ନୂଆଦିଲ୍ଲୀ: ଡିସେମ୍ବର ୨୨ରେ ବିସିସିଆଇର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଏଥିରେ ଅନେକଗୁଡିଏ ନିଷ୍ପତି ନିଆଯାଇପାରେ । ଟିମ ଇଣ୍ଡିଆର ଟେଷ୍ଟ ଏବଂ ଦିନିକିଆ ଦଳର ଅଧିନାୟକ ଶୁଭମନ ଗିଲଙ୍କ ପ୍ରମୋଶନ ହେବା ଏକପ୍ରକାର ନିଶ୍ଚିତ ହୋଇଛି । ତାଙ୍କୁ ଏ ପ୍ଲସ କାଟାଗୋରୀରେ ସାମିଲ କରାଯାଇପାରେ । ତେବେ ଦୁଇ ଅଭିଜ୍ଞ ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ନେଇ ସସ୍ପେନ୍ସ ଲାଗି ରହିଛି । ଉଭୟ ଟେଷ୍ଟ ଏବଂ ଟି୨୦ରୁ ଅବସର ଘୋଷଣା କରି ସାରିଛନ୍ତି । ଏବେ କେବଳ ଦିନିକିଆ ଖେଳିବା ଜାରୀ ରଖିଛନ୍ତି ।
ରୋହିତ ଓ କୋହଲିଙ୍କୁ ପୂର୍ବ ଭଳି ଏ ପ୍ଲସରେ ରଖାଯିବ କି ନାହିଁ ତାହା ଏବେ ସ୍ପଷ୍ଟ ହୋଇ ପାରିନି । ରବୀନ୍ଦ୍ର ଜାଡେଜା ଓ ଗିଲ ଏ ପ୍ଲସର ଏଂଟ୍ରି କରିବା ସମ୍ଭାବନା ଅଧିକ ରହିଛି । ଏହି ବୈଠକରେ ମହିଳା କ୍ରିକେଟର୍ସଙ୍କ ଘରୋଇ କ୍ରିକେଟ ଖେଳିବା ପାଇଁ ଆଗକୁ କେତେ ଅର୍ଥ ମିଳିବ ତାହା ଉପରେ ମଧ୍ୟ ଆଲୋଚନା ହେବ । ବିସିସିଆଇର ଏହି ବୈଠକ ଉପରେ ଏବେ ସମସ୍ତଙ୍କ ନଜର ରହିଛି ।