Latest Odisha News

BREAKING NEWS

ଭାଇରାଲ୍ ପୋଷ୍ଟମୋର୍ଟମ୍ : ଖବର କାଗଜରେ ନିଜାମୁଦ୍ଦିନ୍ ମର୍କଜର ଡାହା ମିଛ !

ଭୁବନେଶ୍ୱର: ଅନେକ ସମୟରେ ଭାରତ ସରକାରଙ୍କୁ ସହାୟତା ମିଳୁଥିବା ନେଇ ଆମେ ସୋସିଆଲ ମିଡିଆରେ ଜାଣିଥାଉ । ହେଲେ ମାତ୍ର ୪ଦିନ ପୂର୍ବରୁ ଏକ ଖବରକାଗଜର ସାମ୍ନା ପୃଷ୍ଠା ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି ।

ନ୍ୟୁଜ୍ ପେପରରେ ଥିବା ଫଟୋ ଓ ଖବର ଅନୁଯାୟୀ ପିଏମ୍ ରିଲିଫ ପାଣ୍ଠିକୁ ମୌଲାନା ସାଦ୍ ଦେଇଛନ୍ତି କୋଟିଏ ଟଙ୍କା । ଖବର କାଗଜଟି ମାର୍ଚ୍ଚ ୩୦, ୨୦୨୦ରେ ପ୍ରକାଶିତ ହୋଇଥିବା ଦେଖିବାକୁ ମିଳିଛି ।

ତାବଲିଗି ଜମାତ ମର୍କଜ ର ମୁଖ୍ୟ ମୌଲାନା ସାଦ୍ ଓରଫ ମୌଲାନା ସାଦ୍ କାନ୍ଧଲୱି । ପ୍ରଥମେ ଲକ୍‌-ଡାଉନ୍ ବିରୋଧୀ ନିଜାମୁଦ୍ଦିନରେ ଧାର୍ମିକ ସଭା ଆୟୋଜନ ନେଇ ମାମଲା ଦାୟର ଓ ଏପ୍ରିଲ୍ ୬ରେ ଦିଲ୍ଲୀ କ୍ରାଇମ୍ ବ୍ରାଂଚ ଦ୍ୱାରା ମୌଲାନା ସାଦ ବିରୋଧରେ ଦ୍ୱିତୀୟ ନୋଟିସ୍ ଜାରି କରାଯାଇଛି ।

ଏବେ ଆସନ୍ତୁ ନଜର ପକାଇବା ଏହି ପେପର କ୍ଲିପିଂ ଉପରେ । ଖବରକାଗଜକୁ ନେଇ କୌଣସି ହଟଚମଟ ସୃଷ୍ଟି ହୋଇନଥିଲେ ବି ଏକ ଟୁଇଟ୍ ଏହାକୁ ଭାଇରାଲ କରିଥିଲା । ଅସଗର କୁରେସି ନାମକ ଜଣେ ବ୍ୟକ୍ତି ପ୍ରଥମେ ଏହି ଖବରକୁ ସୋସିଆଲ ମିଡିଆରେ ଭାଇରାଲ୍ କରିଥିଲା ।

ଟୁଇଟ୍‌ରେ କ୍ୟାପ୍ସନ୍ ଥିଲା “୨୮ ମାର୍ଚ୍ଚରେ ମୌଲାନା ଅସାଦ ପିଏମ୍ ରିଲିଫ ପାଣ୍ଠିକୁ କୋଟିଏ ଟଙ୍କା ଦେଇଥିଲେ । ହେଲେ ଇସଲାମ୍ ଦେଖାଣିଆପଣକୁ ପ୍ରଶ୍ରୟ ଦିଏନି” । ଏହି ଖବରଟି ଟୁଇଟର ଓ ଫେସବୁକରେ ତୀବ୍ର ଗତିରେ ଭାଇରାଲ୍ ହୋଇଥିଲା ।

ସମସ୍ତଙ୍କ ପରି ଏହି ଖବର ଭାଇରାଲ୍ ପୋଷ୍ଟମୋର୍ଟମ୍ ଟିମ୍ ନଜରକୁ ଆସିଥିଲା । କାଳବିଳମ୍ବ ନ କରି ଆମେ ସତ୍ୟର ସନ୍ଧାନରେ ଲାଗିପଡିଥିଲୁ । ବହୁ ଖୋଜାଖୋଜି ପରେ ବିବିସି ନ୍ୟୁଜ ସାଇଟରେ ଆମେ ପ୍ରଥମ ସୁରାକ ହାସଲ କରିଥିଲୁ ।

ବିବିସି ନ୍ୟୁଜ ଆର୍ଟିକଲରେ ଜୁନ୍ ୬, ୨୦୧୯ରେ ପ୍ରକାଶିତ ଉତ୍ତର ଆଇରଲ୍ୟାଣ୍ଡର ଦୈନିକ ଖବର କାଗଜ “ଦ ନ୍ୟୁଜ ଲେଟର”ର ମିଳିଥିଲା ଅସଲ କପି ।

ଏହା ପରେ ଭାଇରାଲ୍ ଖବର କାଗଜ ସହ ଆମ ହସ୍ତଗତ କପିକୁ ତୁଳନା କରିଥିଲୁ । ସାମ୍ନାକୁ ଆସିଥିଲା ହାସ୍ୟାସ୍ପଦ ରହସ୍ୟ । ଅସଲ ଖବର କାଗଜର କିଛି ଅଂଶକୁ ଏଡିଟ୍ କରାଯାଇ ମୌଲାନା ସାଦ୍ କୋଟିଏ ଟଙ୍କା ଦେଇଥିବା ଖବର ଓ ଫଟୋକୁ ବେଶ ଚତୁରତାର ସହ ଯୋଡାଯାଇଥିଲା ।

ଏପରିକି ମିଥ୍ୟା ଖବରକୁ ସତ ପ୍ରମାଣିତ କରିବା ପାଇଁ ଅଜିମ୍ ପ୍ରେମଜୀଙ୍କ ସହାୟତା ରାଶି ଓ ସ୍ପେନ୍‌ରେ କରୋନାଭାଇରସ୍ ଜନିତ ଖବରକୁ ମଧ୍ୟ ଏଥିରେ ଯୋଡାଯାଇଥିଲା ।

ଏହି ସମସ୍ତ ତଥ୍ୟକୁ ଆଧାର କରି ଏହା ପ୍ରମାଣିତ ହୋଇଛି ଯେ କୋଟିଏ ଟଙ୍କା ଦେବା ତ ଦୂରର କଥା ଦିଲ୍ଲୀ ପ୍ରଶାସନ ଓ ପୋଲିସ ସାମ୍ନାକୁ ଆସିବା ଲାଗି ମଧ୍ୟ ମୌଲାନା ସାଦ ର ସତ୍‌ସାହାସ ନାହିଁ । ଅତଏବ ଏହା ଏକ ଚତୁର ପରିକଳ୍ପନାର ବିଫଳ ପ୍ରୟାସ ମାତ୍ର ।

Leave A Reply

Your email address will not be published.