Latest Odisha News

BREAKING NEWS

ଇଣ୍ଡିଆ ନାଁ ପରିବର୍ତ୍ତନ ଚର୍ଚ୍ଚା: ନିଆଁରେ ଘିଅ ଢାଳିଲେ ସେହୱାଗ, ୱାର୍ଲଡକପ ପାଇଁ ରଖିଲେ ବଡ ଦାବି

ନୂଆଦିଲ୍ଲୀ: ଦେଶର ନାଁ ବଦଳିବ । ରହିବନି ଇଣ୍ଡିଆ ନାଁ । ଦେଶର  ନାଁ ରହିବ ଗୋଟିଏ ଆଉ ତାହା ହେବ ଭାରତ । ଏମିତି ଅଟକଳକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଏହି ନିଆଁରେ ଘିଅ ଢାଳିଛନ୍ତି କ୍ରିକେଟର ବୀରେନ୍ଦ୍ର ସେହୱାଗ । ଇତିମଧ୍ୟରେ ଏହି ନାମକୁ ନେଇ ବଡ ଦାବି ଥୋଇଛନ୍ତି ସେହୱାଗ । ସେହୱାଗ ବିସିସିଆଇ ପାଖରେ ଦାବି କରିଛନ୍ତି, ୱାର୍ଲଡ କପରେ ଟିମ ଇଣ୍ଡିଆ ଜର୍ସିରେ ‘ଇଣ୍ଡିଆ’ ପରିବର୍ତ୍ତେ ‘ଭାରତ’ ଲେଖାଯିବା ଉଚିତ  ।

କ୍ରିକେଟର ବୀରେନ୍ଦ୍ର ସେହୱାଗ ସୋଶିଆଲ ପ୍ଲାଟଫର୍ମ  ଏକ୍ସରେ ଏହି ଦାବି ରଖିଛନ୍ତି । ସେ ଏହି ପୋଷ୍ଟ  ବିସିସିଆଇ ଏବଂ ସଚିବ ଜୟ ଶାହଙ୍କୁ ବି ଟାଗ କରିଛନ୍ତି ।

ଏହି ପୋଷ୍ଟରେ ସେହୱାଗ ଲେଖିଛନ୍ତି, ‘ମୁଁ ସବୁବେଳେ ଭାବେ, ନାଁ ଏମିତି ହେବା ଦରକାର ଯାହା ଆମ ଭିତରେ ଗର୍ବ ସୃଷ୍ଟି କରିବ । ଆମେ ଭାରତୀୟ । ଇଣ୍ଡିଆ ନାମ ଇଂରେଜମାନେ ଦେଇଥିଲେ । ଆମର ମୂଳ ନାଁ ଫେରି ପାଇବା ପାଇଁ ଅଫିସିଆଲି ବହୁତ ସମୟ ଲାଗି ଗଲାଣି ।’

ସେହୱାଗ ଏହି ପୋଷ୍ଟକୁ ବିସିସିଆଇକୁ ରିପୋଷ୍ଟ କରି କହିଛନ୍ତି, ଏବେ ‘ଟିମ ଇଣ୍ଡିଆ’ ନୁହେଁ ‘ଟିମ ଭାରତ’ । ସେ ଆହୁରି ଲେଖିଛନ୍ତି,ଏହି ୱାର୍ଲଡ କପ ଯାହା ପାଇଁ ଆମେ କୋହଲି, ରୋହିତ, ବୁମରାହ, ଜଡ୍ଡୁଙ୍କୁ ଚିଅର କରୁ ସେତେବେଳେ ଆମ ହୃଦୟ ଭିତରେ ଭାରତ  ରହିବା ଦରକାର ଏବଂ ଖେଳାଳି ଏମିତି ଜର୍ସି ପନ୍ଧିବା ଦରକାର ଯେଉଥିରେ ‘ଭାରତ’ ଲେଖା ଯାଇଥିବ  ।’

ସେ ପୋଷ୍ଟରେ ଆହୁରି ଲେଖିଛନ୍ତି, ୧୯୯୬ ୱାର୍ଲଡ କପ ଖେଳିବା ପାଇଁ ଯେତେବେଳେ ନେଦରଲାଣ୍ଡ ଟିମ ଭାରତ ଆସିଥିଲା ସେତେବେଳେ ତାର ନାମ ହଲାଣ୍ଡ ଥିଲା । ହେଲେ ୨୦୦୩ରେ ଯେତେବେଳେ ଆମେ ଭେଟିଲୁ ସେତେବେଳକୁ ସେ ନେଦରଲାଣ୍ଡ ଟିମ ନାମରେ ଖେଳୁଛି । ବର୍ମା ବି ତାର ଇଂରାଜୀ ନାମ ବଦଳାଇ ମ୍ୟାଁମାର କରିଦେଲା । ଏମିତି ଅନେକ ଦେଶ ନିଜ ମୂଳ ନାଁକୁ ଫେରୁଛନ୍ତି ।

ସୂଚନାଥାଉ କି, ୱାର୍ଲଡକପ ୨୦୨୩ ଅକ୍ଟୋବର ୫ରେ ହେବ । ଓପେନିଂ ମ୍ୟାଚ ଇଂଲଡ ଏବଂ ନ୍ୟୁଜଲାଣ୍ଡ ମଧ୍ୟରେ ହେବ ।

Comments are closed.