Latest Odisha News

ଭାଇରାଲ୍ ପୋଷ୍ଟମୋର୍ଟମ୍‌; କରୋନା ଜିହାଦ, ସତ ନା କୁହେଳିକା !

ଭୁବନେଶ୍ୱର: ମାତ୍ର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଏପ୍ରିଲ୍ ୬ରେ ଏକ ଭିଡିଓ ଭାଇରାଲ୍ ହୋଇଛି । ଯେଉଁଥିରେ ଜଣେ ବ୍ୟକ୍ତି ଗାଡିରେ ଲଦା ହୋଇଥିବା ବ୍ରେଡ୍ ବା ପାଉଁରୁଟି ସହ କିଛି ଅସାମାନ୍ୟ ଗତିବିଧୀରେ ସାମିଲ ହୋଇଥିଲା ।

ଏହି ଭିଡିଓଟିକୁ ଅପଲୋଡ କରି ଭାରତରେ କିଛି ଲୋକ କରୋନା ଜିହାଦ ନାମକ ଶବ୍ଦକୁ ଜନ୍ମ ଦେଇଛନ୍ତି । ଭିଡିଓରେ ଥିବା ବ୍ୟକ୍ତି ଜଣେ ମୁସଲମାନ ଓ ସେ ବ୍ରେଡ ପ୍ୟାକେଟରେ ଛେପ ପକାଇ କରୋନା ଭାଇରସକୁ ସଂକ୍ରମିତ କରୁଛି ବୋଲି ଗୁଜବ ଉଠିଛି ।

ଭାରତରେ ଏହି ଭିଡିଓ କେମିତି ଆସିଲା ଓ ଏହାକୁ କିଏ ପ୍ରଥମେ ସୋସିଆଲ ମିଡିଆରେ ଭାଇରାଲ୍ କଲା, ତାହା ଏବେ ବି ଅସ୍ପଷ୍ଟ । ହେଲେ ଦୀକ୍ଷା କୌଶିକ ନାମକ ଜଣେ ମହିଳା ପ୍ରଥମେ ଏହି ଭିଡିଓକୁ ଟୁଇଟ୍ ମାଧ୍ୟମରେ ପ୍ରଘଟ କରିଥିଲେ ।

ଯେଉଁଥିରେ ତାଙ୍କ କ୍ୟାପ୍ସନ ଥିଲା “ ତାଜା ସ୍ଥିତିରେ ପାଉଁରୁଟି, ଟୋଷ୍ଟ ଓ ବେକେରି ବିସ୍କୁଟ୍ ଆଇଟମ୍‌କୁ ପରିତ୍ୟାଗ କରନ୍ତୁ । କାହିଁକି ନା ୯୫% ବେକେରି ଉଦ୍ୟୋଗ ଇସଲାମ ସଂପ୍ରଦାୟ ଅଧିନରେ । ଏପରିକି ତାଙ୍କ କର୍ମଚାରୀ ବି ମୁସଲମାନ୍ । କରୋନାକୁ ମୁସଲମାନ ଲୋକେ ମାନୁନଥିବାରୁ କୌଣସି ସଂକ୍ରମିତ ଲୋକ ଏହି ଭିଡିଓରେ କିଛି ଧ୍ରୁଷ୍ଟତା କରିଛି” ।

ଭାରତରେ ଏହି ଭିଡିଓଟି ଫେସବୁକରେ ବି ବହୁଳ ମାତ୍ରାରେ ଶେୟାର ହୋଇଥିଲା । ତେବେ ସୋସିଆଲ ମିଡିଆରେ ପୋଷ୍ଟ ଓ ଶେୟାର ହୋଇଥିବା ଏହି ଭିଡିଓ ଏବଂ କ୍ୟାପ୍ସନର ସତ୍ୟତା ନେଇ ଭାଇରାଲ୍ ପୋଷ୍ଟମୋର୍ଟମ୍ ଟିମର ସନ୍ଦେହ ଜାତ ହୋଇଥିଲା ।

ସାଧାରଣ ଲୋକଙ୍କ ମନରେ ଭ୍ରମ ଦୂର କରିବା ପାଇଁ ଆରମ୍ଭ ହୋଇଥିଲା ସତ୍ୟର ସନ୍ଧାନ ।  ପର୍ବପରି ବିଭିନ୍ନ ୱେବ୍‌ସାଇଟ୍ ଓ ଭିଡିଓ ଆର୍କାଇଭରେ ଖୋଳତାଡ ହୋଇଥିଲା ।

ଶେଷରେ ଏହି ଭିଡିଓ ସହ ଫିଲିପାଇନ୍ସର କନେକ୍ସନ୍ ମିଳିଥିଲା । ରିଭର୍ସ ଇମେଜ ସର୍ଚ୍ଚ କରିବା ପରେ ଏହି ଭିଡିଓଟି ଆମକୁ ସୋସିଆଲ ମିଡିଆରେ ମିଳିଥିଲା । ଯେଉଁଥିରେ ଏହି ଭିଡିଓଟି ସେପ୍ଟେମ୍ବର ୨୦୧୯ରେ ଭାଇରାଲ୍ ହୋଇଥିବା ଜଣାପଡିଥିଲା । ହେଲେ  କ୍ୟାପ୍ସନ ରହିଥିଲା ଫିଲିପାଇନ୍ସ ବେକେରୀରେ ବିତରଣ କରୁଥିବା ଜଣେ ବ୍ୟକ୍ତିର ଅଗ୍ରହଣୀୟ ଆଚରଣ ।

ଏହା ପରେ ଆମେ ‘ଫିଲିପାଇନ୍ସ ବ୍ରେଡ୍ ଟାମ୍ପରିଙ୍ଗ’ ଲେଖି ଗୁଗଲ୍‌ରେ ସର୍ଚ୍ଚ କରିଥିଲୁ । କମ୍ପ୍ୟୁଟର୍‌ର ଏଣ୍ଟର୍ ବଟନ୍ ଟିପିବା ମାତ୍ରେ ABS-CBN ନାମକ ଏକ ଫିଲିପାଇନ୍ସ ନ୍ୟୁଜ୍ ସାଇଟ୍ ର ଆର୍ଟିକଲ ସାମ୍ନାକୁ ଆସିଥିଲା ।

ABS-CBN ର ଆର୍ଟିକଲ ଅନୁଯାୟୀ ଗାର୍ଡେନିଆ ବେକେରିସ୍ ଫିଲିପାଇନ୍ସର ଜଣେ କର୍ମଚାରୀ ଗାଡିରେ ଲଦା ହୋଇଥିବା ବ୍ରେଡ୍ ସହ ଅଜଣା ହରକତ କରୁଥିବା ନେଇ ଭିଡିଓଟି ଭାଇରାଲ୍ ହୋଇଥିବା ପ୍ରକାଶ ପାଇଥିଲା ।

ଏ ନେଇ ସଂପୃକ୍ତ ବେକେରୀ କମ୍ପାନୀ ଫେସବୁକ ଜରିଆରେ କ୍ଷମା ପ୍ରାର୍ଥନା । ଆଉ ସ୍ପଷ୍ଟ ବି କରିଥିଲେ ଯେ ବ୍ୟକ୍ତି ଜଣକ ଗାଡିରେ ଥିବା ବ୍ରେଡ୍ ପ୍ୟାକେଟରୁ କିଛି ବ୍ରେଡ୍ କାଢିଥିଲେ ।  ଏହି କ୍ଷମାପ୍ରାର୍ଥନା ପୋଷ୍ଟଟି ସେପ୍ଟେମ୍ବର ୨୦୧୯ ର ବୋଲି ସ୍ପଷ୍ଟ ହୋଇଛି ।

ଏହି ଘଟଣାକୁ ନେଇ ସମସ୍ତ ତଥ୍ୟ ସାମ୍ନାକୁ ଆସିବା ପରେ ସ୍ପଷ୍ଟ ପ୍ରମାଣିତ ହୋଇଛି ଯେ ଫିଲିପାଇନ୍ସର ଏକ ପୁରୁଣା ଭିଡିଓକୁ ଭାରତରେ ଭ୍ରାନ୍ତିକର ଭାବେ ଦର୍ଶାଯାଇ ମୁସଲମାନଙ୍କ ବିରୋଧରେ ଏହାକୁ ଭାଇରାଲ୍ କରାଯାଇଛି ।

ଏହି ଭିଡିଓରେ ସେହି ବ୍ୟକ୍ତି ଜଣକ ବ୍ରେଡ୍ ପ୍ୟାକେଟରେ ଛେପ ପକାଇନଥିଲେ, ବରଂ ଖାଇବା ଉଦ୍ଦେଶ୍ୟରେ କିଛି ବ୍ରେଡ୍ କାଢିଥିଲେ ବୋଲି ସ୍ପଷ୍ଟ ହୋଇଛି ।

Comments are closed.