Latest Odisha News

BREAKING NEWS

କୋହଲିଙ୍କୁ ମିଳିବ କି ପୂନର୍ବାର ଟେଷ୍ଟ ଅଧିନାୟକ ଦାୟିତ୍ୱ

ସିଡନୀ: କୋଚ ଗୌତମ ଗମ୍ଭୀର, ଚୟନ କମିଟି ମୂଖ୍ୟ ଅଜିତ ଅଗରକର ଓ ଅଧିନାୟକ ରୋହିତ ଶର୍ମାଙ୍କ ମିଳିତ ପ୍ରଦର୍ଶନ ଉପରେ ବିସିସିଆଇ ଅସନ୍ତୁଷ୍ଟ । ଟିମ ଇଣ୍ଡିଆକୁ ସଫଳତାର ଧାରାକୁ ଫେରାଇ ଆଣିବା ପାଇଁ କଡା ପଦକ୍ଷେପ ଗ୍ରହଣ କରାଯାଇପାରେ । ପ୍ରାରମ୍ଭିକ ରିପୋର୍ଟ ଅନୁସାରେ ରୋହିତ ଶର୍ମା ଟେଷ୍ଟ ଅଧିନାୟକ ପଦରୁ ହଟାଯିବା ସହ ଅବସର ନେବା ପାଇଁ ପରୋକ୍ଷରେ ଚାପ ପକା ଯାଇପାରେ । ଅନ୍ୟ ଅର୍ଥରେ ରୋହିତଙ୍କ ଟେଷ୍ଟ କ୍ୟାରିୟର ପ୍ରାୟତଃ ଶେଷ ପର୍ଯ୍ୟାୟରେ ପଂହଚିଛି । ରୋହିତଙ୍କ ଅନୁପସ୍ଥିତିରେ ଭାରତର ନେତୃତ୍ୱ କିଏ ନେବ ? ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ବିରାଟ କୋହଲିଙ୍କୁ ପୂନର୍ବାର ଏହି ଗୁରୁ ଦାୟିତ୍ୱ ପ୍ରଦାନ କରାଯାଇପାରେ ।

କୋହଲି ୨୦୧୪ରୁ ୨୦୨୨ ପର୍ଯ୍ୟନ୍ତ ୬୮ଟି ମ୍ୟାଚରେ ଭାରତର ନେତୃତ୍ୱ ନେଇଛନ୍ତି । ଏଥିରେ ୪୦ଟିରେ ବିଜୟ ହାସଲ କରିଥିବା ବେଳେ ୧୭ଟିରେ ପରାଜିତ ହୋଇଛନ୍ତି । ଟି୨୦ ଅଧିନାୟକ ପଦରୁ ହଟାଯିବା ପରେ ସେ ଟେଷ୍ଟ କ୍ରିକେଟର ଏହି ଦାୟିତ୍ୱରୁ ସ୍ୱତଃ ଓହରି ଯାଇଥିଲେ । ଏବେ ତାଙ୍କୁ ଅଧିନାୟକ କରାଯିବା ସହ ଭବିଷ୍ୟତ ପାଇଁ ଜଣେ ଯୁବ ଖେଳାଳିଙ୍କୁ ଉପ ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯିବ । ଫଳରେ କୋହଲି ଅବସର ନେବା ପରେ ସେ ଅଭିଜ୍ଞ ଅଧିନାୟକ ପାଲଟି ଯାଇଥିବେ । ରୋହିତଙ୍କ ନେତୃତ୍ୱରେ ଭାରତ ୨୪ଟି ମ୍ୟାଚ ଖେଳିଛି । ଏଥିରେ ୧୨ଟି ଦଳ ଜିତିଥିବା ବେଳେ ୯ରେ ପରାଜିତ ହୋଇଛି ।

ଚଳିତ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚରେ ରୋହିତଙ୍କ ଅନୁପସ୍ଥିତିରେ ଯଶପ୍ରୀତ ବୁମରାହଙ୍କୁ ଦଳର ନେତୃତ୍ୱ ପ୍ରଦାନ କରାଯାଇଥିଲା । ସେ ଏହି ମ୍ୟାଚରେ ଦଳକୁ ବିଜୟୀ କରାଇଥିଲେ । ବୁମରାହଙ୍କୁ ଟେଷ୍ଟ କ୍ରିକେଟରେ ନିୟମିତ ଅଧିନାୟକ କରିବା ବିପକ୍ଷରେ ଅନେକ ବରିଷ୍ଠ ଖେଳାଳି ମତ ଦେଇଛନ୍ତି । ଏବେ କୋହଲିଙ୍କୁ ଯଦି ଏହି ଦାୟିତ୍ୱ ପ୍ରଦାନ କରାଯିବ ସେ ଏହାକୁ ଗ୍ରହଣ କରିବେ କି ନାହିଁ ତାହା ଉପରେ ସମସ୍ତଙ୍କ ନଜର ରହିବ ।

Comments are closed.