌କୁ ଆସିଛନ୍ତି। ଏଭଳି ସାଇବର ଲୁପ୍‌ହୋଲ୍ ବା ଦୁର୍ବଳତାକୁ ଦୂର କରିବା ପାଇଁ ଏବଂ ଗାଡ଼ିଗୁଡ଼ିକର ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ପାଇଁ ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଇଛି। ଦେଶରେ ଇଲେକ୍ଟ୍ରିକ ଗାଡ଼ିର ଚଳାଚଳକୁ ପ୍ରୋତ୍ସାହନ ଦିଆଯାଉଥିବା ବେଳେ ଏହି ଡିଜିଟାଲ୍ ସୁରକ୍ଷାକୁ ଏବେ ସବୁଠୁ ଅଧିକ ଗୁରୁତ୍ୱ ଦେବାର ସମୟ ଆସିଯାଇଛି।

Leave A Reply

Your email address will not be published.