ନୂଆଦିଲ୍ଲୀ: ଡଲାର ତୁଳନାରେ ଦୁର୍ବଳ ହେଲା ଭାରତୀୟ ଟଙ୍କା। ୧ ଡଲାର ମୂଲ୍ୟ ୯୪ ଟଙ୍କା ୧୭ ପଇସା ହେଲା। ଡଲାର ତୁଳନାରେ ଟଙ୍କାର ସର୍ବକାଳୀନ ଅଧୋପତନ। ମହଙ୍ଗା ଡଲାର ଦେଶର ଦରଦାମ ସ୍ଥିତି ବିଗାଡ଼ିବା ଆଶଙ୍କା। ଗୋଟିଏ ପଟେ ଯୁଦ୍ଧ ବେଳେ ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ହନ୍ତସନ୍ତ ହେଉଛନ୍ତି ତ ସେପଟେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଅବମୂଲ୍ୟାୟନ ହେଉଛି । ଏବେ ସବୁ ରେକର୍ଡ ଭାଙ୍ଗି ସର୍ବନିମ୍ନ ସ୍ତରରେ ପହଂଚିଛି ଟଙ୍କାର ମୂଲ୍ୟ ।
କେବଳ ସେତିକି ନୁହେଁ ଇରାନ ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ କାରଣରୁ ତୈଳ ସଂକଟ ବି ଘନେଇବାରେ ଲାଗିଛି। ଏବେ ବିଶ୍ୱବଜାରରେ ଆଶୋଧିତ ତୈଳର ମୂଲ୍ୟ ୧୦୦ ଡଲାର ଅତିକ୍ରମ କରିଛି। ଏହାସହ ସେୟାର ବଜାର ଉପରେ ବି ଯୁଦ୍ଧର ପ୍ରଭାବ ପଡ଼ୁଛି। ବିଦେଶୀ ନିବେଶକମାନେ ଭାରତୀୟ ସେୟାର ବଜାରରୁ ମୁହଁ ଫେରାଉଛନ୍ତି। ଯାହାର ପ୍ରଭାବ ବି ଟଙ୍କା ଉପରେ ପଡ଼ୁଛି। ଫଳରେ ନିବେଶକଙ୍କ ଟଙ୍କା ବି ବୁଡ଼ିବାରେ ଲାଗିଛି। ବିଶ୍ୱସ୍ତରୀୟ ଅନିଶ୍ଚିତତା କାରଣରୁ ନିବେଶକମାନେ ଡଲାରକୁ ଏକ ସୁରକ୍ଷିତ ମୁଦ୍ରା ଭାବେ ଗ୍ରହଣ କରି ଏହାର ଚାହିଦା ବଢ଼ାଇବାରେ ଲାଗିଛନ୍ତି।
ଟଙ୍କାର ଦୁର୍ବଳତା ଆମଦାନୀ ଖର୍ଚ୍ଚକୁ ପ୍ରଭାବିତ କରିପାରେ, ବିଶେଷକରି ତେଲ ଏବଂ ଅନ୍ୟାନ୍ୟ ସାମଗ୍ରୀ ପାଇଁ, ଯାହା ଫଳରେ ମୁଦ୍ରାସ୍ଫୀତି ବୃଦ୍ଧି ପାଇବାର ସମ୍ଭାବନା ଅଧିକ। ତଥାପି, ରପ୍ତାନିକାରୀ କମ୍ପାନୀଗୁଡ଼ିକ କିଛିଟା ଲାଭ ପାଇପାରନ୍ତି। ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଯେପର୍ଯ୍ୟନ୍ତ ବିଶ୍ୱ ଅନିଶ୍ଚିତତା ବଜାୟ ରହିବ, ସେପର୍ଯ୍ୟନ୍ତ ଟଙ୍କା ଚାପରେ ରହିପାରେ। ଡଲାରର ଗତି ଏବଂ ଅଶୋଧିତ ତୈଳ ମୂଲ୍ୟ ଆଗାମୀ ଦିନରେ ଟଙ୍କାର ଦିଗ ନିର୍ଣ୍ଣୟ କରିବ।
Comments are closed.