ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ପ୍ରଦର୍ଶନ ସମସ୍ତଙ୍କୁ ନିରାଶ କରିଛି । ତାଙ୍କ ଫର୍ମ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କୋହଲିଙ୍କୁ ଘରୋଇ କ୍ରିକେଟ ଖେଳିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି । ତେବେ ଅନ୍ୟ ଏକ ରିପୋର୍ଟ ଅନୁସାରେ କୋହଲି କାଂଉଟି କ୍ରିକେଟ ଖେଳିବା ପାଇଁ ଯୋଜନା କରୁଛନ୍ତି । ଏହା ତାଙ୍କୁ ଟେଷ୍ଟ ସିରିଜରେ ସହାୟ ହେବ ବୋଲି ସେ ଆଶା କରିଛନ୍ତି । ସେ ସରେ କିମ୍ବା ୟର୍କଶାୟର ପକ୍ଷରୁ କାଂଉଟି ଖେଳି ପାରନ୍ତି ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ରହିଛି । ୨୦୨୫ରେ ଇଂଲଣ୍ଡ ବିପକ୍ଷରେ ଭାରତ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ ।
ବିସିସିଆଇ ଓ କୋଚିଂ ଷ୍ଟାଫ ମଧ୍ୟ କୋହଲିଙ୍କ ଏହି ନିଷ୍ପତିକୁ ସମର୍ଥନ କରିଛନ୍ତି । ଇଂଲଣ୍ଡରେ କୋହଲି ୧୬ଟି ଟେଷ୍ଟ ଖେଳି ୧୩୧୫ ରନ କରିଛନ୍ତି । ୧୪୯ ତାଙ୍କର ସର୍ବଶ୍ରେଷ୍ଠ ସ୍କୋର ରହିଛି । ୨୦୧୮ ଇଂଲଣ୍ଡ ଗସ୍ତରେ କୋହଲି ୫୯୩ ରନ କରିଥିଲେ । ୨୦୨୧ରେ ଅବଶ୍ୟ ତାଙ୍କ ପ୍ରଦର୍ଶନ ସେ ଭଳି ଉତ୍ସାହଜନକ ରହି ନ ଥିଲା । କାଂଉଟି କ୍ରିକେଟ ଖେଳିବା ଯୋଗୁ କୋହଲିଙ୍କୁ ସୁଇଂ ବଲ ସାମ୍ନା କରିବା ପାଇଁ ସହଜ ହେବ ବୋଲି କୁହାଯାଉଛି ।